ଅଷ୍ଟ୍ରେଲିଆ ଦଳରେ ୱାର୍ଣ୍ଣର, ପ୍ୟୁକୋୱସ୍କି ସାମିଲ; ବର୍ନସ୍‌ ବାଦ୍‌

ମେଲବୋର୍ଣ୍ଣ : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ମଧ୍ୟରେ ଖେଳାଯାଉଥିବା ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ ଶେଷ ହୋଇଛି। ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ​‌ ଟେଷ୍ଟରେ ଭାରତ ବିଜୟୀ ହୋଇଛି। ଅଷ୍ଟ୍ରେଲିଆ ଦଳର ବ୍ୟାଟସମ୍ୟାନ୍‌ମାନେ ଏହି ସିରିଜ୍‌ରେ ଆଶାନୁରୂପ ପ୍ରଦର୍ଶନ କରିପାରୁନଥିବାରୁ ଦଳର ବ୍ୟାଟିଂକୁ ଶକ୍ତିଶାଳୀ କରିବାକୁ ବୁଧବାର ଅଷ୍ଟ୍ରେଲିଆ ଦଳରେ ତାରକା ଓପନର୍ ଡେଭିଡ୍‌ ୱାର୍ଣ୍ଣର ଓ ଯୁବ ବ୍ୟାଟସମ୍ୟାନ୍‌ ୱିଲ୍‌ ପ୍ୟୁକୋୱସ୍କିଙ୍କୁ ସାମିଲ କରାଯାଇଛି। ଏହି ସିରିଜ୍‌ରେ ବିଫଳ ହୋଇଥିବା ଓପନର୍‌ ଜୋ ବର୍ନସ୍‌ଙ୍କୁ ଅଷ୍ଟ୍ରେଲିଆ ଦଳରୁ ବାଦ୍‌ ଦିଆଯାଇଛି।
ଆଘାତଜନିତ କାରଣରୁ ୱାର୍ଣ୍ଣର ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍‌ ଖେଳିପାରିନଥିବା ବେଳେ ସେ ବର୍ତ୍ତମାନ ସୁସ୍ଥ ଥିବାରୁ ତାଙ୍କୁ ବାକି ଟେଷ୍ଟ ନିମନ୍ତେ ଅଷ୍ଟ୍ରେଲିଆ ଦଳରେ ସାମିଲ କରାଯାଇଥିବା କ୍ରିକେଟ୍‌ ଅଷ୍ଟ୍ରେଲିଆ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଜୋ ବର୍ନସ୍‌ଙ୍କୁ ଅଷ୍ଟ୍ରେଲିଆ ଦଳରୁ ବାଦ୍ ଦିଆଯାଇଥିବାରୁ ସେ ଘରୋଇ ବିଗ୍‌ବାସ ଲିଗ୍‌ରେ ଖେଳିବେ ବୋଲି ଜାତୀୟ ମନୋନୟନକାରୀ ଟ୍ରେଭର ହର୍ଣ୍ଣସ୍‌ କହିଛନ୍ତି। ୱାର୍ଣ୍ଣର ଓ ପ୍ୟୁକୋୱସ୍କିଙ୍କ ସହ ସେନ୍‌ ଆବଟ୍‌ଙ୍କୁ ଅଷ୍ଟ୍ରେଲିଆ ଟେଷ୍ଟ ଦଳରେ ସାମିଲ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେ​‌ଷ୍ଟ ମ୍ୟାଚ୍‌ ଆସନ୍ତା ଜାନୁଆରୀ ୭ରୁ ସିଡନୀରେ ଖେଳାଯିବାକୁ ଥିବାରୁ ୱାର୍ଣ୍ଣର ଏହି ଟେଷ୍ଟରେ ଅଷ୍ଟ୍ରେଲିଆ ତରଫରୁ ଖେଳିବେ ବୋଲି ଏକପ୍ରକାର ନିଶ୍ଚିତ। ତେବେ ତୃତୀୟ ଟେଷ୍ଟରେ ପ୍ୟୁକୋୱସ୍କି ଅଷ୍ଟ୍ରେଲିଆ ଦଳ ତରଫରୁ ଖେଳିବେ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ।
ଅଷ୍ଟ୍ରେଲିଆ ଟେଷ୍ଟ ଦଳ : ଟିମ୍‌ ପେନ୍‌ (ଅଧିନାୟକ), ସେନ୍‌ ଆବଟ୍‌, ପ୍ୟାଟ୍ କମିନ୍‌ସ, କାମେରନ୍‌ ଗ୍ରୀନ୍‌, ମାର୍କସ୍‌ ହାରିସ୍‌, ଜୋସ୍‌ ହାଜେଲଉଡ୍‌, ଟ୍ରାଭିସ୍‌ ହେଡ୍‌, ମୋଇସେସ୍‌ ହେନ୍‌ରିକ୍‌ସ, ମାର୍ନସ୍‌ ଲାବୁସେନ୍‌, ନାଥାନ୍‌ ଲାୟନ୍‌, ମିଚେଲ୍‌ ନେସେର୍‌, ଜେମ୍‌ସ ପାଟିନ୍‌ସନ୍‌, ୱିଲ୍‌ ପ୍ୟୁକୋୱସ୍କି, ଷ୍ଟିଭ୍‌ ସ୍ମିଥ୍‌, ମିଚେଲ୍‌ ଷ୍ଟାର୍କ, ମିଚେଲ୍‌ ସ୍ବେପସନ୍‌, ମ୍ୟାଥୁ ୱେଡ୍‌ ଓ ଡେଭିଡ୍‌ ୱାର୍ଣ୍ଣର।

Comments are closed.