ଦିନକ ପରେ ଦୀପାବଳି, ବଜାରରେ ପସରା ମେଲିଛି କାଉଁରୀଆ କାଠ ସାଂଗକୁ ରଙ୍ଗବେରଙ୍ଗର ଆଲୋକମାଳା

ବାଙ୍କୀ : ଦିନକପରେ ପବିତ୍ର କାର୍ତ୍ତିକ ମାସର ବଡ଼ପର୍ବ ଦୀପାବଳି ପାଳିତ ହେବାକୁ ଯାଉଛି । ଚାରିଆଡେ ସାଜସଜ୍ଜା ଦେଖିବାକୁ ମିଳିଲାଣି । ପରମ୍ପରା ଅନୁଯାୟୀ ପିତୃପୁରୁଷଙ୍କୁ କାର୍ତ୍ତିକ ମାସ ଅମାବାସ୍ୟାରେ ପିଣ୍ଡଦାନ କରିବାକୁ ବିଧି ବ୍ୟବସ୍ଥା ରହିଆସିଛି । ପୂର୍ବପୁରୁଷଙ୍କୁ ଆଲୋକଦାନ କରି ପୂଣ୍ୟଅର୍ଜନ କରିବା ପାଇଁ ଓଡ଼ିଆ ପରମ୍ପରା ପ୍ରଚଳିତ ହୋଇ ଆସୁଥିବା ବେଳେ ବଜାରରେ ପସରା ମେଲିଛି କାଉଁରୀଆ କାଠି । ବାଙ୍କୀର ଅନେକ ଅଞ୍ଚଳରେ ଲଲୀତା ଚାଷ କରାଯାଉଥିବା ବେଳେ ଚଳିତ ବର୍ଷ ବନ୍ୟାରେ ଅନେକ ସ୍ଥାନରେ ଗଛଗୁଡିକ ନଷ୍ଟ ହୋଇଯାଇଛି । ତଥାପି ବାଙ୍କୀ ବଜାରରେ କାଉଁରୀଆ କାଠିର ଚାହିଦା ଆଶା ଠାରୁ ଅଧିକ ଦେଖିବାକୁ ମିଳୁଛି । ବିଭିନ୍ନ ଛକରେ ବେପାରୀମାନେ କାଉଁରୀଆ ବିଡା ଧରି ବିକ୍ରି କରୁଥିବା ବେଳେ ବିଡା ୧୦ ଟଙ୍କା ଦରରେ ବିକ୍ରି ହେଉଥିବା ଦେଖାଯାଉଛି । ଏଥି ସହିତ ଚଳିତ ବର୍ଷ ବାଣ ଫୁଟାକୁ ସରକାରଙ୍କ ତରଫରୁ ନିଷେଧ କରାଯାଇଥିବା ବେଳେ ବଜାରରେ ରଙ୍ଗବେରଙ୍ଗ ଆଲୋକମାଳା ସହିତ ବିଭିନ୍ନ ଆକୃତିର ମହମବତୀର ଚାହିଦା ଦେଖିବାକୁ ମିଳୁଛି । ବିଭିନ୍ନ ଦୋକାନ ବଜାରରେ ଭିନ୍ନ ଭିନ୍ନ ରକମର ମହମବତୀ ଏବଂ ଅତ୍ୟାଧୁନିକ ରଙ୍ଗିନ୍ ଆଲୋକର ପସରା ଦେଖିବାକୁ ମିଳୁଥିବା ବେଳେ ଗ୍ରାହାକମାନେ ମଧ୍ୟ ଏଗୁଡିକୁ ର୍ନିଦ୍ୱନ୍ଦରେ କିଣୁଥିବା ଦେଖିବାକୁ ମିଳୁଛି । ଏଥି ସହିତ ମାଟି ଦୀପର ଚାହିଦା ସାମାନ୍ୟ ତମ ଫିକା ପଡିଥିବା ବେଳେ ଜନସାଧାରଣମାନେ ମଧ୍ୟ ଏହାକୁ କ୍ରୟ କରୁଥିବା ଦେଖାଯାଉଛି । ମାଟି , ଚିନାମାଟିରେ ତିଆରି ସୁନ୍ଦର ସୁନ୍ଦର ରକମର ଛୋଟ ଠାରୁ ଆରମ୍ଭ କରି ବଡ଼ ଦୀପ ଯାଏଁ ଉପଲବ୍ଧ ହେଉଥିବା ବେଳେ ଗ୍ରାହାକମାନେ ମଧ୍ୟ ଏଗୁଡିକୁ କିଣୁଥିବା ଦେଖାଯାଇଛି । ଏଥି ସହିତ ବାଣଫୁଟା ଚଳିତ ବର୍ଷ ବନ୍ଦ ଥିବା ବେଳେ ଆକାଶ ଦୀପର ଚାହିଦା ବଢ଼ିଥିବା ଦେଖାଯାଇଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଦୀପ , ମହମବତୀ, ଆକାଶଦୀପ କିଣୁଥିବା ଦେଖାଯାଉଛି । କୋଭିଡ କଟକଣାକୁ ମାନି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ବାଙ୍କୀରେ ଚଳିତ ବର୍ଷ ବାଣ ବେପାରୁକ ବେପାରୀମାନେ ବନ୍ଦ ରଖିଥିବା ବେଳେ ଦୀପାବଳି ଅମାବାସ୍ୟା ପାଇଁ ସମସ୍ତ ପିଣ୍ଡଦାନ ଉପକରଣ ବଜାରରେ ଉପଲବ୍ଧ ହେଉଥିବା ଦେଖାଯାଇଛି ।

Comments are closed.