ଫୁସ୍‌ଫୁସ ପାଇଁ ବିପଦ ପ୍ରଦୂଷଣ

ବାୟୁପ୍ରଦୂଷଣର ସ୍ତର ଏତେ ବଢିଯାଇଛି ଯେ ଏଭଳି ବାୟୁରେ ଶ୍ବାସଗ୍ରହଣ କରିବା ଅପେକ୍ଷା ଘର ଭିତରେ ବନ୍ଦ ହୋଇ ରହିବା ଭଲ ବୋଲି ମନେହୁଏ। ପ୍ରଦୂଷିତ ବାୟୁ ଶିଶୁ ଏବଂ ବୟସ୍କମାନଙ୍କ ସହ ଶ୍ବାସରୋଗ, ହୃଦ୍‌ରୋଗ, ଫୁସ୍‌ଫୁସ ଏବଂ ଅନ୍ୟାନ୍ୟ ରୋଗରେ ପୀଡିତ ବ୍ୟକ୍ତିଙ୍କ ପାଇଁ ଘାତକ ହେଉଥିବା ବେଳେ ଏହା ସୁସ୍ଥ ବ୍ୟକ୍ତିଙ୍କୁ ବି ରୋଗାକ୍ରାନ୍ତ କରୁଛି। ନଭେମ୍ବର ମାସରେ ଫୁସ୍‌ଫୁସ କର୍କଟ ସଚେତନତା ମାସ ପାଳନ କରାଯାଉଥିବାରୁ ପ୍ରଦୂଷଣ ଯୋଗୁ ଫୁସ୍‌ଫୁସ କର୍କଟ ସମେତ ହେଉଥିବା କେତେକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ-

ଫୁସ୍‌ଫୁସ କର୍କଟ: ପ୍ରଦୂଷିତ ବାୟୁରେ ବିଷାକ୍ତ ଗ୍ୟାସ୍‌ ମିଶିଥିବା ଯୋଗୁ ଏହା ଫୁସ୍‌ଫୁସ କର୍କଟର ପ୍ରମୁଖ କାରଣ ପାଲଟେ। ଏପରି ବାୟୁ ଶ୍ବାସକ୍ରିୟାରେ ଶରୀର ଭିତରକୁ ଯିବା ଦ୍ବାରା ଫୁସ୍‌ଫୁସର କୋଷଗୁଡିକ ଠିକ୍‌ ଭାବେ କାମ କରେନାହିଁ। ତେଣୁ ଶରୀର ସଠିକ୍‌ ପରିମାଣରେ ଅମ୍ଳଜାନ ପାଇପାରେ ନାହିଁ। ଉଷୁମ ପାଣି ଗଳଗଳ କରିବା ସହ ଫୁସ୍‌ଫୁସ ସଫା ରଖିବା ଲାଗି ଯୋଗ, ପ୍ରାଣାୟାମ ଏବଂ ଉପକାରୀ ଖାଦ୍ୟ ଖାଇବା ଜରୁରୀ।

ଶ୍ବାସରୋଗ: ଯେଉଁମାନେ ଏହି ରୋଗରେ ପୂର୍ବରୁ ପୀଡିତ ଅଛନ୍ତି ସେମାନଙ୍କ ପାଇଁ ପ୍ରଦୂଷଣ ଅଧିକ ବିପଦ ସୃଷ୍ଟି କରୁଥିବା ବେଳେ ସୁସ୍ଥ ଲୋକମାନେ ବି ପ୍ରଦୂଷଣ କାରଣରୁ ଶ୍ବାସଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି। ପ୍ରଦୂଷିତ ବାୟୁ ଶ୍ବାସନଳୀରେ ଫୁଲା ସୃଷ୍ଟି କରୁଥିବାରୁ ଶ୍ବାସରୋଗୀମାନଙ୍କ ସମସ୍ୟା ବଢିଯାଏ।

ହୃଦ୍‌ରୋଗ: ପ୍ରଦୂଷିତ ବାୟୁ ଶ୍ବାସକ୍ରିୟା ଯୋଗେ ଶରୀରକୁ ଯିବା ପରେ ହୃଦ୍‌ଯନ୍ତ୍ରରେ ସଠିକ୍‌ ରକ୍ତସଞ୍ଚାଳନ ହୋଇପାରେ ନାହିଁ। ଫଳରେ ରକ୍ତବାହୀ ନଳୀରେ ବାଧା ସୃଷ୍ଟି ହୁଏ ଏବଂ ହୃଦ୍‌ଘାତର ଆଶଙ୍କା ବଢେ। ବାୟୁ ପ୍ରଦୂଷଣ ସମୟରେ ହୃଦ୍‌ରୋଗୀମାନେ ବାହାରକୁ ନବାହାରିବା ଉଚିତ।

