‘ସମାଜ’ରେ ଖବର ପ୍ରକାଶ ପରେ ସମ୍ବଲପୁର ପୁଲିସ ସକ୍ରିୟ, ଦାନୀପାଲି ଭୂଜାଲି ମାଡ ଘଟଣାରେ ୫ ଗିରଫ

ସମ୍ବଲପୁର: ଅଇଁଠାପାଲି ଥାନା ଅର୍ନ୍ତଗତ ଦାନୀପାଲିରେ ଘଟିଥିବା ଭୂଜାଲି ମାଡ ଘଟଣା ବିଷୟରେ ଦୈନିକ ‘ସମାଜ’ରେ ସମ୍ବଲପୁର ପୁଲିସ ସକ୍ରିୟ ହୋଇଛି। ଘଟଣା ପଛରେ ରିଏଲ ଇଷ୍ଟେଟ ବିବାଦ ରହିଥିବା ଏସପି ବାଟ୍ଟୁଲା ଗଙ୍ଗାଧର କହିଛନ୍ତି। ଅର୍ଥ ଭାଗବଣ୍ଟକୁ ନେଇ ବିବାଦ ହେବାରୁ ଏଭଳି ଅପରାଧିକ ଷଡଯନ୍ତ୍ର ହୋଇଥିବା ସେ କହିଛନ୍ତି।

ଏହି ଘଟଣାରେ ସମ୍ବଲପୁର ପୁଲିସ ମୁଖ୍ୟ ଅଭିଯୁକ୍ତ ଦାନୀପାଲି ଗୋପାଳମାଲ ନିବାସୀ ଶିବଶଙ୍କର ବାଗ ଓରଫ ଶିବା (୩୪), ଟାଉନ ଥାନା ମାଲିପଡା ଫାଟକ ନିବାସୀ ସନ୍ତୋଷ କୁମାର ପ୍ରଜାପତି (୫୦), ଏଲଆଇସି କଲୋନୀ (ଧନୁପାଲି ଥାନା) ନିବାସୀ ଅଙ୍କିତ ସିଂହ (୨୬), ପୁଟିବନ୍ଧ କୁମ୍ଭାରପଡା (ଧନୁପାଲି ଥାନା) ନିବାସୀ ମନୋରଞ୍ଜନ ମହାକୁଡ (୩୦) ଏବଂ କ୍ଷେତରାଜପୁର ଥାନା ଷ୍ଟେସନପଡା ନିବାସୀ କୁନୁ ହରିପାଲ (୫୦)ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଏକ ଭୂଜାଲି, ନଗଦ ୮ ହଜାର ୪ ଶହ ଟଙ୍କା ଏବଂ ଦୁଇଟି ନମ୍ବର ବିହୀନ ବାଇକ ଜବତ କରିଛି। ଏହି ମାମଲାରେ ଆହୁରି ଅନେକ ବ୍ୟକ୍ତି ସାମିଲ ରହିଥିବାରୁ ସେମାନଙ୍କୁ ଧରିବାକୁ ଚେଷ୍ଟା ଚାଲିଥିବା ବେଳେ ଘଟଣାର ଅଧିକ ତଦନ୍ତ ମଧ୍ୟ ଚାଲିଛି ବୋଲି ଏସପି ଗଙ୍ଗାଧର କହିଛନ୍ତି।

ସମ୍ବଲପୁରରେ ଏସପି କହିଛନ୍ତି ଯେ ଏବେ ପୁଲିସ ଅଭ୍ୟାସଗତ ଅପରାଧିମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୃଢ଼ ନିଷ୍ପତ୍ତି ନେଇଛି। ଅପରାଧିମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି ଏବଂ ଖୁବ ଶୀଘ୍ର ନିୟମିତ ଭାବରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା କରାଯାଉଛି। ଅନେକ ସମୟରେ ଜନତା ଅପରାଧିଙ୍କ ବିରୋଧରେ ଅଭିଯୋଗ କରୁ ନ ଥିବା ବେଳେ ସେମାନେ ମଧ୍ୟ ପୁଲିସକୁ ସହଯୋଗ କରି ଅଭିଯୋଗ କରିବାକୁ ଆଗେଇ ଆସିଲେ ପୁଲିସକୁ ମଧ୍ୟ କଡା ପଦକ୍ଷେପ ନେବାରେ ଅଧିକ ଉତ୍ସାହ ମିଳିବ ବୋଲି ଏସପି ଜନତାଙ୍କୁ ଅପିଲ କରିଛନ୍ତି।

Comments are closed.