ବିନାଭକ୍ତରେ ହେବ ଦାରୁବ୍ରହ୍ମଙ୍କ ସ୍ନାନଯାତ୍ରା

ପୁରୀ: କରୋନା ସଂକ୍ରମଣ ଅବ୍ୟାହତ ରହିଥିବାରୁ ଚଳିତବର୍ଷ ବିନାଭକ୍ତରେ ଅନୁଷ୍ଠିତ ହେବ ଦାରୁବ୍ରହ୍ମଙ୍କ ସ୍ନାନଯାତ୍ରା। ଗତବର୍ଷ ପରି କେବଳ ପାଳିଆ ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ଏହି ଯାତ୍ରା ପରିଚାଳନା କରିବାକୁ ଚିନ୍ତା କରୁଛି ମନ୍ଦିର ପ୍ରଶାସନ। ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ଏବଂ ଜିଲାପାଳ ସମର୍ଥ ବର୍ମା ସୋମବାର ଏ ସମ୍ପର୍କରେ ବିଭିନ୍ନ ସେବାୟତ ନିଯୋଗ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ଜୁନ୍‌ମାସ ୨୬ତାରିଖ ଦିନ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ରତ୍ନସିଂହାସନରୁ ସ୍ନାନବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ପରମ୍ପରା ଅନୁଯାୟୀ ୧୦୮ଗଡୁ ସୁବାସିତ ଜଳରେ ଶ୍ରୀଜୀଉଙ୍କୁ ସେଠାରେ ସ୍ନାନ କରାଯିବ। ସ୍ନାନବେଦୀରେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରା ଗଜାନନ (ହାତୀ) ବେଶ ହେବା କାର୍ଯ୍ୟକ୍ରମ ରହିଛି। ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଭକ୍ତ ଶ୍ରୀଜୀଉଙ୍କ ସ୍ନାନଯାତ୍ରାରେ ଅଂଶଗ୍ରହଣ କରିଥାଆନ୍ତି।

ପୁରୀ ସହର ସମେତ ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବହୁ ସେବାୟତ ଏବଂ ମନ୍ଦିର ପ୍ରଶାସନ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ତେଣୁ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ଦିଆଗଲେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଯଥେଷ୍ଟ ସମ୍ଭାବନା ରହିଛି। ଏଭଳି ପରିସ୍ଥିତି ଯୋଗୁଁ ଗତବର୍ଷ ବିନାଭକ୍ତରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ପାଳନ କରାଯାଇଥିଲା। ଚଳିତବର୍ଷ ସେହିପରି ଭାବେ

ପ୍ରଭୁଙ୍କ ଏହି ପ୍ରମୁଖଯାତ୍ରା କରାଯିବାକୁ ଅଧିକ ସେବାୟତ ନିଯୋଗ କର୍ମକର୍ତ୍ତା ସୋମବାର ପ୍ରସ୍ତାବ ଦେଇଛନ୍ତି। ତେଣୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୪୪ଧାରା ଜାରି କରାଯାଇ ଜୁନ୍‌ ୨୬ତାରିଖ ଦିନ ଶ୍ରୀଜୀଉଙ୍କ ସ୍ନାନଯାତ୍ରା କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତାହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଛି ମନ୍ଦିର ପ୍ରଶାସନ। ପାଳିଆ ସେବାୟତଙ୍କ ତାଲିକା ପ୍ରସ୍ତୁତ କରାଯାଉଛି।

ସ୍ନାନଯାତ୍ରା ପୂର୍ବରୁ ସଂପୃକ୍ତ ସେବାୟତଙ୍କ କରୋନା ପରୀକ୍ଷା କରାଯିବା ସହ କରୋନା ପ୍ରତିଷେଧକ ଟିକା ଦିଆଯିବ। କେବଳ କରୋନାରେ ସଂକ୍ରମିତ ହୋଇନଥିବା ସେବାୟତ ଶ୍ରୀଜୀଉଙ୍କ ସ୍ନାନଯାତ୍ରାରେ ଅଂଶଗ୍ରହଣ କରିବେ। ସେଦିନ ଶ୍ରୀଜଗନ୍ନାଥ ମନ୍ଦିରର ୪ଟି ଦ୍ବାରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ପାଳିଆ ସେବାୟତଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତିପତ୍ର ଯୋଗାଇ ଦିଆଯିବ। ଖୁବ୍‌ଶୀଘ୍ର ଶ୍ରୀଜୀଉଙ୍କ ସ୍ନାନଯାତ୍ରା ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯିବ। ତେବେ ସ୍ନାନଯାତ୍ରା କିପରି ପାଳନ କରାଯିବ ସେ ସମ୍ପର୍କରେ ଏପର୍ଯ୍ୟନ୍ତ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇ ନଥିବା ଜିଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ଗଣମାଧ୍ୟମକୁ କହିଛନ୍ତି। ସେ କହିଲେ ଏ ସମ୍ପର୍କରେ ସେବାୟତ ନିଯୋଗ ସମେତ ବିଭିନ୍ନ ବର୍ଗ ସହ ଆଲୋଚନା ଅବ୍ୟାହତ ରହିଛି। ଖୁବ୍‌ଶୀଘ୍ର ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜିଲାପାଳ କହିଛନ୍ତି।

Comments are closed.