ମଣିଷକୁ ସଂକ୍ରମିତ କରୁଛି ସାର୍ସ କୋଭ-୨ ଭୂତାଣୁ, ଅନୁଧ୍ୟାନ ଓ ଅନୁଶୀଳନ ପରେ ଉପଯୁକ୍ତ ଟିକା ଏବଂ ଔଷଧ ବିକାଶିତ କରି ହେବ:ଆଇଏଲ୍‌ଏସ

ଡିବିଟି-ଆଇଏଲ୍‌ଏସ୍ ପକ୍ଷରୁ ‘ଆନିମଲ ଚ୍ୟାଲେଞ୍ଜ’ ଷ୍ଟଡି ଷ୍ଟାର୍ଟଫର୍ମ ପ୍ରତିଷ୍ଠା

ଭୁବନେଶ୍ବର: କୋଭିଡ-୧୯ ଦ୍ୱାରା ସୃଷ୍ଟି ହୋଇଥିବା କରୋନା ମହାମାରୀର ସଫଳ ଚିକିତ୍ସା ଓ ନିରାକରଣ ପାଇଁ ବୈଜ୍ଞାନିକ ଓ ଚିକିତ୍ସାବିଜ୍ଞାନୀ ସମୁଦାୟ ସକ୍ରିୟତାର ସହିତ କାର୍ୟ୍ୟ କରୁଛନ୍ତି। ମଣିଷଙ୍କୁ ଏହି କରୋନା ଭୂତାଣୁରୁ ସୁରକ୍ଷିତ କରିବାର ବଡ ରଣନୀତି ହେଲା ସଫଳ ଟିକା ଓ ଚିକିତ୍ସା ବ୍ୟବସ୍ଥାର ବିକାଶ କରିବା। ଏବେ ବିଭିନ୍ନ କ୍ଲିନିକାଲ (ଡାକ୍ତରୀ) ପରୀକ୍ଷଣ ଚାଲିଥିବାବେଳେ ସମାନ୍ତରାଳ ଭାବେ ପରୀକ୍ଷାଗାରରେ ଇନ୍ ଭିଟ୍ରୋ ମଡେଲ ଓ ଅର୍ଗାନିଜିମ୍‌ର ଆଦର୍ଶ ପ୍ରି-କ୍ଲିନିକାଲ ପରୀକ୍ଷା ନିରୀକ୍ଷାର ଆବଶ୍ୟକତା ରହିଛି। ଉଭୟ ଭୂତାଣୁ ଏବଂ ଏଥିପାଇଁ ନିୟୋଜିତ ଉପାଦାନ (ଥେରାପେଟିକ୍ ଏଜେଣ୍ଟ)ଙ୍କ ଦକ୍ଷତା ଓ ନିରାପତ୍ତାକୁ ବୁଝିବା ଓ ଅନୁଧ୍ୟାନ କରିବାର ବିଶେଷ ଆବଶ୍ୟକତା ରହିଛି ବୋଲି ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲ୍‌ଏସ) ପକ୍ଷରୁ ସୂଚନା ଦିଆଯାଇଛି।
ପକ୍ଷୀଙ୍କ ଦ୍ୱାରା ସାର୍ସ ଜାତୀୟ ଭୂତାଣୁ ସହିତ ପ୍ରାଣୀଙ୍କ ଠାରୁ ସୃଷ୍ଟି ହେଉଥିବା ସଂକ୍ରମଣକାରୀ ଭୂତାଣୁଙ୍କର ଯଥେଷ୍ଟ ସାମଞ୍ଜସ୍ୟ ରହିଛି। ସାର୍ସ କୋଭ-୨ ଭୂତାଣୁ ମଣିଷକୁ ସଂକ୍ରମିତ କରୁଛି। ଏହି ପ୍ରାଣୀ (ଆନିମଲ) ମଡେଲକୁ ଅନୁଧ୍ୟାନ ଓ ଅନୁଶୀଳନ କରି ଉପଯୁକ୍ତ ଟିକା ଏବଂ ଔଷଧ ବିକାଶିତ କରି ହେବ। ମୂଷା, ସିରିୟାନ ହାମଷ୍ଟର ଭଳି କ୍ଷୁଦ୍ର କ୍ଷୁଦ୍ର ପ୍ରାଣୀଙ୍କୁ ସାର୍ସ-କୋଭ-୨ (ସାମ୍ପ୍ରତିକ କରୋନା) ପରୀକ୍ଷାରେ ବ୍ୟବହାର କରିବାରେ ସୁବିଧା ହେଉଛି । ଏହି ଜାତୀୟ ପ୍ରାଣୀ, ମଣିଷ ଶରୀରରେ ବିଶ୍ୱସନୀୟଭାବେ ଏବଂ ତ୍ୱରିତ ବେଗରେ କୋଭିଡ-୧୯ର ନିଦାନ ପ୍ରକ୍ରିୟାକୁ ସମ୍ପନ୍ନ କରିଥାନ୍ତି। ଏବେ ଉପଲବ୍ଧ ହେଉଥିବା ବିଭିନ୍ନ ଆନିମଲ ମଡେଲ ମଧ୍ୟରୁ ହାମଷ୍ଟାରଙ୍କୁ ସାର୍ସ-କୋଭ-୨ ସଂକ୍ରମଣ ଅନୁଧ୍ୟାନ କରିବାକୁ ଅଧିକ ବ୍ୟବହାର କରାଯାଉଛି। ଏହା ମଣିଷକୁ ସଂକ୍ରମଣରୁ ମୁକ୍ତ କରିବାରେ ଅଧିକ ସହାୟକ ହେଉଛି। ଏହା ଏକ ସହଜ ମଡେଲ।

