ଆର୍‌ସିବିକୁ ଜିତାଇଲେ କାର୍ତ୍ତିକ, ମ୍ୟାକ୍ସୱେଲ

ମୁମ୍ବଇ : ଚଳିତ ଆଇପିଏଲ୍‌ରେ ଶନିବାର ୨ୟ ମ୍ୟାଚ୍‌ରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। ଗ୍ଲେନ୍ ମ୍ୟାକ୍ସୱେଲ ଓ ଦିନେଶ କାର୍ତ୍ତିକଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୧୬ ରନ୍‌ରେ ଆର୍‌ସିବି ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂକରି ଆର୍‌ସିବି ୫ ୱିକେଟରେ ୧୮୯ ରନ୍‌ କରିଥିଲା। ଡେଭିଡ୍‌ ୱାର୍ଣ୍ଣରଙ୍କ ଦର୍ଶନୀୟ ଅର୍ଦ୍ଧଶତକ ସତ୍ତ୍ବେ ଦିଲ୍ଲୀ ୭ ୱିକେଟ ହରାଇ ୧୭୩ ରନ୍‌ କରି ପାରିଥିଲା। ୬ଷ୍ଠ ମ୍ୟାଚ୍‌ରେ ୪ର୍ଥ ବିଜୟ ପରେ ଆର୍‌ସିବି ୩ୟ ସ୍ଥାନକୁ ଉନ୍ନୀତ ହୋଇଛି। ୫ମ ମ୍ୟାଚ୍‌ରେ ଏହା ଦିଲ୍ଲୀର ୩ୟ ପରାଜୟ।
ଦିଲ୍ଲୀ କ୍ୟାପିଟାଲ୍‌ସ ୧୯୦ ରନ୍‌ ଲକ୍ଷ୍ୟରେ ବିସ୍ଫୋରକ ଢଙ୍ଗରେ ଇନିଂସ ଆରମ୍ଭ କରିଥିଲା। ସାଢ଼େ ୪ ଓଭରରେ ଏହା ୫୦ ରନ୍‌​‌େ​‌ର ପହଞ୍ଚି ଯାଇଥିଲା। ପୃଥ୍ବୀ ସ’ ୧୩ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୬ ରନ୍‌କରି ବିଦାୟ ନେଇଥିଲେ। ଅନ୍ୟପଟେ ଡେଭିଡ୍‌ ୱାର୍ଣ୍ଣର ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ। ୱାର୍ଣ୍ଣର ୩୮ ବଲ୍‌ରୁ ୫ଟି ଛକା ଓ ୪ଟି ଚୌକା ସହ ୬୬ ରନ୍‌କରି ଆଉଟ ହୋଇଥିଲେ। ଚଳିତ ସଂସ୍କରଣରେ ପ୍ରଥମ ମ୍ୟାଚ୍‌ ଖେଳିଥିବା ମିଚେଲ ମାର୍ଶ ଦୟନୀୟ ବ୍ୟାଟିଂକରି ୨୪ ବଲ୍‌ରୁ ମାତ୍ର ୧୪ ରନ୍‌ କରିଥିଲେ। ରୋଭ୍‌ମ୍ୟାନ ପୱେଲ ପ୍ରଥମ ବଲ୍‌ରେ ଆଉଟ ହୋଇଥିଲେ। ଲଳିତ ଯାଦବ ୧ ରନ୍‌ କରିଥିଲେ। ପରେ ଅଧିନାୟକ ଋଷଭ ପନ୍ତ୍ ଏକୁଟିଆ ଲଢ଼ିଥିଲେ ହେଁ ୧୭ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୪ ରନ୍‌କରି ଆଉଟ ହେବା ନିର୍ଣ୍ଣାୟକ ହୋଇଥିଲା। ସାର୍ଦୁଳ ଠାକୁର ୨ଟି ଛକା ସହ ୧୭ ରନ୍‌ କରିଥିଲେ। ଜୋସ୍ ହାଜେଲ୍‌ଉଡ୍‌ ୩ଟି ଓ ମହମ୍ମଦ ସିରାଜ୍ ୨ଟି ୱିକେଟ ନେଇଥିଲେ। ଦିନେଶ କାର୍ତ୍ତିକ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍‌ସ ଫିଲ୍‌ଡିଂ ନେବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା। ୧୩ ରନ୍‌ ମଧ୍ୟରେ ୨ ଓପ୍‌ନର ବିଦାୟ ନେଇଥିଲେ। ଅନୁଜ ରାୱତ ୦ ଓ ଅଧିନାୟକ ଫାଫ୍ ଡୁ ପ୍ଲେସି ୮ ରନ୍‌କରି ଆଉଟ୍‌ ହୋଇଥିଲେ। ବିରାଟ କୋହଲି ୧୨ ରନ୍‌ରେ ରନ୍‌ଆଉଟ ହୋଇଥିଲେ। ସୁୟାଶ ପ୍ରଭୂଦେଶାଇ ୬ ରନ୍‌ କରିଥିଲେ। ଗ୍ଲେନ୍ ମ୍ୟାକ୍ସୱେଲ ବିସ୍ଫୋରକ ବ୍ୟାଟିଂ କରିଥିଲେ। ୧୨ଶ ଓଭରରେ ଆଉଟ ହୋଇଥିବା ଅଷ୍ଟ୍ରେଲୀୟ ମ୍ୟାକ୍ସୱେଲ ଆକ୍ରମଣ କରି ୩୪ ବଲ୍‌ରୁ ୨ଟି ଛକା ଓ ୭ଟି ଚୌକା ସହ ୫୫ ରନ୍‌ କରିଥିଲେ। ୯୨ ରନ୍‌ରେ ୫ଟି ୱିକେଟ ପଡ଼ିଯିବା ପରେ ଦିନେଶ କାର୍ତ୍ତିକ ଓ ଶାହ୍‌ବାଜ ଅହମ୍ମଦ ଚମତ୍କାର ବ୍ୟାଟିଂ କରିଥିଲେ। ବିଶେଷକରି କାର୍ତ୍ତିକ ବାଉଣ୍ଡରୀ ପରେ ବାଉଣ୍ଡରୀ ମାରି ଚାଲିଥିଲେ। ଫଳରେ ୧୬ ଓଭରରେ ୧୨୦ ରନ୍‌ କରିଥିବା ଆର୍‌ସିବି ଶେଷ ୪ ଓଭରରୁ ୬୯ ରନ୍‌ ନେଇଥିଲା। କାର୍ତ୍ତିକ ଓ ଶାହ୍‌ବାଜ ଅବିଭାଜିତ ୫ମ ୱିକେଟ ପାଇଁ ୭୬ ବଲ୍‌ରୁ ୯୭ ରନ୍‌ ଯୋଡ଼ିଥିଲେ। ବଙ୍ଗଳାର ଶାହ୍‌ବାଜ ୨୧ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୨ ରନ୍‌କରି ଅପରାଜିତ ଥିଲେ। ଫର୍ମରେ ଥିବା କାର୍ତ୍ତିକ ମୁସ୍ତାଫିଜୁର ରେହ୍‌ମାନଙ୍କ ଏକ ଓଭରରୁ ୨ଟି ଛକା ଓ ୪ଟି ଚୌକା ସହ ୨୮ ରନ୍‌ ନେଇଥିଲେ। କାର୍ତ୍ତିକ ୩୪ ବଲ୍‌ରୁ ୫ଟି ଲେଖାଏଁ ଛକା ଓ ଚୌକା ସହ ୬୬ ରନ୍‌କରି ଅପରାଜିତ ଥିଲେ।

Comments are closed.