ଶୀତଦିନେ ରୂପି ? ମୁକ୍ତି ପାଇଁ ଆପଣାନ୍ତୁ ଏହି ଉପାୟ

0

ଧୀରେଧୀରେ ଶୀତ ପଡ଼ିବା ଆରମ୍ଭ ହୋଇଗଲାଣି। ତେବେ ଶୀତଦିନେ ବିଭିନ୍ନ ପ୍ରକାରର ଚର୍ମ ଓ କେଶ ସମସ୍ୟା ଦେଖାଦେଇଥାଏ। ବିଶେଷ କରି ଏହି ଦିନରେ ସବୁଠୁ ବଡ଼ ସମସ୍ୟା ହେଉଛି ରୂପି ବା ଡାଣ୍ଡ୍ରଫ୍। ସାଧାରଣତଃ କିଛି ଲୋକଙ୍କର ସବୁ ସମୟରେ ମୁଣ୍ଡରେ ରୂପି ସମସ୍ୟା ଲାଗିରହିଥାଏ। ହେଲେ ଶୀତଦିନେ ଏହା ଅଧିକ ପରିମାଣରେ ଦେଖାଦେଇଥାଏ। ଏନେଇ ଲୋକେ ଖୁବ୍ ଚିନ୍ତିତ ହୋଇଥାଆନ୍ତି। ତେବେ ଏପରି କିଛି ଘରୋଇ ଉପଚାର ରହିଛି ଯାହାକୁ ଆପଣାଇବା ଦ୍ବାରା ଏହି ରୂପି ସମସ୍ୟା ସମ୍ପୂର୍ଣ୍ଣ ଭାବେ ଦୂରେଇ ଯିବ। ଚାଲନ୍ତୁ ଜାଣିବା ସେହି ଘରୋଇ ଉପଚାର ଗୁଡ଼ିକ ବିଷୟରେ –

ଘିକୁଆଁରୀ :

ଘିକୁଆଁରୀ ବା ଆଲୋଭେରା ଜେଲ୍ରେ ଆଣ୍ଟି ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି ଫଙ୍ଗଲ୍ ଗୁଣ ରହିଛି। ଏହି ଗୁଣ ଯୋଗୁଁ ଆଲୋଭେରା କେଶରୁ ରୂପି ଦୂର କରିଥାଏ। ଏଥିପାଇଁ ଦୁଇ ଚାମଚ ଆଲୋଭେରା ଜେଲ୍ରେ ଏକ ଚାମଚ ମହୁ ଏବଂ ଦୁଇ ଚାମଚ ଦହି ମିଶାନ୍ତୁ। ଏହି ମିଶ୍ରଣକୁ ମୁଣ୍ଡରେ ଲଗାଇ ୧୫ ମିନିଟ୍ ପରେ ଶାମ୍ପୁ କରି ଦିଅନ୍ତୁ।
ଏହାବ୍ୟତୀତ ତିନି ଚାମଚ ଆଲୋଭେରା ଜେଲ୍ରେ କିଛି ଡ୍ରପ୍ ନିମ ତେଲ ମିଶାଇ ମଧ୍ୟ ମୁଣ୍ଡରେ ଲଗାଇ ପାରିବେ। ଏମିତି କଲେ ମୁଣ୍ଡରେ ରୂପି ରହିବ ନାହିଁ।

ନିମତେଲ :

ପ୍ରତିଦିନ ନିମ ତେଲ କେଶରେ ଲଗାଇଲେ ରୂପି ସମସ୍ୟାରୁ ମୁକ୍ତି ମିଳିଥାଏ। ଫଳରେ କେଶ ମଧ୍ୟ କମ୍ ଝଡ଼ିଥାଏ। ନିମ ଶାମ୍ଫୁ ବ୍ୟବହାର କରିବା ଦ୍ବାରା ମଧ୍ୟ ମୁଣ୍ଡ କୁଣ୍ଡାଇ ହୋଇ ନ ଥାଏ ଓ କେଶରେ ଜଟା ହୋଇ ନ ଥାଏ।

