ପ୍ରବାସୀ ଓଡ଼ିଆଙ୍କ ସଠିକ୍ ଡାଟାବେସ୍ କେବେ?

ଭୁବନେଶ୍ବର: ରାଜ୍ୟ ପାଇଁ କରୋନା ସଂକ୍ରମଣ ସହ ସଂଘର୍ଷ ଠାରୁ ପ୍ରବାସୀ ଓଡ଼ିଆଙ୍କ ସମସ୍ୟା ବଳିଯାଉଛି। କରୋନାର ପ୍ରତିହତ କରିବା ପାଇଁ ସରକାର ଯେତେସବୁ ପଦକ୍ଷେପ ନେଲେ ପ୍ରବାସୀ ଓଡ଼ିଆଙ୍କ ପ୍ରତ୍ୟାବର୍ତ୍ତନ, ସେମାନଙ୍କ କ୍ବାରେଣ୍ଟାଇନ୍‌ ବ୍ୟବସ୍ଥା ପାଇଁ ବେଶ୍ ଦହଗଞ୍ଜ ହେବାକୁ ପଡ଼ିଲାଣି। ଏସବୁ ପଛରେ କେଉଁଠି ନା କେଉଁଠି ପ୍ରବାସୀ ଓଡ଼ିଆଙ୍କ ସମ୍ପର୍କରେ ସରକାରଙ୍କ ନିକଟରେ ସଠିକ ତଥ୍ୟର ଅଭାବକୁ ଅନେକାଂଶରେ ଦୋଷ ଦିଆଯାଇପା​‌େ​ର। ତେବେ ପ୍ରବାସୀ ଓଡ଼ିଆଙ୍କୁ ନେଇ ସଠିକ୍ ତଥ୍ୟ ପ୍ରସ୍ତୁତ କରିବା ପାଇଁ ସରକାରଙ୍କ ପାଇଁ କରୋନା ଏକ ଅପୂର୍ବ ସୁଯୋଗ ଆଣିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଭିନ୍ନ ଭିନ୍ନ ଦୃଷ୍ଟିରୁ ଭବିଷ୍ୟତରେ ଏହି ତଥ୍ୟ ସରକାରଙ୍କ ପାଇଁ ବେଶ୍‌ ଉପାଦେୟ ହୋଇପାରିବ।

କରୋନା ସଂକ୍ରମଣ ଆରମ୍ଭ ହେବା ପରେ ବାହାର ରାଜ୍ୟରେ ରହି କାମ ଧନ୍ଦା କରୁଥିବା ଲୋକେ ରାଜ୍ୟମୁହାଁ ହୋଇଥିଲେ। ତେବେ ଫେରିବା ପୂର୍ବରୁ ସେଠାରେ ଅବ୍ୟବସ୍ଥାକୁ ଓ ଅବହେଳାକୁ ନେଇ ବିଭିନ୍ନ ରାଜ୍ୟରେ ଓଡ଼ିଆ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିଲେ। କିଛି ସ୍ଥାନରେ ହିଂସାକାଣ୍ଡ ମଧ୍ୟ ଘଟିଥିଲା। ଅନେକ ଲୋକ ସାମାଜିକ ଗଣମାଧ୍ୟମ ଜରିଆରେ ନିଜ ସୂଚନା ଦେଇ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ। ଏହାପରେ ସେମାନଙ୍କୁ ବସ୍‌ ଓ ଟ୍ରେନ୍ ଯୋଗେ ଫେରାଇ ଆଣିବା ପାଇଁ ସରକାର ବ୍ୟବସ୍ଥା କଲେ। ତେବେ କେତେ ଲୋକ ବାହାରେ ଅଛନ୍ତି, କେତେ ଫେରିବେ, କେଉଁ ରାଜ୍ୟରୁ କେଉଁ ଜିଲାକୁ ଫେରିବେ, ତାକୁ ନେଇ ସରକାର ଅଡ଼ୁଆରେ ପଡ଼ିଥିଲେ। କାରଣ ଆଜି ପର୍ୟ୍ୟନ୍ତ ଶ୍ରମ ବିଭାଗ ନିକଟରେ ଏନେଇ ପ୍ରବାସୀ ଶ୍ରମିକଙ୍କ ସମ୍ପର୍କରେ କୌଣସି ତଥ୍ୟ ନାହିଁ। ପ୍ରଥମେ ଦେଢ଼ ଲକ୍ଷ ଲୋକ ଫେରିବେ ବୋଲି ସରକାର କହୁଥିବା ବେଳେ ପଞ୍ଜୀକରଣ ଆରମ୍ଭ ହେବାର ୪୮ ଘଣ୍ଟା ମଧ୍ୟରେ ୪ ଲକ୍ଷ ଲୋକ ପଞ୍ଜୀକରଣ କଲେ। ଆଉ ଆଜି ସୁଦ୍ଧା ପ୍ରାୟ ୧୫ ଲକ୍ଷ ଲୋକ ପଞ୍ଜିକୃତ ହେଲେଣି। ସଠିକ୍ ତଥ୍ୟ ଅଭାବରେ ସରକାର ଅଡ଼ୁଆରେ ପଡ଼ିଲେ। ପଞ୍ଜିକୃତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବା ପରେ ତରବରିଆ ଭାବେ କ୍ବାରେଣ୍ଟାଇନ୍ ଶଯ୍ୟା ବୃଦ୍ଧି ସହ ଅନ୍ୟ ବ୍ୟବସ୍ଥା କରାଗଲା।

ସଠିକ୍ ତଥ୍ୟ ରହିଲେ ଯୋଜନା ପ୍ରଣୟନ ଠାରୁ ଲୋକଙ୍କ ପାଖରେ ପହଞ୍ଚିବା ସରକାରଙ୍କ ପାଇଁ ସହଜ ହେବ ବୋଲି କୁହାଯାଇଛି। ପ୍ରବାସୀ ଓଡ଼ିଆ ଶ୍ରମିକ ମଞ୍ଚର ଆବାହକ ସୁଦର୍ଶନ ଛୋଟରାୟ କହିଛନ୍ତି, ରୋଜଗାର ହରାଇ ଓଡ଼ିଶାକୁ ଫେରିଥିବା ୧୦ ଲକ୍ଷ ଲୋକଙ୍କୁ ମନରେଗାରେ କାମ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି କିନ୍ତୁ ଏଥିପାଇଁ ସଠିକ୍ ତଥ୍ୟ ଥିବା ଜରୁରୀ। ତେଣୁ ଶ୍ରମ ବିଭାଗ ଅନ୍ତତଃପକ୍ଷେ ପ୍ରବାସୀ ଓଡ଼ିଆ ଓ ଶ୍ରମିକମାନଙ୍କ ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ।

Comments
Loading...