 

ଏହିସବୁ ପ୍ରାଣୀଙ୍କ ଉପରେ ପରୀକ୍ଷାନିରୀକ୍ଷା କରୁଥବା ଲୋକଙ୍କର ବହୁବିଧ ଜ୍ଞାନ ଓ ବିଶେଷତ୍ୱ ଦରକାର। ସେମାନେ ଏହି ପରୀକ୍ଷା ସ୍ୱତନ୍ତ୍ର ଆନିମଲ ବାୟୋ ସେଫ୍ଟି ଲେବଲ-୩ସ୍ତରର ଲାବରେଟୋରୀରେ ଏସବୁ ପରୀକ୍ଷା କରିବା ଉଚିତ। ଏହି ଲ୍ୟାବ ‘ଏବିଏସଏଲ-୩’ନାମରେ ପରିଚିତ। ଏହି ଆବଶ୍ୟତକାର ଗୁରୁତ୍ୱ ଉପଲବ୍ଧି କରି ଭୁବନେଶ୍ୱରସ୍ଥିତ ଜୀବବିଜ୍ଞାନ ପ୍ରତିଷ୍ଠାନ (ଭାରତ ସରକାରଙ୍କ ଜୈବପ୍ରଯୁକ୍ତି ବିଭାଗର ଏକ ସ୍ୱଂୟଶାସିତ ଗବେଷଣା ପ୍ରତିଷ୍ଠାନ) ଆଣ୍ଟିଭାଇରାଲ ଓ ଟିକା ବିକାଶିତ କରିବା ପାଇଁ ଏହି ଆନିମାଲ ମଡେଲ ଓ ଏକ ଏବିଏସ୍‌ଏଲ୍ -୩ ଲ୍ୟାବ ପ୍ରତିଷ୍ଠା କରିଛି। ଆଇଏଲ୍‌ଏସ୍‌ରେ ତିଆରି ହୋଇଥିବା ଏହି ପ୍ଲାଟଫର୍ମ ମିଶନ କୋଭିଡ ସୁରକ୍ଷା କାର୍ଯ୍ୟକ୍ରମରେ ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାଣ୍ଟ କାଉନସିଲ ବା ବିଆଇଏଆରସି ଦ୍ୱାରା କରାଯାଇଛି। ଏହି ପ୍ରତିଷ୍ଠାନର କୋଭିଡ-୧୯ ଗବେଷକ ଦଳ ନିକଟରେ ଏକ ହାମଷ୍ଟର ମଡେଲ ବିକଶିତ କରିଛନ୍ତି। ଏଥିରେ ସ୍ଥାନୀୟ ଏକ ଭୂତାଣୁକୁ ବ୍ୟବହାର କରାଯାଇଛି ଯାହା ଆଇଏଲ୍‌ଏସ୍ ଦ୍ୱାରା କଲଚର ପଦ୍ଧତିରେ ବିଶେଷଭାବେ ସୃଷ୍ଟି କରାଯାଇଛି। ଏହି ଅନୁଷ୍ଠାନରେ କରାଯାଇଥିବା ପ୍ରୋଟୋମିକ୍ ଅନୁଧ୍ୟାନରୁ ଜଣାପଡିଛି ଯେ ହାମ୍‌ଷ୍ଟରର କୋଭିଡ ସଂକ୍ରମଣ ମଣିଷ ପ୍ରକ୍ରିୟା ସଂକ୍ରମଣ ସହ ସମାନ। ପାଥୋଫିଜିଓଲୋଜିକାଲ କୋଭିଡ ସଂକ୍ରମଣ ସ୍ଥିତି କରୋନାର