ଠିକଣା ପ୍ରକାଶ ପରେ ଦାଉଦ ଭୟଭୀତ : ସୁରକ୍ଷା ପାଇଁ ଲୋଡ଼ିଲା  ଆଇଏସଆଇ ଓ ପାକ୍‍ ସେନାର ସହାୟତା

ଇସଲାମାବାଦ : ପଳାତକ ଘୋଷିତ ଅଣ୍ଡର ୱାର୍ଲ୍ଡ ଡନ ଦାଉଦ ଇବ୍ରାହିମ୍‍ର ସବିଶେଷ ଠିକଣା ନିକଟରେ ଭାରତ ତଥା ଆନ୍ତର୍ଜାତିକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଦାଉଦ୍‍ ଇବ୍ରାହିମ ପାକିସ୍ତାନରେ ରହୁଥିବା ନେଇ ପାକିସ୍ତାନ ସରକାର ଏକ ପ୍ରକାର ସ୍ୱୀକାର କରିଥିଲେ। କାରଣ ପାକିସ୍ତାନ ସରକାର ଘୋଷଣା କରିଥିଲେ ଯେ ଦେଶରେ ଥିବା ୮୮ଟି ଆତଙ୍କବାଦୀ ସଂଗଠନ ଓ ଏହାର ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଦାଉଦ୍‍ ଇବ୍ରାହିମ୍‍ ରହିଥିଲା। ଦାଉଦର ଠିକଣା ସମ୍ପର୍କରେ ଆନ୍ତର୍ଜାତିକ ଗଣମାଧ୍ୟମରେ ଖବର ପ୍ରକାଶ ପରେ ସେ ଏକ ପ୍ରକାର ଭୟଭିତ ହୋଇପଡ଼ିଛି। ନିଜକୁ ଅସୁରକ୍ଷିତ ମନେ କରୁଛି। ନିଜର ସୁରକ୍ଷା ନିମନ୍ତେ ଦାଉଦ୍‍ ପାକିସ୍ତାନ ସେନା ଓ ଗୁଇନ୍ଦା ସଂସ୍ଥା ଆଇଏସଆଇର ଅଧିକାରୀଙ୍କୁ ଫୋନ କରି ସହାୟତା ଲୋଡିଛି। ଏହା ସହିତ ଦାଉଦ ତାର ଭାଇ ଅନିସ ଇବ୍ରାହିମ୍‍ ଓରଫ ଛୋଟା ସକିଲକୁ ମଧ୍ୟ ବାରମ୍ବାର ଫୋନ କରି ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିବା ଜଣାଯାଇଛି।

ରିପୋର୍ଟ ଅନୁଯାୟୀ ଦାଉଦ୍‍ ପାକିସ୍ତାନ କରାଚୀର ପୋସ୍‍ ଅଞ୍ଚଳରେ ରହୁଛି। ଏହି ଅଞ୍ଚଳରେ ପାକିସ୍ତାନର ବରିଷ୍ଠ ପ୍ରଶାସନିକ ଓ ସେନା ଅଧିକାରୀ ରହୁଛନ୍ତି। ଦାଉଦର ଠିକଣା ହେଉଛି ଡି-୧୩, ବ୍ଲକ୍‍-୪, କେଡିଏ ସ୍କିମ୍‍ ୫, କ୍ଲିଫଟନ, କରାଚୀ, ପାକିସ୍ତାନ। ଦାଉଦ୍‍ର ଘର ନିକଟରେ ବାରିକେଡ ରହିଛି ଏବଂ ତାର ଘର ଛାତରେ ସୁରକ୍ଷାକର୍ମୀଙ୍କ ଚେକପୋଷ୍ଟ ରହିଛି। ତେଣୁ ଦାଉଦ୍‍ ସମ୍ପୂର୍ଣ୍ଣ ରୂପେ ପାକିସ୍ତାନର ସୁରକ୍ଷା ବଳୟ ମଧ୍ୟରେ ରହିଛି। ଦାଉଦର ଭାଇ ଅନିସ୍‍ ଓ ନୂର ଇବ୍ରାହିମ୍‍ ମଧ୍ୟ ଏହି ଅଞ୍ଚଳରେ ରହୁଛନ୍ତି। ପାକିସ୍ତାନରେ ଦାଉଦ୍‍ର ଉପସ୍ଥିତି ସମ୍ପର୍କରେ ଆମେରିକା ଅବଗତ ଅଛି। ଜାତିସଂଘ ଦ୍ୱାରା ଆତଙ୍କବାଦୀ ଘୋଷିତ ତାଲିକାରେ ଦାଉଦ୍‍ର ନାମ ରହିଛି; ମାତ୍ର ପାକିସ୍ତାନ ସରକାରଙ୍କ ଦ୍ୱାରା ଘୋଷିତ ଆତଙ୍କବାଦୀ ତାଲିକାରେ ଦାଉଦର ନାମ ନାହିଁ। ଠିକଣା ପ୍ରକାଶ ପରେ ଦାଉଦ ଭୟଭୀତ ହେବାର କାରଣ ହେଉଛି କୌଣସି ସମୟରେ ତା’ ଉପରେ ଆକ୍ରମଣ ହୋଇପାରେ। ଓସମା ବିନ୍‍ ଲାଡେନ ଭଳି ଦାଉଦ୍‍ ଇବ୍ରାହିମ୍‍ ମଧ୍ୟ ଭାରତ ସମେତ ଅନେକ ଦେଶ ପାଇଁ ଶତ୍ରୁ ହୋଇ ରହିଛି।

Comments are closed.