ପଞ୍ଜାବ ପରାସ୍ତ : ୩ୟ ସ୍ଥାନରେ ଦିଲ୍ଲୀ

ଶ୍ରେୟାୟ ପ୍ରୟାସ ; ପଞ୍ଜାବକୁ ହରାଇଲା ଦିଲ୍ଲୀ
ନୂଆଦିଲ୍ଲୀ, ୨୦ା୪: ଅଧିନାୟକ ଶ୍ରେୟାସ ଆୟରଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଚଳିତ ଆଇପିଏଲ୍‌ରେ ଶନିବାର ୨ୟ ମ୍ୟାଚ୍‌ରେ ବିଜୟୀ ହୋଇଛି ଦିଲ୍ଲୀ କ୍ୟାପିଟାଲ୍‌ସ । କିଙ୍ଗ୍‌ସ ଏକାଦଶ ପଞ୍ଜାବକୁ ୫ ୱିକେଟରେ ହରାଇ ଦିଲ୍ଲୀ କ୍ୟାପିଟାଲ୍‌ସ ପଏଣ୍ଟ ଟେବୁଲର ୩ୟ ସ୍ଥାନକୁ ଉନ୍ନୀତ ହୋଇଛି। କ୍ରିସ୍ ଗେଲ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହ ଅନ୍ୟ କିଛି ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି କିଙ୍ଗ୍‌ସ ଏକାଦଶ ପଞ୍ଜାବ ୭ ୱିକେଟରେ ୧୬୩ ରନ୍ କରିଥିଲା। ପରେ ଅଧିନାୟକ ଶ୍ରେୟାସ ଆୟରଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ଶିଖର ଧାୱନଙ୍କ ଅର୍ଦ୍ଧଶତକ ବଳରେ ୨ଟି ବଲ୍ ବାକିଥାଇ ୫ ୱିକେଟ ହରାଇ ଦିଲ୍ଲୀ ଜିତିଥିଲା। ୧୦ମ ମ୍ୟାଚ୍‌ରେ ୬ଷ୍ଠ ବିଜୟ ପରେ ଦିଲ୍ଲୀ ୧୨ ପଏଣ୍ଟରେ ରହିଛି। ପଞ୍ଜାବ ୧୦ମ ମ୍ୟାଚ୍‌ରେ ୫ମ ପରାଜୟ ଭୋଗି ୪ର୍ଥ ସ୍ଥାନରେ ରହିଛି।
ଦିଲ୍ଲୀ କ୍ୟାପିଟାଲ୍‌ସ ୧୬୪ ରନ୍ ଲକ୍ଷ୍ୟରେ ୩ ଓଭରରେ ୨୪ ରନ୍‌ରେ ପହଞ୍ଚି ଯାଇଥିଲା। ୪ର୍ଥ ଓଭରର ପ୍ରଥମ ବଲ୍‌ରେ ପୃଥ୍ବୀ ସ’ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୩ ରନ୍‌କରି ବିଦାୟ ନେଇଥିଲେ। ପରେ ଅନ୍ୟ ଓପ୍‌ନର ଶିଖର ଧାୱନ ଓ ଅଧିନାୟକ ଶେୟାସ ଆୟର ୨ୟ ୱିକେଟ ପାଇଁ ୧୦.୨ ଓଭରରେ ୯୨ ରନ୍ ଯୋଗ କରିଥିଲେ। ବାମହାତି ଧାୱନ ଦର୍ଶନୀୟ ବ୍ୟାଟିଂକରି ୪୧ ବଲ୍‌ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୫୬ ରନ୍‌କରି ବିଦାୟ ନେଇଥିଲେ। ଋଷଭ ପନ୍ତ୍ ପୁଣି ସୁଯୋଗର ହାତଛଡ଼ା କରି ୬ ବଲ୍‌ରୁ ୬ ରନ୍‌କରି ବିଦାୟ ନେଇଥିଲେ। ତେବେ ଗୋଟିଏ ପଟେ ଶ୍ରେୟାସ ଆୟର ଲଢ଼ୁଆ ବ୍ୟାଟିଂ ଜାରି ରଖିଥିଲେ। ଶେଷ ୩ ଓଭରରୁ ଦିଲ୍ଲୀ ୨୩ ରନ୍ ଆବଶ୍ୟକ କରୁଥିଲା। କଲିନ୍ ଇନ୍‌ଗ୍ରାମ୍ କ୍ରିଜ୍‌କୁ ଆସିବା ମାତ୍ରେ ରନ୍‌ଗତି ବଢ଼ିଥିଲା। ଦୁହେଁ ଦଳକୁ ବିଜୟଲକ୍ଷ୍ୟ ଆଡ଼କୁ ନେଇ ଯାଇଥିଲେ। ଦକ୍ଷିଣ ଆଫ୍ରିକାର ଇନ୍‌ଗ୍ରାମ୍ ୯ ବଲ୍‌ରୁ ୪ଟି ଚୌକା ସହ ୧୯ ରନ୍‌କରି ଆଉଟ ହୋଇ ଯାଇଥିଲେ। ପରବର୍ତ୍ତୀ ବଲ୍‌ରେ ଅକ୍ଷର ପଟେଲ (୧) ରନ୍‌ଆଉଟ ହୋଇ ଯାଇଥିଲେ। ଶେଷ ଓଭରରୁ ୬ ରନ୍ ଆବଶ୍ୟକ ଥିବା ବେଳେ ୪ଟି ବଲ୍‌ରୁ ଏହା ସଂଗୃହୀତ ହୋଇଥିଲା। ସେର୍ଫାନ୍ ରଦରଫୋର୍ଡ ୨ ରନ୍‌ରେ ଅପରାଜିତ ଥିଲେ। ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିବା ବେଳେ ୪୯ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୫୮ ରନ୍‌କରି ଅପରାଜିତ ଥିଲେ। ପେସ୍ ବୋଲର ହାର୍ଡସ ଭିଲ୍ୟୋନ୍ ୨ଟି ୱିକେଟ ପାଇଥିଲେ।
ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍‌ସ ଫିଲ୍‌ଡିଂ ନେବା ପରେ କିଙ୍ଗ୍‌ସ ଏକାଦଶ ପଞ୍ଜାବର ଓପ୍‌ନର କ୍ରିସ୍ ଗେଲ୍‌ଙ୍କ ବ୍ୟାଟ୍‌ ପୁଣିଥରେ ଗର୍ଜିଥିଲା। ତେବେ ୧୦ ଓଭରରେ ପଞ୍ଜାବ ୯୨ ରନ୍ କରିବା ସତ୍ତ୍ବେ ଶେଷ ୧୦ ଓଭରରେ ଆଉ ମାତ୍ର ୭୧ ରନ୍ ​ଯୋଗ‌କରି ପାରିଥିଲା। କେ.ଏଲ୍. ରାହୁଲ ୯ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୨ ରନ୍ କରି ଆଉଟ ହୋଇ ଯାଇଥିଲେ। ମୟଙ୍କ ଅଗ୍ରୱାଲ ୯ଟି ବଲ୍‌ରୁ ମାତ୍ର ୨ ରନ୍‌କରି ବିଦାୟ ନେଇଥିଲେ। ଡେଭିଡ୍ ମିଲର ମାତ୍ର ୭ ରନ୍‌ର ଯୋଗଦାନ କରି ପାରିଥିଲେ। ୬୧ ରନ୍‌ରେ ୩ଟି ୱିକେଟ ପଡ଼ିଯିବା ପରେ ଗେଲ୍‌ ଓ ମନଦୀପ ସିଂହ ୪ ଓଭରରେ ୪୫ ରନ୍ ଯୋଗକରି ଦଳର ସ୍ଥିତି ସୁଧାରିଥିଲେ। ୧୩ଶ ଓଭରରେ ଆଉଟ ହୋଇଥିବା ଗେଲ୍‌ ୩୭ ବଲ୍‌ରୁ ୫ଟି ଛକା ଓ ୬ଟି ଚୌକା ସହ ୬୯ ରନ୍ କରିଥିଲେ। ସାମ୍ କରନ୍ ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ଅଧିନାୟକ ରବିଚନ୍ଦ୍ରନ ଅଶ୍ବିନ ୧୪ ବଲ୍‌ରୁ ୨ଟି ଚୌକା ସହ ୧୬ ରନ୍‌ର ଇନିଂସ ଖେଳିଥିଲେ। ମନଦୀପ ସିଂହ ୨୭ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୩୦ ରନ୍ କରିଥିଲେ। ହରପ୍ରୀତ ବ୍ରାର ଉପଯୋଗୀ ବ୍ୟାଟିଂକରି ୧୨ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୦ ରନ୍‌କରି ଅପରାଜିତ ଥିଲେ। ନେପାଳୀ ଲେଗ୍‌ସ୍ପିନର ସନ୍ଦୀପ ଲାମିଛାନେ ୩ଟି ଏବଂ କାଗିସୋ ରାବାଡ଼ା ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ପାଇଥିଲେ।

Comments are closed.