ଡିଡିସିଏ ସଭାପତି ରଜତଙ୍କ ଇସ୍ତଫା

ନୂଆଦିଲ୍ଲୀ : ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍‌ସ କ୍ରିକେଟ୍ ଆସୋସିଏସନ୍‌ (ଡିଡିସିଏ)ର ସଭାପତି ପଦରୁ ଶନିବାର ଇସ୍ତଫା ଦେଇଛନ୍ତି ରଜତ ଶର୍ମା। ଡିଡିସିଏ ମଧ୍ୟରେ ବ୍ୟାପକ କ୍ଷମତା କନ୍ଦଳ ଲାଗି ରହିଥିବାରୁ ସେ ଚାପ ମଧ୍ୟରେ ନିଜ କାମ ଠିକ୍‌ ଭାବେ ତୁଲାଇବାକୁ ଅକ୍ଷମ ହେଉଥିବା ଅନୁଭବ କରି ରଜତ ନିଜ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି।
ଗତବର୍ଷ ଜୁଲାଇରେ ବରିଷ୍ଠ ସାମ୍ବାଦିକ ରଜତ ଶର୍ମା ପୂର୍ବତନ ଭାରତୀୟ ଅଲରାଉଣ୍ଡର ମଦନ ଲାଲ୍‌ଙ୍କୁ ପରାସ୍ତ କରି ଡିଡିସିଏ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେ ପାଖାପାଖି ୨୦ ମାସ ଧରି ଡିଡିସିଏର ସଭାପତି ଭାବେ କାମ କରିଥିଲେ। ତେବେ ଡିଡିସିଏର ସାଧାରଣ ସମ୍ପାଦକ ବିନୋଦ ଥିଆରାଙ୍କ ସହ ତାଙ୍କର ଅନେକ ସମୟରେ ମତଭେଦ ରହି ଆସୁଥିଲା। ଏହାକୁ ଦୃଷ୍ଟିରେ ରଖି ରଜତ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଡିଡିସିଏକୁ ଏକ ପତ୍ର ଲେଖି ରଜତ ଦର୍ଶାଇଛନ୍ତି କ୍ରିକେଟ୍‌ ପ୍ରଶାସକ କାମ ସର୍ବଦା ଚାପଗ୍ରସ୍ତ। ଡିଡିସିଏରେ କ୍ଷମତା କନ୍ଦଳ ବଢ଼ି ଯାଇଥିବା ଅନୁଭବ କରିବା ସହ କ୍ରିକେଟ୍‌ର ସ୍ବାର୍ଥରକ୍ଷା ଅପେକ୍ଷା କେତେକ ବ୍ୟକ୍ତିଗତ ସ୍ବାର୍ଥରକ୍ଷାକୁ ଅଗ୍ରାଧିକାର ଦେଉଛନ୍ତି। ଏହାକୁ ନେଇ ସେ ବେଶ୍‌ କିଛିଦିନ ହେବ ଚାପରେ ରହିଥିଲେ। ଡିଡିସିଏ ସଭାପତି ଭାବେ ସଂପୂର୍ଣ୍ଣ ନିଷ୍ଠାପର ଭାବେ ଦାୟିତ୍ବ ନିର୍ବାହ କରି ଆସୁଥିଲି। କ୍ରିକେଟ୍‌ର ଉନ୍ନତି ଓ ପ୍ରତ୍ୟେକ କ୍ଷେତ୍ରରେ ସ୍ବଚ୍ଛତା ଉପରେ ସର୍ବଦା ଧ୍ୟାନ ଦେଉ ଆସୁଥିବା ବେଳେ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଡିଡିସିଏରେ ବର୍ତ୍ତମାନ ଯେପରି ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ଦୃଷ୍ଟିରେ ରଖି ନିଜ ଦାୟିତ୍ବ ସଠିକ ଭାବେ ନିର୍ବାହ କରିପାରିବେ ନାହିଁ ବୋଲି ଅନୁଭବ ହେବାରୁ ସଭାପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନାଥାଉକି ଗତ ଅକ୍ଟୋବର ୨୩ରେ ବିସିସିଆଇର ସାଧାରଣ ପରିଷଦ ବୈଠକ ବସିଥିଲା। ଏଥିରେ ରଜତ ଶର୍ମା ଡିଡିସିଏକୁ ପ୍ରତିନିଧିତ୍ବ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ ଏହାକୁ ବିରୋଧ କରିଥିଲେ ଡିଡିସିଏର ସାଧାରଣ ସମ୍ପାଦକ ବିନୋଦ। ତେ​‌େ​‌ବ ରଜତଙ୍କୁ ଡିଡିସିଏ କାର୍ଯ୍ୟକାରୀ କମିଟି ସଦସ୍ୟମାନେ ସମର୍ଥନ କରିଥିଲେ।

Comments are closed.