ରିଲିଜ୍ ହେଲା ରଜନୀକାନ୍ତଙ୍କ ଆଗାମୀ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର

ମୁମ୍ବଇ : ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ମଙ୍ଗଳବାର ରିଲିଜ୍ ହୋଇଛି। ପୋଷ୍ଟର ସହ ଚଳଚ୍ଚିତ୍ରର ନାଁ ମଧ୍ୟ ଜାଣିବାକୁ ମିଳିଛି। ଏହାର ନାଁ ରହିଛି ‘ଦରବାର’। ଲାଇକା ପ୍ରଡ଼କ୍ସନ ଟ୍ବିଟ୍ କରି ପୋଷ୍ଟର ଶେୟାର କରିବାର ମାତ୍ର କିଛି ସମୟ ମଧ୍ୟରେ ସାମାଜିକ ଗଣମାଧ୍ୟମରେ ଏହା ଭାଇରାଲ୍ ହୋଇଯାଇଥିଲା। ପୋଷ୍ଟରରୁ ଜଣାପଡ଼ୁଛି ଏହି ଚଳଚ୍ଚିତ୍ରରେ ରଜନୀକାନ୍ତଙ୍କୁ ପୁଲିସ ଭୂମିକାରେ ଦେଖିବାକୁ ମିଳିବ। ଏହାସହ ତାଙ୍କ ସହିତ ଲୋକପ୍ରିୟ ତାମିଲ ଅଭିନେତ୍ରୀ ନୟନତାରା ଏହି ଚଳଚ୍ଚିତ୍ରରେ ନଜର ଆସିବେ। ‘ଦରବାର’ ଆସନ୍ତା ବର୍ଷ ପୋଙ୍ଗଲ ଅବସରରେ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଏ.ଆର ମୁରୁଗଦାସ ବହନ କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନିରୁଦ୍ଧ ରବିଚନ୍ଦର। ଏହି ଚଳଚ୍ଚିତ୍ର ମାଧ୍ୟମରେ ଦୀର୍ଘ ୧୧ ବର୍ଷ ପରେ ବଡ଼ ପରଦାରେ ରାଜନୀକାନ୍ତ ଓ ନୟନତାରାଙ୍କ ଯୋଡ଼ି ଦେଖିବାକୁ ମିଳିବ।

Comments
Loading...