ରାଶିତେଲ :

ରାଶି ତେଲ ବ୍ୟବହାର କରିବା ଦ୍ୱାରା ରୂପି ସମସ୍ୟା ସମ୍ପୂର୍ଣ୍ଣ ରୂପେ ଦୂରେଇ ଯାଇଥାଏ। ତେଣୁ ଶୀତ ଦିନେ ଅନ୍ୟ କୌଣସି ତେଲ ବଦଳରେ ରାଶି ତେଲ ବ୍ୟବହାର କଲେ ରୂପି ସମସ୍ୟା ଆଦୌ ଦେଖା ଦେଇ ନଥାଏ।

ଦହି :

ରୂପି ସମସ୍ୟା ପାଇଁ ଦହି ଏକ ମହୌଷଧୀ। ଦହିକୁ ସପ୍ତାହରେ ୩-୪ ଥର କେଶରେ ଲଗାନ୍ତୁ। ଲଗାଇବାର ଅଧଘଣ୍ଟା ପରେ କେଶ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ବହୁତ କମ୍ ଦିନରେ ରୂପି ସମସ୍ୟାରୁ ମୁକ୍ତି ମିଳିଥାଏ।

ଅଣ୍ଡା ଓ ଲେମ୍ବୁ ରସ:

ଅଣ୍ଡା ଓ ଲେମ୍ବୁ ରସ ମଧ୍ୟ ରୂପି ସମସ୍ୟା ଦୂରେଇବାରେ ସାହାଯ୍ୟ କରେ। ଏଥିପାଇଁ ଏକ ପାତ୍ରରେ କିଛି ଲେମ୍ବୁ ରସ ଓ ଅଣ୍ଡାର ହଳଦିଆ ଅଂଶକୁ ଗୋଳାଇ ମୁଣ୍ଡରେ ଭଲ ଭାବରେ ମାଲିସ କରନ୍ତୁ। ଏହାକୁ ଲଗାଇବାର ପ୍ରାୟ ୨ ଘଣ୍ଟା ପରେ ସମ୍ପୂର୍ଣ୍ଣ ଶୁଖିଯିବା ପରେ ଶାମ୍ପୁ କରିଦିଅନ୍ତୁ। ସପ୍ତାହକୁ ୩-୪ ଥର ଏପରି କଲେ ରୂପି ସମସ୍ୟା ସମ୍ପୂର୍ଣ୍ଣ ଭଲ ହେଇଯିବ।

କଞ୍ଚା କ୍ଷୀର:

କଞ୍ଚା କ୍ଷୀର ମଧ୍ୟ କେଶ ପାଇଁ ବହୁତ ଉପକାରୀ। ଗାଧୋଇବାର କିଛି ସମୟ ପୂର୍ବରୁ ମୁଣ୍ଡରେ କଞ୍ଚା କ୍ଷୀରକୁ ଭଲ ଭାବରେ ଲଗାଇ ଦିଅନ୍ତୁ ଏବଂ ଶୁଖିଗଲା ପରେ ମୁଣ୍ଡ ସଫା କରି ଦିଅନ୍ତୁ । ଏହାଦ୍ବାରା ରୂପି ସମସ୍ୟା ଦୂର ହୋଇଯିବ।

ମେଥି:

ରାତିରେ ଏକ ମୁଠା ମେଥି ପାଣିରେ ଭିଜାଇ ସକାଳେ ଏହାର ପେଷ୍ଟ୍ ପ୍ରସ୍ତୁତ କରି ମୁଣ୍ଡରେ ଲଗାନ୍ତୁ। ପାଖାପାଖି ୧ଘଣ୍ଟା ରଖିବା ପରେ ମୁଣ୍ଡ ସଫା କରିଦିଅନ୍ତୁ। ଏହାଦ୍ୱାରା ରୂପି ଜନିତ ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଥାଏ।

Leave A Reply