ସୁପର ଓଭର ରୋମାଞ୍ଚ ; ଦିଲ୍ଲୀର ଜିତାପଟ

ଚେନ୍ନଇ ; ଚଳିତ ଆଇପିଏଲ୍‌ରେ ରବିବାର ସନ୍ଧ୍ୟାରେ ପ୍ରଥମ ସୁପର ଓଭର ଦେଖିବାକୁ ମିଳିଛି। ଏଥିରେ ସନ୍‌ରାଇଜର୍ସ ହାଇଦରାବାଦକୁ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍‌ସ। ଅକ୍ଷର ପଟେଲ ବୋଲିଂ କରିଥିବା ସୁପର ଓଭରରେ ସନ୍‌ରାଇଜର୍ସର ଡେଭିଡ୍‌ ୱାର୍ଣ୍ଣର ଓ କେନ୍ ୱିଲିୟମ୍‌ସନ ୭ ରନ୍ କରିଥିଲେ। ରସିଦ୍‌ ଖାଁ ବୋଲିଂ କରିଥିବା ଓଭରରେ ଦିଲ୍ଲୀର ଋଷଭ ପନ୍ତ୍ ଓ ଶିଖର ଧାୱନ ଶେଷ ବଲ୍‌ରେ ବିଜୟଲକ୍ଷ୍ୟ ହାସଲ କରିଥିଲେ। ନିର୍ଦ୍ଧାରିତ ୨୦ ଓଭର ଶେଷରେ ଉଭୟ ଦଳ ସମାନ ୧୫୯ ରନ୍ ଲେଖାଏଁ କରିବାରୁ ମ୍ୟାଚ୍‌ ଟାଇ ରହିଥିଲା ଓ ସୁପର ଓଭର ହୋଇଥିଲା। ପୃଥ୍ବୀ ସ’ଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଦିଲ୍ଲୀ ୪ ୱିକେଟରେ ୧୫୯ ରନ୍ କରିଥିଲା। ପରେ କେନ୍ ୱିଲିୟମ୍‌ସନଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ସନ୍‌ରାଇଜର୍ସ ୭ ୱିକେଟରେ ୧୫୯ ରନ୍ କରିଥିଲା। ୫ମ ମ୍ୟାଚ୍‌ରେ ୪ର୍ଥ ବିଜୟ ଫଳରେ ଦିଲ୍ଲୀ ୮ ପଏଣ୍ଟ ସହ ୨ୟ ସ୍ଥାନକୁ ଉନ୍ନୀତ ହୋଇଛି। ସନ୍‌ରାଇଜର୍ସ ୫ମ ମ୍ୟାଚ୍‌ରେ ୪ର୍ଥ ପରାଜୟ ଭୋଗି ୭ମ ସ୍ଥାନରେ ରହିଛି।
୧୬୦ରନ୍‌ ଲକ୍ଷ୍ୟରେ ସନ୍‌ରାଇଜର୍ସ ହାଇଦରାବାଦର ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ୬ ରନ୍‌କରି ରନ୍‌ଆଉଟ ହୋଇଥିଲେ। ତେବେ ଜନି ବେୟାରଷ୍ଟୋ ଆକ୍ରମଣାତ୍ମକ ବ୍ୟାଟିଂକରି ଦ୍ରୁତଗତିରେ ସ୍କୋର୍ ବଢ଼ାଇଥିଲେ। ବେୟାରଷ୍ଟୋ ୧୮ ବଲ୍‌ରୁ ୪ଟି ଛକା ଓ ୩ଟି ଚୌକା ସହ ୩୮ ରନ୍‌ କରିଥିଲେ। ବିରାଟ ସିଂହ ୪, କେଦାର ଯାଦବ ୯, ଅଭିଷେକ ଶର୍ମା ୫ ଓ ରସିଦ୍‌ ଖାଁ ବିନା ସ୍କୋର୍‌ରେ ଆଉଟ୍‌ ହୋଇଥିଲେ। ବିଜୟ ଶଙ୍କର ୮ ରନ୍ କରି ପାରିଥିଲେ। ଶେଷ ଓଭରରେ ୧୬ ରନ୍‌ ଆବଶ୍ୟକ ଥିଲା। ପ୍ରଥମ ୩ଟି ବଲ୍‌ରୁ ୧୨ ରନ୍ ହୋଇଥିବା ବେଳେ ଶେଷ ୩ଟି ବଲ୍‌ରୁ ମାତ୍ର ୩ ରନ୍ ହେବାରୁ ମ୍ୟାଚ୍‌ ଟାଇ ହୋଇଥିଲା। ଜଗଦ୍ଦୀଶ ସୁଚିତ ୬ ବଲ୍‌ରୁ ଅପରାଜିତ ୧୫ ରନ୍‌କରି ମ୍ୟାଚ୍‌କୁ ଟାଇ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୱିଲିୟମ୍‌ସନ ୫୧ ବଲ୍‌ରୁ ୮ଟି ଚୌକା ସହ ୬୬ ରନ୍‌କରି ଅପରାଜିତ ଥିଲେ। ଆଭେସ୍ ଖାଁ ୩ଟି ଓ ଅକ୍ଷର ପଟେଲ ୨ଟି ୱିକେଟ ନେଇଥିଲେ।
ଟସ୍ ଜିତି ଦିଲ୍ଲୀ ବ୍ୟାଟିଂ କରିଥିଲା। ଫର୍ମରେ ଥିବା ଦିଲ୍ଲୀର ଦୁଇ ଓପ୍‌ନର ପୃଥ୍ବୀ ସ’ ଓ ଶିଖର ଧାୱନ ୧୦ ଓଭରରେ ୮୧ ରନ୍‌ର ଭାଗିଦାରୀ କରିଥିଲେ। ଶିଖର ଧାୱନ ୨୬ ବଲ୍‌ରୁ ୩ଟି ଚୌକା ସହ ୨୮ ରନ୍‌କରି ଆଉଟ ହୋଇଥିଲେ। ଗୋଟିଏ ଓଭର ପରେ ପୃଥ୍ବୀ ମଧ୍ୟ ଆଉଟ୍‌ ହୋଇ ଯାଇଥିଲେ। ପୃଥ୍ବୀ ଆକ୍ରମଣାତ୍ମକ ବ୍ୟାଟିଂକରି ୩୯ ବଲ୍‌ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୫୩ ରନ୍ କରିଥିଲେ। ପରେ ଅଧିନାୟକ ଋଷଭ ପନ୍ତ୍ ଓ ଅଭିଜ୍ଞ ଷ୍ଟିଭେନ୍ ସ୍ମିଥ୍ ୩ୟ ୱିକେଟ ପାଇଁ ୭ ଓଭରରେ ୫୮ ରନ୍ ଯୋଡ଼ିଥିଲେ। ପନ୍ତ୍ ୨୭ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୭ ରନ୍ କରିଥିଲେ। ସ୍ମିଥ୍ ଅପରାଜିତ ରହି ୨୫ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୪ ରନ୍ କରିଥିଲେ। ସିଦ୍ଧାର୍ଥ କୌଲ ୨ଟି ୱିକେଟ ନେଇଥିଲେ। ପୃଥ୍ବୀ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Comments are closed.