ସାଥୀ ଖେଳାଳିଙ୍କଠାରୁ କ୍ଷମାପ୍ରାର୍ଥନା ଦାବି କଲେ ସାମି

ଆଇପିଏଲରେ ବର୍ଣ୍ଣବୈଷମ୍ୟବାଦ

କିଙ୍ଗଷ୍ଟନ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ବର୍ଣ୍ଣବୈଷମ୍ୟବାଦର ଶିକାର ହୋଇଥିବା ନେଇ ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ଡାରେନ୍ ସାମିଙ୍କ ଅଭିଯୋଗ ଦିନକୁ ଦିନ ଭିନ୍ନ ମୋଡ ନେବାରେ ଲାଗିଛି। ୨୦୧୩-୧୪ ଆଇପିଏଲ ସିଜିନ୍‌ରେ ସନରାଇଜ୍‌ର୍ସ ହାଇଦରାବାଦ ପକ୍ଷରୁ ଖେଳୁଥିବା ସାମି ଟିମ୍‌ମେଟ୍‌ଙ୍କଠାରୁ ବର୍ଣ୍ଣବୈଷମ୍ୟବାଦର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି। ସନ୍‌ରାଇଜ୍‌ର୍ସ ହାଇଦରାବାଦ୍‌ ଟିମ୍‌ମେଟ୍‌ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିଥିବାରୁ ମୋତେ କ୍ଷମା ମାଗନ୍ତୁ ବୋଲି ସାମି ଦାବି କରିଛନ୍ତି। ବର୍ଣ୍ଣବୈଷମ୍ୟବାଦ ଅକ୍ଷେପ କରାଯାଇଥିବାରୁ ଏସ୍‌ଆରଏଚ୍ ଟିମ୍‌ମେଟ୍‌ଙ୍କଠାରୁ ସାମିଙ୍କ କ୍ଷମା ପ୍ରାର୍ଥନା ଦାବି ଏବେ ବେଶ୍‌ ରୋଚକ ପରିସ୍ଥିତି ସୃଷ୍ଟି କରିଛି।
ସାମି କହିଛନ୍ତି ଯେ, ୨୦୧୩-୧୪ ଆଇପିଏଲ ସିଜିନ୍‌ରେ ମୋତେ ସନ୍‌ରାଇଜ୍‌ର୍ସ ହାଇଦରାବାଦ୍‌ ଦଳର ଟିମମେଟ୍‌ଙ୍କଠାରୁ ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହେବାକୁ ପଡ଼ିଥିଲା। ସାଥି ଖେଳାଳିମାନେ ମୋତେ କାଲୁ ଅର୍ଥାତ୍‌ କଳା ବୋଲି ଡାକୁଥିଲେ। କାଲୁର ମାନେ କଣ ସେ ସମୟରେ ଜାଣିବାକୁ ପାଇନଥିଲି। ଯେତବେଳେ କାଲୁର ଅର୍ଥ କଳା ବୋଲି ଜାଣିବାକୁ ପାଇଲି ସେତବେଳେ ବୁଝିଥିଲି ମୁଁ କଳା ଥିବାରୁ ମୋତେ କାଲୁ ବୋଲି ଆକ୍ଷେପ କରାଯାଉଥିଲା। ଏବେ କାଲୁର ମାନେ ଜାଣିବା ପରେ ବହୁତ ନିରାଶ ଲାଗୁଛି। ଟିମମେଟ୍‌ ଈଶାନ୍ତ ଶର୍ମା ମୋତେ କାଲୁ ଡାକୁଥିବା ନେଇ ମଧ୍ୟ ସାମି ଫଟୋ ପୋଷ୍ଟ କରିଥିଲେ। ଏହାକୁ ନେଇ ପ୍ରଶିକ୍ଷକ ଟମ୍‌ ମୁଡ଼ିଙ୍କ ସହିତ ଆଲୋଚନା କରିଥିଲି। ଏଭଳି ଆକ୍ଷେପ କ୍ରିକେଟ ଓ ଟିମ୍‌ମେଟ୍‌ଙ୍କଠାରୁ କେବେ ଆଶା କରାଯାଏନାହିଁ। ଏହା ଜଣେ କ୍ରିକେଟରଙ୍କ ମାନସିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏସ୍‌ଆରଏଚ୍‌ ଟିମ୍‌ମେଟ୍‌ମାନେ ମୋତେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସାମି ଦାବି କରିଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ସାମି ଆଇସିସିକୁ ଟ୍ବିଟ୍‌ କରି ବର୍ଣ୍ଣବୈଷମ୍ୟବାଦକୁ ଶେଷ କରିବା ନେଇ କଡା ପଦକ୍ଷେପ ଉଠାଇବାକୁ ଅନୁରୋଧ କରିଥିଲେ। ଆଇସିସି ଓ ଅନ୍ୟଦେଶ କ୍ରିକେଟ ବୋର୍ଡ ଆପଣ ଦେଖୁଛନ୍ତି ଯେ, ଆମ ମାନଙ୍କ ଭଳି ଲୋକମାନଙ୍କ ସହିତ କିଭଳି ବ୍ୟବହାର କରାଯାଉଛି। କଣ ଆପଣ ସାମାଜିକ ନ୍ୟାୟ ପାଇଁ ସ୍ବର ଉଠାଇବେ ନାହିଁ । ଏହା କେବଳ ଆମେରିକା କଥା ନୁହେଁ। ଏହା ପ୍ରତିଦିନ ଆମ ସହିତ ଘଟୁଛି। ଆମକୁ ପ୍ରମାଣ କରିବାକୁ ହେବ ଯେ କଳା ଲୋକମାନଙ୍କ ଜୀବନ ମଧ୍ୟ ବହୁତ ମହତ୍ତ୍ବପୂର୍ଣ୍ଣ। ବର୍ତ୍ତମାନ ଆଉ ଚୁପ୍‌ ରହିବାର ବେଳ ନୁହେଁ ବୋଲି ସାମି ଟ୍ବିଟ୍‌ କରି ଆଇସିସିକୁ ଅବଗତ କରାଇଥିଲେ।

Comments are closed.