ନିମୋନିଆ: ପ୍ରଦୂଷିତ ବାୟୁରେ କେତେକ କ୍ଷତିକାରକ ବ୍ୟାକ୍ଟେରିଆ ରହିଛି। ଶ୍ବାସକ୍ରିୟାରେ ଏଗୁଡିକ ଶରୀରକୁ ପ୍ରବେଶ କରି ନିମୋନିଆ ପରି ଗୁରୁତର ରୋଗର କାରଣ ହୋଇଥାନ୍ତି। ତେଣୁ ବାୟୁ ପ୍ରଦୂଷଣ ଥିବା ବେଳେ ପିଲାମାନଙ୍କୁ ବାହାରକୁ ଛାଡିବା ଅନୁଚିତ।

ଗର୍ଭସ୍ଥ ଶିଶୁଙ୍କ ପାଇଁ ବିପଜ୍ଜନକ: ପ୍ରଦୂଷିତ ବାୟୁ ଗର୍ଭସ୍ଥ ଶିଶୁଙ୍କ ପାଇଁ ବି କ୍ଷତିକାରକ ହୋଇଥାଏ। ଏହା ଶିଶୁଙ୍କ ଶାରୀରିକ ଏବଂ ମାନସିକ ବିକାଶକୁ ପ୍ରଭାବିତ କରେ। ଏହା ପ୍ରଭାବରେ ଶିଶୁଙ୍କଠାରେ ଜନ୍ମଜାତ ବିକାର ଦେଖାଯିବାର ଆଶଙ୍କା ରହିଛି। ସେମାନଙ୍କ ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ସହ ଥଣ୍ଡା, ନିମୋନିଆ ପରି ସ୍ବାସ୍ଥ୍ୟ ସମସ୍ୟା ଆକ୍ରାନ୍ତ କରିପାରେ। ତେଣୁ ବାୟୁ ପ୍ରଦୂଷଣ ବେଳେ ଗର୍ଭବତୀ ମହିଳା ବାହାରକୁ ଯିବା ଠିକ୍‌ ନୁହେଁ।

ଫୁସ୍‌ଫୁସକୁ ସୁସ୍ଥ ରଖନ୍ତୁ
ଫୁସ୍‌ଫୁସ ଉପରେ ପ୍ରଦୂଷଣର ସବୁଠାରୁ ଅଧିକ ପ୍ରଭାବ ପଡେ। ତେଣୁ ଫୁସ୍‌ଫୁସ ସଫା ରଖିବା ନିହାତି ଜରୁରୀ। ଏଥିପାଇଁ କେତେକ ବିଶେଷ ଖାଦ୍ୟ-ପାନୀୟ ଖୁବ୍‌ ଉପକାରୀ ହୋଇଥାଏ। ଶୀତଦିନେ ଅଧିକ ପ୍ରଦୂଷଣ ହେଉଥିବାରୁ ଏସବୁ ଖାଦ୍ୟ ଗ୍ରହଣ ଦ୍ବାରା ଫୁସ୍‌ଫୁସ ସୁସ୍ଥ ରଖିପାରିବେ।

ଅଦା ଚା’: ନିୟମିତ ଅଦା ଚା’ ପିଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢିବା ସହ ଫୁସ୍‌ଫୁସ ସୁରକ୍ଷିତ ରହିପାରିବ। ଅଦାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ତତ୍ତ୍ବ ଶ୍ବାସନଳୀରୁ ବିଷାକ୍ତ ପଦାର୍ଥ ବାହାର କରିବା ସହ ଏଥିରେ ଥିବା ପଟାସିୟମ, ମ୍ୟାଗ୍‌ନେସିୟମ, ଜିଙ୍କ ଏବଂ ବିଟା କ୍ୟାରୋଟିନ୍‌ ଆଦି କ୍ୟାନ୍‌ସର ସେଲ୍‌ଗୁଡିକୁ ନଷ୍ଟ କରିପାରେ।

ଡାଲଚିନି କାଢା: ଡାଲିଚିନି କେବଳ ଖାଦ୍ୟର ସ୍ବାଦ ଓ ସୁଗନ୍ଧ ବଢାଏନି, ଏହାର ଔଷଧୀୟ ଗୁଣ ଯୋଗୁ ଏଥିରେ ପ୍ରସ୍ତୁତ କାଢା ଫୁସ୍‌ଫୁସକୁ ସୁସ୍ଥ ରଖିପାରେ। ୧ଗ୍ଲାସ ପାଣିରେ ସାମାନ୍ୟ ଡାଲଚିନି ଗୁଣ୍ଡ ପକାଇ ପାଣି ଅଧା ରହିବା ପର୍ଯ୍ୟନ୍ତ ଫୁଟାନ୍ତୁ। ଏହା ଉଷୁମ ଥିବାବେଳେ ପିଇଲେ ଫୁସ୍‌ଫୁସ ସଫା ହୋଇଯାଏ।

