ଭକ୍ତ ଶିରୋମଣି ଦାସିଆ ବାଉରିଙ୍କ ଜୟନ୍ତୀ ଉତ୍ସବ ପାଳିତ

0

ପିପିଲି : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଭକ୍ତ ଶିରୋମଣି ଦାସିଆ ବାଉରିଙ୍କ ଜୟନ୍ତୀ ଉତ୍ସବ ତାଙ୍କର ଜନ୍ମ ଓ ସାଧନା ପୀଠ ପିପିଲି ନିକଟବର୍ତ୍ତୀ ବାଲିଗାଁରେ ସୋମବାର ପାଳିତ ହୋଇଯାଇଛି। ପିପିଲି ବ୍ଲକ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ବାଲିଗାଁ ଭକ୍ତ ଦାସିଆ ସ୍ମୃତି କମିଟି ପକ୍ଷରୁ ପ୍ରତ୍ୟୁଷରେ ଦାସିଆଙ୍କ ସମାଧି ପୀଠରେ ପୂଷ୍ପମାଲ୍ୟ ଅର୍ପଣ କରାଯିବା ସହ ବୈଦିକ ରୀତିରେ ପୂଜାର୍ଚ୍ଚନା, ଗୀତା ଓ ଭାଗବତ ପାଠ କରାଯାଇଥିଲା। ପୀଠ ପରିସରରେ ଥିବା ପ୍ରଭୂ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ସମସ୍ତ ରୀତିନୀତି ଅନୁଯାଇ ଚତୁର୍ଦ୍ଧାମୁର୍ତ୍ତୀର୍ଙ୍କ ପୂଜାର୍ଚ୍ଚନା କରାଯିବା ସହ ଅଖଣ୍ଡ ନାମଯଜ୍ଞ କରାଯାଇଥିଲା। ମନ୍ଦିରର ମୁଖ୍ୟ ପୂଜକ ଶରତ ଚନ୍ଦ୍ର ପାଢୀଙ୍କ ଦ୍ୱାରା ସମସ୍ତ ପୂଜାକାର୍ଯ୍ୟ ସମାପନ କରାଯାଇଥିଲା। ଏହି ଅବସରରେ ସେଠାରେ ନିଖିଳ ଉତ୍କଳ ଓଡିଶୀ ସଂକୀର୍ତ୍ତନ ମହାସଂଘ, ପିପିଲି ଶାଖା ଓ ଭକ୍ତ ଦାସିଆ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ୫ ମଣ୍ଡଳ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା।ମଧ୍ୟାହ୍ନରେ ଭକ୍ତ ଦାସିଆଙ୍କ ପ୍ରିୟ ଜାଉ ଓ ଶାଗ ଭୋଗ, ପୀଠସ୍ଥ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ମହାକାର୍ତ୍ତୀକ ପହିଲି ଭୋଗ ଏବଂ ମଧ୍ୟାହ୍ନ ଭୋଗ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ବିତରଣ କରାଯାଇଥିଲା। ପ୍ରତ୍ୟୁଷରୁ ରାତି ୯ଟା ପର୍ଯ୍ୟନ୍ତ ସେଠାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିରହିଥିଲା। ସେଠାରେ ଥିବା ଭକ୍ତ ଦାସିଆଙ୍କ ସମାଧି ପୀଠ, ଶ୍ରୀଜଗନ୍ନାଥଙ୍କ ମନ୍ଦିର, ରାଧାମୋହନ ମଠ, ତୁଳସୀ ବଣ, ପଦ୍ମ ପୋଖରୀ ଓ ଭକ୍ତ ଦାସିଆ ତାଙ୍କ ପତ୍ନୀଙ୍କୁ ଜଳ ମଧ୍ୟରେ ରଥଯାତ୍ରା ଦେଖାଇଥିବା ଗୋଠଗାଡିଆ ନିକଟରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଏହି ଅବସରରେ ରୋଟାରୀ କ୍ଲବ ଭୁବନେଶ୍ୱର(ଉତ୍ତର) ପକ୍ଷରୁ ସେଠାରେ ମାଗଣା ହୋମିଓପ୍ୟାଥିକ ଚିକିତ୍ସା ସହ ଔଷଧ ବିତରଣ କରାଯାଇଥିଲା। ଅପରାହ୍ନରେ ‘ଭାଗବତ ଟୁଙ୍ଗୀରେ ପଣ୍ଡିତେ’ କାର୍ଯ୍ୟକ୍ରମରେ ପଣ୍ଡିତ ବିଶ୍ୱନାଥ ଶତପଥିଙ୍କ ଦ୍ୱାରା ପ୍ରବଚନ ପ୍ରଦାନ କରାଯାଇଥିଲା। ସଂନ୍ଧ୍ୟାରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଭଜନ ପରିବେଷଣ କରାଯାଇଥିବା ବେଳେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସ୍ମୃତି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଭକ୍ତ ଦାସିଆଙ୍କ ସ୍ମୃତିଚାରଣ କରିଥିଲେ। ଭକ୍ତ ଦାସିଆ ସ୍ମୃତି କମିଟିର ସମ୍ପାଦକ ଅଧ୍ୟାପକ ଡ଼ଃ ଘନଶ୍ୟାମ ସ୍ୱାଇଁ, ଟ୍ରଷ୍ଟି ଡ଼ଃ ଚିତ୍ତରଞ୍ଜନ ମିଶ୍ର, ଡ଼ଃ ନରେନ୍ଦ୍ରନାଥ ସାହୁ, ଅର୍ଜ୍ଜୁନ ଚରଣ ସାମଲ, ଡ଼ଃ ଉଦୟନାଥ ତ୍ରିପାଠୀ, ରବିନ୍ଦ୍ର କୁମାର ନନ୍ଦୀ, ସୁନାରାମ ସିଂ, ସରୋଜ କୁମାର ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave A Reply