ଆଇପିଏଲ୍‌: ପଞ୍ଜାବ-ଦିଲ୍ଲୀ ଲଢ଼େଇ ଆଜି

ଦୁବାଇ: ଚଳିତ ଆଇପିଏଲ୍‌ରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ହେଉଛି ଏକମାତ୍ର ଦଳ ଯାହା ୨ଟି ମ୍ୟାଚ୍‌ରେ ସୁପର ଓଭରର ସମ୍ମୁଖୀନ ହୋଇଛି। ପ୍ରଥମ ଥର ଏହା ପରାସ୍ତ ହୋଇଥିବା ବେଳେ ରବିବାର ମୁମ୍ବଇ ଇଣ୍ଡିଆନ୍‌ସ ବିପକ୍ଷରେ ପଞ୍ଜାବ ୨ ଥର ସୁପର ଓଭରର ସମ୍ମୁଖୀନ ହୋଇଥିଲା। ପ୍ରଥମ ସୁପର ଓଭର ଟାଇ ହେବା ପରେ ୨ୟ ସୁପର ଓଭରରେ କିନ୍ତୁ ପଞ୍ଜାବ ବିଜୟୀ ହୋଇ ପାରିଥିଲା। ଏହାସହ କ୍ରମାଗତ ୨ଟି ମ୍ୟାଚ୍ ଜିତି ସର୍ବନିମ୍ନ ସ୍ଥାନରୁ ପଏଣ୍ଟ ଟେବୁଲ୍‌ରେ ପଞ୍ଜାବ ଉପରକୁ ଉଠିପାରିଛି। ଏପରି ଦୃଢ଼ ମନୋବଳ ନେଇ ମଙ୍ଗଳବାର ମଇଦାନକୁ ଓହ୍ଲାଇବ କିଙ୍ଗ୍‌ସ ଏକାଦଶ ପଞ୍ଜାବ। ଦିଲ୍ଲୀ କ୍ୟାପିଟାଲ୍‌ସର ମୁକାବିଲା କରିବ ପଞ୍ଜାବ। ପୁଣି ପଞ୍ଜାବ ଖେଳିଥିବା ପ୍ରଥମ ସୁପର ଓଭର ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସଠାରୁ ପରାସ୍ତ ହୋଇଥିଲା।