ଅଖରୋଟ: ଏଥିରେ ପର୍ଯ୍ୟାପ୍ତ ପରିମାଣରେ ଓମେଗା-୩ ଫ୍ୟାଟି ଏସିଡ ରହିଛି। ଏହା ଫୁସ୍‌ଫୁସ ପାଇଁ ଲାଭଦାୟକ। ଶୀତଦିନେ ପ୍ରଦୂଷଣ ଅଧିକ ହେଉଥିବାରୁ ପ୍ରତିଦିନ ମୁଠାଏ ଅଖରୋଟ ଖାଇଲେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଶ୍ବାସରୋଗୀଙ୍କ ପାଇଁ ଅଖରୋଟ ଉପକାରୀ।

ମାଛ: ଯେଉଁ ମାଛରେ ଯେତେ ଫ୍ୟାଟ୍‌ ରହିଛି ତାହା ଫୁସ୍‌ଫୁସ ପାଇଁ ସେତେ ଉପକାରୀ ହୋଇପାରେ। ମାଛରେ ପର୍ଯ୍ୟାପ୍ତ ଓମେଗା-୩ ଫ୍ୟାଟି ଏସିଡ ରହିଛି। ସାଲମନ ମାଛ ଖାଇବା ଫୁସ୍‌ଫୁସ ପାଇଁ ଲାଭଦାୟକ।
ବିନ୍‌ସ: ଆମେରିକାନ୍‌ କ୍ୟାନ୍‌ସର ସୋସାଇଟି ଅନୁସାରେ, ଏହି ଋତୁରେ ବିନ୍‌ ଖାଇବା ଫୁସ୍‌ଫୁସ ପାଇଁ ଖୁବ୍‌ ଉପକାରୀ। ବିନ୍‌ସରେ ଶରୀର ପାଇଁ ଉପଯୋଗୀ ପ୍ରାୟ ସବୁପ୍ରକାର ପୋଷକ ତତ୍ତ୍ବ ରହିଛି।

ସେଓ: ଦିନକୁ ଗୋଟିଏ ସେଓ ଖାଇଲେ ଡାକ୍ତରଙ୍କ ପାଖକୁ ଯିବା ଆବଶ୍ୟକ ହୋଇ ନଥାଏ। ଅର୍ଥାତ ସେଓ ଶରୀରକୁ ସୁସ୍ଥ ରଖେ। ଏହା ମଧ୍ୟ ପ୍ରଦୂଷଣରୁ ସୁରକ୍ଷା ଦେଇଥାଏ। ଏକ ଗବେଷଣାରୁ ଜଣାପଡିଛି ଯେ ଭିଟାମିନ୍‌ ଇ’, ସି’ ଏବଂ ବିଟା କ୍ୟାରୋଟିନ୍‌ ଥିବା ଓ ଖଟା ସ୍ବାଦର ଫଳ ଫୁସ୍‌ଫୁସ ପାଇଁ ଉପକାରୀ। ସେଓରେ ଏ ସମସ୍ତ ପୋଷକ ତତ୍ତ୍ବ ରହିଛି।

ଏପ୍ରିକଟ୍‌: ଏଥିରେ ଥିବା ଭିଟାମିନ୍‌ ଏ’ ଫୁସ୍‌ଫୁସ ପାଇଁ ଉପକାରୀ। ଏହି ଫଳର ପୋଷକ ତତ୍ତ୍ବଗୁଡିକ ଫୁସ୍‌ଫୁସକୁ ସଂକ୍ରମଣରୁ ସୁରକ୍ଷିତ ରଖେ।

ବାମ୍ଫ ନିଅନ୍ତୁ: ଫୁସ୍‌ଫୁସକୁ ସଫା ରଖିବା ଲାଗି ବାମ୍ଫ ଥେରାପି ସବୁଠାରୁ ସହଜ ଏବଂ ଭଲ ଉପାୟ। ଏଥିରେ ଉଷୁମ ପାଣିର ବାମ୍ଫ ବନ୍ଦ ହୋଇଥିବା ଶ୍ବାସନଳୀ ଖୋଲେ ଏବଂ ଫୁସ୍‌ଫୁସରେ କଫ ଥିଲେ ବାହାର କରିଦିଏ। ଥଣ୍ଡା, ସର୍ଦି ଏବଂ ସାଇନସ୍‌ ସମସ୍ୟାରେ ଉପକାର ମିଳେ। ଶୀତଦିନେ ବାମ୍ଫ ନେବା ସବୁଠାରୁ ଲାଭଦାୟକ।

ପ୍ରାଣାୟାମ: ପ୍ରତ୍ୟେକ ଋତୁରେ ଶରୀରକୁ ସୁସ୍ଥ ରଖେ ଯୋଗ ଓ ପ୍ରାଣାୟାମ। ନିୟମିତ ପ୍ରାଣାୟାମ କଲେ ଫୁସ୍‌ଫୁସରୁ କଫ ବାହାରିଯିବା ସହ ଏହା ଭଲଭାବେ କାର୍ଯ୍ୟକ୍ଷମ ହୋଇପାରେ।

Comments are closed.