ଟିଚର କଲୋନୀରେ ନାଳ ସମସ୍ୟାର ପ୍ରତିକାର ଦାବି

ସମ୍ବଲପୁର, (ସିଟି) – ସମ୍ବଲପୁର ମହାନଗର ନିଗମ ଅର୍ନ୍ତଗତ କ୍ଷେତରାଜପୁରର ଟିଚର କଲୋନୀ ଅଞ୍ଚଳରେ ନାଳ ସମସ୍ୟା ଲାଗି ରହିଛି । ଏଣୁ ଅଞ୍ଚଳବାସୀ ବୁଧବାର ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି ତୁରନ୍ତ ସମସ୍ୟାର ପ୍ରତିକାର କରିବା ପାଇଁ ଦାବି କରିଛନ୍ତି । ଜିଲାପାଳଙ୍କୁ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ଟିଚର କଲୋନୀରେ ଶତାଧିକ ପରିବାର ରହୁଥିବା ବେଳେ ବାରମ୍ବାର ଦାବି ସତ୍ୱେ ଅଞ୍ଚଳର ନାଳ ସମସ୍ୟାର ନିରାକରଣ କରାଯାଉ ନାହିଁ । ଫଳରେ ସାମାନ୍ୟ ବର୍ଷା ହେବା ମାତ୍ରେ ଜଳ ନିଷ୍କାସିତ ହୋଇ ନ ପାରି ଘର ମାନଙ୍କୁ ପ୍ରବେଶ କରୁଛି । ଏଣୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗ କରିବା ସହିତ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ ଗୁଡିକ ନଷ୍ଟ ହୋଇ ଅନେକ ଧନହାନି ମଧ୍ୟ ହେଉଛି । ଲୋକେ ବର୍ଷା ସମୟରେ ଯାତାୟାତ କରି ପାରୁ ନାହାନ୍ତି । ବର୍ଷା ସମୟରେ ଅଞ୍ଚଳରେ ୨ ରୁ ୩ ଫୁଟ ପର୍ଯ୍ୟନ୍ତ ବର୍ଷା ଓ ଆବର୍ଜନା ଜଳ ଜମି ରହୁଥିବାରୁ ପରିବେଶ ଦୁର୍ଗନ୍ଧଯୁକ୍ତ ହୋଇ ଦୂଷିତ ହେଉଛି । ଏଥି ପାଇଁ ଅଞ୍ଚଳରେ ବିଭିନ୍ନ ପ୍ରକାରର ଜଳବାହିତ ରୋଗ ମଧ୍ୟ ବ୍ୟାପୁଛି । ଏଣୁ ତୁରନ୍ତ ଅଞ୍ଚଳର ନାଳ ସମସ୍ୟାର ସ୍ଥାୟୀ ପ୍ରତିକାର କରି ଅଞ୍ଚଳବାସୀଙ୍କ ସୁବିଧା କରାଯାଉ ବୋଲି ଦାବି କରାଯାଇଛି । ପ୍ରଦତ୍ତ ଦାବିପତ୍ରରେ ଶାନ୍ତିବାଲା ସିହ୍ନା, କାଞ୍ଚନ ସାହୁ, ପିଙ୍କି କୁମାରୀ ଙ୍କ ସମେତ ଅନେକ ମହିଳା ଙ୍କ ଦସ୍ତଖତ ରହିଛି ।

Comments are closed.