ଆକ୍ରାନ୍ତ ମଣିଷଙ୍କ ସହ ଏକାଭଳି। ଏଥିରୁ ପ୍ରମାଣିତ ହେଉଛି ଯେ କୋଭିଡ-୧୯ ଗବେଷଣାର ଏହି ମଡେଲର ଯଥେଷ୍ଟ ଗୁରୁତ୍ୱ ରହିଛି। ଏହି ଗବେଷଣାର ତଥ୍ୟ ଆମେରିକାର ପ୍ରତିଷ୍ଠିତ ପତ୍ରିକା ‘ଫାସେବ’ରେ ପ୍ରକାଶିତ ହୋଇଛି । ଆଇଏଲଏସ୍ ପ୍ଲାଟଫର୍ମକୁ ବ୍ୟବହାର କରୁଥିବା ଏବଂ କରିବାକୁ ଥିବା ସଂସ୍ଥାମାନଙ୍କ ମଧ୍ୟରେ ଅଛନ୍ତି-ମୁମ୍ବାଇର ଏନ୍‌ଆଇଆରଆରଏଚ, ଆଇଆଇଟି ଇନ୍ଦୋର, ବାଙ୍ଗାଲୋରର ଏନ୍‌ସିବିଏସ୍‌-ଇନଷ୍ଟେମ୍‌, ପୁଣେର ଏନ୍‌ସିଏଲ୍ ଏବଂ ମୋହାଲିର ସିଆଇଏବି ଇତ୍ୟାଦି ରହିଛି।
ଡ.ଶଶିଭୂଷଣ ସେନାପତି ଓ ଡ. ଗୁଲାମ ସୟଦଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଗବେଷଣା କରିଛି । ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦେଶକ ଡ.ଅଜୟ ପରିଡା କହିଛନ୍ତି ଯେ ଏହି ଆନିମାଲ ମଡେଲ ଓ ଏବିଏସ୍‌ଏଲ୍ ୩ ସୁବିଧା ସାଂପ୍ରତିକ କରୋନା ଟିକା ଓ ଔଷଧର ବିକାଶ ଏବଂ ପରୀକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏହି କାମକୁ ଆହୁରି ବଢାଇବାକୁ ପ୍ରତିଷ୍ଠାନ ପକ୍ଷରୁ ଟ୍ରାନ୍ସଜେନିକ ମାଇସ୍ କଲୋନୀ ତିଆରି କରାଯାଇଛି । ଏହି ସୁବିଧା ସେବା ପାଇଁ ମୁକ୍ତ ଭିତ୍ତିରେ କିମ୍ବା ଅଂଶୀଦାରୀରେ ଉପଲବ୍ଧ ହେବ । ଦେଶ ବିଦେଶର ଗବେଷକ ଓ ଶିକ୍ଷାବିତ୍ ଓ ଷ୍ଟାଟଅପ୍‌ମାନେ ଏହାର ସୁଯୋଗ ଲାଭ କରିପାରିବେ ବୋଲି ଡ.ଅଜୟ ପରିକ୍ଷା ପ୍ରକାଶ କରିଛନ୍ତି।

Comments are closed.