ଗୋଟିଏ ପରିବାରର ୫ ମୃତ: ଫ୍ରିଜ, ଆଲମାରି ଓ ସୁଟ୍‍କେଶରୁ ବାହାରିଲା ଶବ

0

ଆଲ୍ଲାହାବାଦ୍‍: ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଦେହାବଶେଷ ଫ୍ରିଜ୍‍, ଆଲମିରା ଓ ସୁଟ୍‍କେଶ୍‍ରୁ ଉଦ୍ଧାର କରାଯାଇଛି। ଘରର ମୁରବି ନିଜ ପତ୍ନୀ ଓ ସନ୍ତାନଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ଘଟଣା ଘଟିଛି ଆଲ୍ଲାହାବାଦ୍‍ରେ।
ପୁଲିସ ସୂଚନା ଅନୁଯାୟୀ, ଦୀର୍ଘ ସମୟ ଧରି ଉକ୍ତ ଘରର ପରିବାର ଲୋକେ ବାହାରକୁ ନ ବାହାରିବାରୁ ସ୍ଥାନୀୟ ଲୋକେ ସେମାନଙ୍କୁ ଡାକିଥିଲେ। କିନ୍ତୁ କୌଣସି ଉତ୍ତର ନ ମିିଳିବାରୁ ସନ୍ଦେହରେ ପୁଲିସକୁ ଖବର ଦେଇଥିଲେ। ଘର ଭିତର ପଟୁ ବନ୍ଦ ରହିଥିବାରୁ କବାଟ ଭାଙ୍ଗି ପୁଲିସ ଭିତରକୁ ପଶିଥିଲା। ଘର ଭିତରକୁ ଯିବା ପରେ ସେଠାରେ ୫ ଜଣଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଜଣେ ମହିଳାଙ୍କ ଶବ ଫ୍ରିଜ୍‍ ଭିତରେ ଥିବା ବେଳେ ଦୁଇ ଜଣ ଝିଅଙ୍କ ମଧ୍ୟରୁ ଜଣକ ଶବ ଏକ ସୁଟ୍‍କେଶରେ ଏବଂ ଆଉ ଜଣଙ୍କ ଶବ ଏକ ଆଲମିରାରେ ରଖାଯାଇଥିଲା। ପାଖ କୋଠରିରେ ଆଉ ଜଣେ ଶିଶୁ କନ୍ୟାର ଶବ ପଡ଼ିଥିଲା। ସିଲିଂ ଫ୍ୟାନ୍‍ରୁ ଜଣେ ବ୍ୟକ୍ତିଙ୍କ ଶବ ଝୁଲିଥିଲା। ମୃତକଙ୍କ ନାମ ମନୋଜ ଖୁଶ୍‍ୱାହା ବୋଲି ପୁଲିସ କହିଛି। ମୃତକ ମହିଳା ଜଣକ ମନୋଜଙ୍କ ପତ୍ନୀ ଓ ଅନ୍ୟ ତିନି ଝିଅ ତାଙ୍କ ସନ୍ତାନ ବୋଲି ଅନୁମାନ କରଯାଉଛି। ପାରିବାରିକ ଅଶାନ୍ତି କିମ୍ବା ପରକୀୟା ପ୍ରୀତି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ପୁଲିସ ପ୍ରାଥମିକ ଅନୁସନ୍ଧାନ ପରେ କହିଛି। ମନୋଜ ତାଙ୍କ ପରିବାରର ସଦସ୍ୟଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

Leave A Reply