ଡାଭୋଲକରଙ୍କ ହତ୍ୟାରେ ବ୍ୟବହୃତ ପିସ୍ତଲ ଜବତ

0

ଔରଙ୍ଗାବାଦ : ଅନ୍ଧ ବିଶ୍ୱାସ ବିରୋଧରେ ପ୍ରଚାର କରୁଥିବା ଯୁକ୍ତିବାଦୀ ନରେନ୍ଦ୍ର ଡାଭୋଲକରଙ୍କୁ ହତ୍ୟା ପାଇଁ ବ୍ୟବହୃତ ହୋଇଥିବା ଏକ ଦେଶୀ ପିସ୍ତଲକୁ ସିବିଆଇ ଜବତ କରିଛି। ଗିରଫ ଅଭିଯୁକ୍ତ ପ୍ରକାଶରାଓ ଆଣ୍ଡୁରେଙ୍କ ବୟାନ ଆଧାରରେ ସିବିଆଇ ୭.୬୫ ବୋର ପିସ୍ତଲ, ତିନିଟ ଅଫୁଟା ଗୁଳି ଓ ଗୋଟିଏ ଖୁକ୍ରି ଜବତ କରିଛି। ପ୍ରକାଶରାଓର ଦୁଇ ବନ୍ଧୁ ଓ ଜଣେ ସମ୍ପର୍କୀୟଙ୍କ ଘରୁ ଏହାକୁ ମଙ୍ଗଳବାର ଜବତ କରାଯାଇଛି। ଜବତ ପିସ୍ତଲ ଡାଭୋଲକରଙ୍କ ହତ୍ୟାରେ ବ୍ୟବହୃତ ହୋଇଥିଲା କି ନାହିଁ ତାହା ଜାଣିବା ପାଇଁ ଏହାକୁ ବାଲିଷ୍ଟିକ ପରୀକ୍ଷା ପାଇଁ ପଠାଯାଇଛି। ଅଗଷ୍ଟ ୧୮ରେ ପ୍ରକାଶରାଓକୁ ସିବିଆଇ ଗିରଫ କରିଥିଲା। ୨୦୧୩ ଅଗଷ୍ଟ ୨୦ରେ ଡାଭୋଲକରଙ୍କୁ ପୁଣେରେ ଗୁଳିକରି ହତ୍ୟା କରାଯାଇଥିଲା। ଡାଭୋଲକରଙ୍କ ଉପରକୁ ଗୁଳି କରିଥିବା ଅଭିଯୁକ୍ତଙ୍କ ମଧ୍ୟରୁ ପ୍ରକାଶରାଓ ଅନ୍ୟତମ ବୋଲି କୁହାଯାଇଛି। ଏହି ଘଟଣାରେ ପ୍ରକାଶରାଓଙ୍କ ଦୁଇ ବନ୍ଧୁ ଓ ଜଣେ ସମ୍ପର୍କୀୟଙ୍କୁ ମଧ୍ୟ ଗିରଫ କରାଯାଇଛି। ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ତିନିଜଣଙ୍କୁ ଗିରଫ କରାଯାଇଛି। ମହାରାଷ୍ଟ୍ର ପୁଲିସର ଆତଙ୍କବାଦ ନିରୋଧ ସ୍କ୍ୱାଡ (ଏଟିଏସ୍‍)ର ସୂଚନା ଆଧାରରେ ଏହି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

Leave A Reply