ପୃଥ୍ୱୀ-ଆୟରଙ୍କ ଅର୍ଦ୍ଧଶତକରେ ଦିଲ୍ଲୀ ବିଜୟୀ

ସାରଜା : ଚଳିତ ଆଇପିଏଲ୍‍ରେ ଶନିବାର ପ୍ରଥମଥର ପାଇଁ ୨ଟି ମ୍ୟାଚ୍‍ ଖେଳା ଯାଇଥିବା ବେଳେ ୨ୟ ମ୍ୟାଚ୍‍ରେ ବିଜୟୀ ହୋଇଛି ଦିଲ୍ଲୀ କ୍ୟାପିଟାଲ୍‍ସ। ଏହି ଅଧିକ ସ୍କୋର୍‍ର ମ୍ୟାଚ୍‍ରେ କଲକାତା ନାଇଟ୍‍ ରାଇଡର୍ସ (କେକେଆର୍‍)କୁ ୧୮ ରନ୍‍ରେ ଦିଲ୍ଲୀ ପରାସ୍ତ କରିଛି। ପୃଥ୍ୱୀ ସ’ ଓ ଅଧିନାୟକ ଶ୍ରେୟାସ ଆୟରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦିଲ୍ଲୀ ରନ୍‍ର ପାହାଡ଼ ଛିଡ଼ା କରିଥିଲା। ଦିଲ୍ଲୀ କ୍ୟାପିଟାଲ୍‍ସ କରିଥିବା ୪ ୱିକେଟରେ ୨୨୮ ରନ୍‍ ଚଳିତ ଆଇପିଏଲ୍‍ରେ ଅଦ୍ୟାବଧି ସର୍ବାଧିକ ଦଳଗତ ସ୍କୋର୍‍। ପୂର୍ବରୁ କିଙ୍ଗ୍‍ସ ଏକାଦଶ ପଞ୍ଜାବ ବିପକ୍ଷରେ ରାଜସ୍ଥାନ ରୟାଲ୍‍ସ ୬ ୱିକେଟରେ ୨୨୬ ରନ୍‍ କରିଥିଲା। କେକେଆର୍‍ ନୀତୀଶ ରାଣାଙ୍କ ଅର୍ଦ୍ଧଶତକ ସତ୍ତ୍ବେ ୮ ୱିକେଟ ହରାଇ ୨୧୦ ରନ୍‍ କରି ପାରିଥିଲା। ଦିଲ୍ଲୀ ୪ର୍ଥ ମ୍ୟାଚ୍‍ରେ ୩ୟ ବିଜୟ ହାସଲ କରିଥିବା ବେଳେ କେକେଆର୍‍ ୪ର୍ଥ ମ୍ୟାଚ୍‍ରେ ୨ୟ ପରାଜୟ ଭୋଗିଛି।
ଟସ୍‍ ଜିତି କଲକାତା ନାଇଟ୍‍ ରାଇଡର୍ସ ଫିଲ୍‍ଡିଂ ନେଇଥିଲା। ଦିଲ୍ଲୀ କ୍ୟାପିଟାଲ୍‍ସର ଦୁଇ ଓପ୍‍ନର ଶିଖର ଧାୱନ୍‍ ଓ ପୃଥ୍ୱୀ ସ’ ଏକ୍ସପ୍ରେସ୍‍ ଗତିରେ ଇନିଂସ ଆରମ୍ଭ କରିଥିଲେ। ଧାୱନ୍‍ ୧୬ ବଲ୍‍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୬ ରନ୍‍କରି ଆଉଟ ହୋଇଥିଲେ। ଅନ୍ୟ ଓପ୍‍ନର ପୃଥ୍ୱୀ ସ’ ଓ ଅଧିନାୟକ ଶେୟାୟ ଆୟର ମଧ୍ୟ ରନ୍‍ଭୋଜିରେ ମାତିଥିଲେ। ୨ୟ ୱିକେଟ ପାଇଁ ପୃଥ୍ୱୀ-ଆୟର ୭ ଓଭରରେ ୭୩ ରନ୍‍ ଯୋଗ କରିଥିଲେ। ୩୫ ବଲ୍‍ରୁ ପୃଥ୍ୱୀ ଏକ ବିସ୍ଫୋରକ ଅର୍ଦ୍ଧଶତକ ପୂରଣ କରିବା ପରେ ଆଉଟ ହୋଇଥିଲେ। ପୃଥ୍ୱୀ ୪୧ ବଲ୍‍ରୁ ୪ଟି ଲେଖାଏଁ ଛକା ଓ ଚୌକା ସହ ୬୬ ରନ୍‍ କରିଥିଲେ। ଶେୟାସ ଆୟରଙ୍କ ସହ ୫ ଓଭରରେ ଦ୍ରୁତ ୭୨ ରନ୍‍ର ୩ୟ ୱିକେଟ ଭାଗିଦାରୀ ପରେ ଋଷଭ ପନ୍ତ୍‍ ଆଉଟ ହୋଇ ଯାଇଥିଲେ। ଏହି ବାମହାତି ୧୭ ବଲ୍‍ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୬ ରନ୍‍ କରିଥିଲେ। ଶ୍ରେୟାସ ଆୟର ବିଧ୍ୱଂସୀ ଇନିଂସ ଖେଳି ୩୮ ବଲ୍‍ରୁ ୬ଟି ଛକା ଓ ୭ଟି ଚୌକା ସହ ୮୮ ରନ୍‍କରି ଅପରାଜିତ ଥିଲେ। ଆନ୍ଦ୍ରେ ରସେଲ ୨ଟି ୱିକେଟ ନେଇଥିଲେ। ଶେଷ ୫ ଓଭରରୁ ଦିଲ୍ଲୀ ୭୭ ରନ୍‍ ନେଇଥିଲା।
