ହାଫିଜ ଓ ଦାଉଦ୍‍ଙ୍କୁ ନିପାତରେ ଭାରତକୁ ସାହାଯ୍ୟ କରିବ ଆମେରିକା

0

ନୂଆଦିଲ୍ଲୀ : ଭାରତ ଓ ଆମେରିକା ମିଶି ୨୬/୧୧ ମୁମ୍ବଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‍ ସୟିଦ ଏବଂ ମୁମ୍ବଇ ସିରିଆଲ ବ୍ଲାଷ୍ଟର ମାଷ୍ଟରମାଇଣ୍ଡ ତଥା ଅଣ୍ଡରୱାର୍ଲ୍ଡ ଡନ୍‍ ଦାଉଦ୍‍ ଇବ୍ରାହିମଙ୍କୁ ନିପାତ କରିବା ପାଇଁ ପଣ କରିଛନ୍ତି। ନୂଆଦିଲ୍ଲୀଠାରେ ଭାରତ ଓ ଆମେରିକା ମଧ୍ୟରେ ଗୁରୁବାର ‘୨+୨’ ଆଲୋଚନା କାଳରେ ଦାଉଦ ଏବଂ ହାଫିଜ୍‍ କଥା ଉଠିଥିଲା। ଏଥିରେ ଏହି ଦୁଇ କୁଖ୍ୟାତ ଆତଙ୍କବାଦୀଙ୍କୁ ନିପାତ କରିବାରେ ଭାରତକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଆମେରିକା ରାଜି ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ଆମେରିକା ଦାଉଦ ଇବ୍ରାହିମ ଓ ହାଫିଜ ସୟିଦଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ବୋଲି ଘୋଷଣା କରିଛି। ଆମେରିକା ଦାଉଦ ଓ ହାଫିଜ ମୁଣ୍ଡ ଉପରେ ଯଥାକ୍ରମେ ୨୦ ନିୟୁତ ଏବଂ ୧୦ ନିୟୁତ ଡଲାର ପୁରଷ୍କାର ରାଶି ରଖିଛି। ଦାଉଦ ଇବ୍ରାହିମ ୧୯୯୩ ମୁମ୍ବଇ ସିରିଆଲ ବ୍ଲାଷ୍ଟର ମାଷ୍ଟରମାଇଣ୍ଡ ଥିଲାବେଳେ ୨୦୦୮ ମୁମ୍ବଇ ଆକ୍ରମଣ ମାଷ୍ଟରମାଇଣ୍ଡ ଥିଲା ହାଫିଜ। ପାକିସ୍ତାନ ଏହି ଦୁଇ ଆତଙ୍କବାଦୀଙ୍କୁ ଘଣ୍ଟ ଘୋଡ଼ାଇ ରଖିଛି। ଭାରତର ବାରମ୍ବାର ତାଗିଦ୍‍ ଏବଂ ଧମକ ପରେ ବି ପାକିସ୍ତାନ ଏହି ଆତଙ୍କବାଦୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ। ହାଫିଜ୍‍ ସେଠାରେ ଖୋଲାରେ ବିଚରଣ କରୁଛନ୍ତି ଓ ଭାରତ ବିରୋଧୀ ଭାଷଣ ଦେଉଛି।

ଏହି କ୍ରମରେ ପାକିସ୍ତାନ ଭୂମିରେ ପରିଚାଳିତ ସମସ୍ତ ଆତଙ୍କବାଦୀ ସଂଗଠନକୁ ବନ୍ଦ କରିବା ପାଇଁ ଆମେରିକା ଚେଷ୍ଟା କରିବ ବୋଲି କହିଛି। ଆଲୋଚନା କାଳରେ ଆମେରିକାର ପ୍ରତିରକ୍ଷା ସଚିବ ଜେମ୍‍ସ ମାଟ୍ଟିସ୍‍ ଏବଂ ବୈଦେଶିକ ସଚିବ ମାଇକ୍‍ ପୋମ୍ପେଓ ପାକିସ୍ତାନ ଦ୍ୱାରା ଆତଙ୍କବାଦୀର ପ୍ରସାର ଓ ପ୍ରୋତ୍ସାହନକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଆତଙ୍କବାଦୀଙ୍କ ଦମନରେ ଆମେରିକାର ସହଯୋଗର ହାତକୁ ଭାରତ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସ୍ୱାଗତ କରିଛନ୍ତି। ଭାରତ ଓ ଆମେରିକା ମିଶି ସୀମା ପାର ଆତଙ୍କବାଦ ବିରୋଧରେ ଲଢେଇ କରିବେ ଓ ଦକ୍ଷିଣ ଏସିଆରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ଚେଷ୍ଟା କରିବେ ବୋଲି ଆଲୋଚନା ପରେ ସେମାନେ ମତବ୍ୟକ୍ତ କରିଛନ୍ତି।

Leave A Reply