ଆତଙ୍କବାଦୀଙ୍କ ସହଯୋଗୀ ଡିଏସ୍‌ପି ଦେବିନ୍ଦର ନିଲମ୍ବିତ

ବହିଷ୍କାର ପାଇଁ ସୁପାରିସ, ଏନ୍‌ଆଇଏକୁ ତଦନ୍ତ ଭାର

ଶ୍ରୀନଗର : ଆତଙ୍କବାଦୀଙ୍କୁ ସହାୟତା କରିବା ସମୟରେ ଗିରଫ ହୋଇଥିବା ଜାମ୍ମୁ-କାଶ୍ମୀର ପୁଲିସର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ (ଡିଏସପି) ଦେବିନ୍ଦର ସିଂହଙ୍କୁ ବୁଧବାର ଚାକିରିରୁ ନିଲମ୍ବନ କରାଯାଇଛି। ଦେବିନ୍ଦରଙ୍କ ନିଲମ୍ବନ ସମ୍ପର୍କରେ ଜାମ୍ମୁ-କାଶ୍ମୀର ପୁଲିସ ମହାନିର୍ଦେଶକ (ଡିଜିପି) ଦିଲବାଗ ସିଂହ ନିର୍ଦେଶନାମା ଜାରି କରିଛନ୍ତି। ଏହା ସହିତ ତାଙ୍କୁ ଚାକିରିରୁ ବହିଷ୍କାର କରିବା ଲାଗି ଡିଜିପି ଜାମ୍ମୁ-କାଶ୍ମୀର ସରକାରଙ୍କୁ ସୁପାରିସ କରିଛନ୍ତି। ଶନିବାର ଜାନୁଆରୀ ୧୧ ତାରିଖରେ ଦେବିନ୍ଦରଙ୍କୁ ହିଜବୁଲ ମୁଜାହିଦ୍ଦିନର ଦୁଇ ଆତଙ୍କବାଦୀ ସୟଦ ନଭିଦ ମୁସ୍ତାକ ଓ ରଫି ରାଠୋରଙ୍କ ସହିତ ଗିରଫ କରାଯାଇଥିଲା। ଦେବିନ୍ଦର ଦୁଇ ଆତଙ୍କବାଦୀଙ୍କୁ ନିଜ କାର୍‌ରେ ବସାଇ ନେବା ସମୟରେ ପୁଲିସ ହାତରେ ଧରାପଡିଥିଲେ। ଆତଙ୍କବାଦୀ ଦ୍ବୟଙ୍କୁ ବନିହାଲ ସୁଡଙ୍ଗ ଅତିକ୍ରମ କରାଇଦେବା ଲାଗି ଦେବିନ୍ଦର ସେମାନଙ୍କୁ ନିଜ କାର୍‌ରେ ବସାଇ ନେଉଥିଲେ। ଏଥିପାଇଁ ଆତଙ୍କବାଦୀମାନେ ତାଙ୍କୁ ୧୨ଲକ୍ଷ ଟଙ୍କା ଦେଇଥିଲେ। ତେବେ ସୁଡଙ୍ଗ ପାର ହେବା ପୂର୍ବରୁ ପୁଲିସ ହାତରେ ଧରାପଡିଥିଲେ। ଦେବିନ୍ଦର ଆତଙ୍କବାଦୀଙ୍କ ସହ ସମ୍ପୃକ୍ତି ଘଟଣାର ତଦନ୍ତ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ)କୁ ହସ୍ତାନ୍ତର କରାଯାଇଛି। ଏନଆଇଏର ୬ଜଣିଆ ଟିମ୍ ତାଙ୍କୁ ନିୟମିତ ଜେରା କରିଚାଲିଛନ୍ତି। ଏହା ସହିତ ଗୁଇନ୍ଦା ବ୍ୟୁରୋ ଓ ସାମରିକ ଗୁଇନ୍ଦା ବିଭାଗ ତାଙ୍କୁ ଜେରା କରୁଛନ୍ତି। ଜେରା ସମୟରେ ଗିରଫ ଆତଙ୍କବାଦୀ ଦ୍ବୟ ଦେଇଥିବା ସୂଚନା ଅନୁଯାୟୀ ଦେବିନ୍ଦରଙ୍କର ଭାରତ ବାହାର ଆତଙ୍କବାଦୀ ସଂଗଠନ ସହିତ ସମ୍ପୃକ୍ତ ରହିଥିବାର ସୂଚନା ମିଳିଛି। ୨୦୦୧ ପାର୍ଲାମେଣ୍ଟ ଆକ୍ରମଣକାରୀ ଅଫଜଲ ଗୁରୁକୁ ମଧ୍ୟ ସେ ସହାୟତା କରିଥିବା ଅଭିଯୋଗ ହୋଇଛି। ସବ୍‌ ଇନ୍ସପେକ୍ଟର ଭାବେ ନିଯୁକ୍ତି ପାଇଥିବା ଦେବିନ୍ଦର ଏସଓଜିରେ ଯୋଗ ଦେଇଥିଲେ। ନିକଟରେ ତାଙ୍କୁ ଏସପି ଭାବେ ପଦୋନ୍ନତି ଦିଆଯିବାର ଥିଲା। ପଦୋନ୍ନତି ପାଇବାକୁ ଥିବା ଅଫିସର ତାଲିକାରେ ତାଙ୍କ ନାମ ରହିଥିଲା। ଦେବିନ୍ଦରଙ୍କୁ ଅତୀତରେ ରାଷ୍ଟ୍ରପତି ପଦକ ମିଳିଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଉଥିବାବେଳେ ଜାମ୍ମୁ-କାଶ୍ମୀର ପୁଲିସ ପକ୍ଷରୁ ଏହାକୁ ଅସ୍ବୀକାର କରାଯାଇଛି।

Comments are closed.