୨୨୯ ରନ୍‍ର ଆଇପିଏଲ୍‍ ରେକର୍ଡ ସ୍କୋର୍‍ର ପିଛାକରି କଲକାତା ନାଇଟ୍‍ ରାଇଡର୍ସ ସହଳ ଏକ ୱିକେଟ ହରାଇଥିଲା। ସୁନୀଲ ନାରାୟଣ ୩ ରନ୍‍କରି ଆଉଟ ହୋଇଥିଲେ। ପରେ ଶୁବ୍‍ମାନ ଗିଲ୍‍ ଓ ନୀତୀଶ ରାଣା ଆକ୍ରମଣ କରି ୨ୟ ୱିକେଟ ପାଇଁ ୪୧ ବଲ୍‍ରେ ୬୮ ରନ୍‍ ଯୋଗ କରିଥିଲେ। ଶୁବ୍‍ମାନ ୨୨ ବଲ୍‍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୮ ରନ୍‍କରି ଆଉଟ ହୋଇଥିଲେ। ରନ୍‍ଗତି ବଢ଼ାଇବା ପାଇଁ କେକେଆର୍‍ ଆନ୍ଦ୍ରେ ରସେଲ୍‍ଙ୍କୁ ୪ନଂରେ ବ୍ୟାଟିଂ ପଠାଇବା ରଣନୀତି ବିଫଳ ହୋଇଥିଲା। ରସେଲ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୩ ରନ୍‍ କରିଥିଲେ। ଚମତ୍କାର ଇନିଂସ ଖେଳିଥିବା ବାମହାତି ନୀତୀଶ ରାଣା ୩୨ ବଲ୍‍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ୩୫ ବଲ୍‍ରୁ ୪ଟି ଲେଖାଏଁ ଛକା ଓ ଚୌକା ସହ ୫୮ ରନ୍‍କରି ନୀତୀଶ ରାଣା ଆଉଟ ହୋଇଥିଲେ। ପରବର୍ତ୍ତୀ ବଲ୍‍ରେ ଅଧିନାୟକ ଦିନେଶ କାର୍ତ୍ତିକ ୬ ରନ୍‍କରି ଆଉଟ ହୋଇଥିଲେ। ଶେଷ ୪ ଓଭରରୁ ୭୮ ରନ୍‍ ଆବଶ୍ୟକ ଥିବା ବେଳେ ଇଓନ୍‍ ମୋର୍ଗାନ୍‍ ଓ ରାହୁଲ ତ୍ରିପାଠୀ ଆକ୍ରମଣ ଆରମ୍ଭ କରିଥିଲେ। ଫଳରେ ପରବର୍ତ୍ତୀ ୨ ଓଭରରୁ ୪୭ ରନ୍‍ ଆସିଥିଲା। ୧୦ ବଲ୍‍ରୁ ୨୯ ରନ୍‍ ଆବଶ୍ୟକ ଥିବା ବେଳେ ମୋର୍ଗାନ୍‍ ଆଉଟ ହୋଇ ଯାଇଥିଲେ। ମୋର୍ଗାନ୍‍ ୧୮ ବଲ୍‍ରୁ ୫ଟି ଛକା ଓ ଗୋଟିଏ ଚୌକା ସହ ୪୪ ରନ୍‍ କରିଥିଲେ। ବିସ୍ଫୋରକ ବ୍ୟାଟିଂ କରିଥିବା ରାହୁଲ ତ୍ରିପାଠୀ ୧୬ ବଲ୍‍ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୩୬ ରନ୍‍କରି ଆଉଟ ହେବା ସହ କେକେଆର୍‍ର ବିଜୟ ଆଶା ମଉଳି ଯାଇଥିଲା। ଆନ୍‍ରିଚ ନୋର୍ଜ୍ୟେ ୩ଟି ଓ ହର୍ଷଲ ପଟେଲ ୨ଟି ୱିକେଟ ନେଇଥିଲେ।

Comments are closed.