ଅଦ୍ୟାବଧି ଆଇପିଏଲ୍‌ରେ ସବୁଠାରୁ ପ୍ରଭାବଶାଳୀ ପ୍ରଦର୍ଶନ କରିଛି ଦିଲ୍ଲୀ କ୍ୟାପିଟାଲ୍‌ସ। ୯ଟି ମ୍ୟାଚ୍‌ରୁ ୭ଟି ଜିତି ଦିଲ୍ଲୀ ଏବେ ଟେବୁଲ୍‌ର ଶୀର୍ଷରେ ରହିଛି। ବାକି ୫ଟି ମ୍ୟାଚ୍‌ରୁ ଏହା ମାତ୍ର ଗୋଟିଏ ଜିତିପାରିଲେ ଦିଲ୍ଲୀ କ୍ୟାପିଟାଲ୍‌ସ ପ୍ଲେଅଫ୍‌ ଖେଳିବା ନିଶ୍ଚିତ କରିବ। ତେବେ ପ୍ରଥମ ୨ଟି ସ୍ଥାନରେ ରହି ଦିଲ୍ଲୀ ଫାଇନାଲ ଖେଳିବାର ୨ଟି ସୁଯୋଗ ପାଇବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ତା’ର ଗତ ୨ଟିଯାକ ମ୍ୟାଚ୍ ସହଜରେ ଜିତିବା ସ୍ଥିତିରେ ଥିଲା ପଞ୍ଜାବ। ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ପଞ୍ଜାବ ୨ ଓଭରରୁ ୭ ରନ୍ ଆବଶ୍ୟକ ଥିଲେ ହେଁ ଶେଷ ବଲ୍‌ରେ ହିଁ ପଞ୍ଜାବ ଜିତିଥିଲା। ରବିବାର ମୁମ୍ବଇ ବିପକ୍ଷରେ ଶେଷ ଓଭରରୁ ମାତ୍ର ୯ ରନ୍ ଆବଶ୍ୟକ କରୁଥିବା ବେଳେ ମ୍ୟାଚ୍‌କୁ ଟାଇ କରିଥିଲା। ପ୍ଲେଅଫ୍ ଖେଳିବା ପାଇଁ ପଞ୍ଜାବକୁ ତା’ର ଶେଷ ୫ଟିଯାକ ମ୍ୟାଚ୍‌ ଜିତିବାକୁ ପଡ଼ିବ। ତେଣୁ ଏଣିକି ପଞ୍ଜାବର ସମସ୍ତ ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟିକରିବ। ସାମାନ୍ୟ ଢିଲାପଣ ପଞ୍ଜାବକୁ ଟୁର୍ଣ୍ଣାମେଣ୍ଟରୁ ବିଦାୟର ରାସ୍ତା ଦେଖାଇବ। ପଞ୍ଜାବ ପାଇଁ ଚିନ୍ତାର ପ୍ରସଙ୍ଗ ପାଲଟିଛି ଏହାର ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍‌ଙ୍କ ଫର୍ମ। ତେବେ କ୍ରିସ୍ ଗେଲ୍‌ ଖେଳିବାର ସୁଯୋଗ ପାଇବା ପରେ ୨ଟି ଭଲ ଇନିଂସ ଖେଳିଛନ୍ତି ଏବଂ ଉଭୟ ମ୍ୟାଚ୍‌ରେ ପଞ୍ଜାବ ବିଜୟୀ ହୋଇଛି। ପଞ୍ଜାବ ନିଶ୍ଚୟ ଚାହିଁବ ଯେ ଗେଲ୍‌ ଆଗକୁ ତାଙ୍କ ବ୍ୟାଟିଂ ଫର୍ମ ଜାରିରଖନ୍ତୁ। ଗ୍ଲେନ୍‌ ମ୍ୟାକ୍ସୱେଲ ଜଣେ ମ୍ୟାଚ୍ ବିଜେତା ହୋଇଥିବା ବେଳେ ତାଙ୍କର ଖରାପ ଫର୍ମ ପଞ୍ଜାବ ଦଳ ମ୍ୟାନେଜମେଣ୍ଟକୁ ଚିନ୍ତାରେ ପକାଇଛି। ପଞ୍ଜାବର ମୁଖ୍ୟ ବଳ ହେଉଛି ଏହାର ଓପ୍‌ନିଂ ଯୋଡ଼ି। ଅଧିନାୟକ କେ.ଏଲ୍‌. ରାହୁଲ ୯ଟି ମ୍ୟାଚ୍‌ରୁ ସର୍ବାଧିକ ୫୨୫ ରନ୍ କରିଥିବା ବେଳେ ମୟଙ୍କ ଅଗ୍ରୱାଲ ୩୯୩ ରନ୍ କରିଛନ୍ତି। ଗତ କିଛି ମ୍ୟାଚ୍‌ରେ ଶିଖର ଧାୱନଙ୍କ ବ୍ୟାଟିଂ ଫର୍ମ ଦିଲ୍ଲୀକୁ ଉତ୍ସାହିତ କରିଛି। ତେବେ ପୃଥ୍ବୀ ସ’ ୱିକେଟ ଫିଙ୍ଗିବା ଦିଲ୍ଲୀ ପାଇଁ ଚିନ୍ତାର ବିଷୟ। ଏହାସହ କାଗିସୋ ରାବାଡ଼ା ଓ ଆନ୍‌ରିଚ ନୋ​‌େ​‌ର୍ଜ୍ୟଙ୍କ ବୋଲିଂ ଫର୍ମ ଯୋଗୁଁ ଦିଲ୍ଲୀ ଚମ୍ପିଆନ୍ ଦଳ ପରି ଖେଳୁଛି। ମଙ୍ଗଳବାର ଆମକୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ନିଶ୍ଚୟ।

Comments are closed.