ଦୟା ଓ ଭାର୍ଗବୀ ବିପଦ ସଙ୍କେତ ଉପରେ

ପିପିଲି : ହୀରାକୁଦରୁ ବନ୍ୟାଜଳ ନିର୍ଗତ ଫଳରେ ପିପିଲି ଦେଇ ପ୍ରବାହିତ ଦୟା ଓ ଭାର୍ଗବୀ ନଦୀରେ ଆଜି ବନ୍ୟା ଜଳ ବୃଦ୍ଧି ପାଇବା ସହ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆସନ୍ତାକାଲି ସୁଦ୍ଧା ଏହା ଆହୁରି ବଢିବାର ସମ୍ଭାବନା ରହିଥିବା ସୂଚନା ମିଳିଛି। ଦୟାନଦୀର କଣ୍ଟିଠାରେ ବିପଦ ସଙ୍କେତ ୧୦.୨୫ ମିଟର ରହିଥିବା ବେଳେ ସନ୍ଧ୍ୟା ୭ଟା ସୁଦ୍ଧା ୧୦.୬୦ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ କଣ୍ଟି ଠାରେ ଥିବା କାଜରୁ ବନ୍ୟାଜଳ ନିର୍ଗତ ହେଉଥିବା ସୂଚନା ମିଳିଥିବା ବେଳେ ଏଥିଯୋଗୁଁ ପିପିଲି, ଡେଲାଙ୍ଗ ଓ କଣାସ ବ୍ଲକର ଚାଷଜମି ଜଳମଗ୍ନ ହେବାର ଆଶଙ୍କା ରହିଛି। ସେହିପରି ଦୟାନଦୀର ମାଧିପୁର ଠାରେ ବିପଦ ସଙ୍କେତ ୧୧.୪୦୫ ମିଟର ରହିଥିବା ବେଳେ ସେଠାରେ ସଂନ୍ଧ୍ୟା ୭ଟା ସୁଦ୍ଧା ବନ୍ୟାଜଳ ୧୧.୩୯ ମିଟର ଉଚ୍ଚତାରେ ପ୍ରବାହିତ ହେଉଥିବା ସଂପର୍କରେ କଣ୍ଟି ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ମାଧବ ଚନ୍ଦ୍ର ଷଡଙ୍ଗୀ ସୂଚନା ଦେଇଛନ୍ତି। ସେହିପରି ଭାର୍ଗବୀ ନଦୀର ହରିପୁର ଠାରେ ବିପଦ ସଙ୍କେତ ୧୨.୦୯୫ ମିଟର ରହିଥିବାବେଳେ ଅପରାହ୍ନ ୪ଟା ସୁଦ୍ଧା ୧୨.୩୧୫ ମିଟର ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଥିବା ସୂଚନା ମିଳିଛି। ତେବେ ଜଳସେଚନ ବିଭାଗ ପକ୍ଷରୁ ନଦୀବନ୍ଧ ଉପରେ ୨୪ ଘଣ୍ଟିଆ ସତର୍କ ଦୃଷ୍ଟି ରଖାଯାଇଥିବା ସୂଚନା ମିଳିଛି। ଉଭୟ ନଦୀର କେତେକ ସ୍ଥାନରେ ନଦୀପଠାରେ ଥିବା ବିଭିନ୍ନ ମନ୍ଦିର ବେଢାରେ ବନ୍ୟାଜଳ ପ୍ରବେଶ କରିଥିବା ସୂଚନା ମିଳିଛି।

Comments are closed.