ସାଧାରଣ ଜୀବନରେ ରହିଛି, ନିର୍ବାଚନ ଲଢିବି : ଦାମ ରାଉତ

0

ଭୁବନେଶ୍ପର : ବିଜେଡିରୁ ବହିଷ୍କୃତ ହେଲା ପରେ ଡକ୍ଟର ଦାମ ରାଉତ ଗଣ ମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଆଠ ମାସ ହେଲା କେହି ପଚାରୁ ନଥିଲେ। ଦଳୀୟ କାର୍ଯ୍ୟକ୍ରମକୁ ଡକାଯାଉ ନଥିଲା କିମ୍ବା ଦଳର କୌଣସି ନେତା କଥା ହେଉ ନଥିଲେ। ବିନାକାରଣରେ ମୋତେ ମନ୍ତ୍ରୀ ପଦ, ପରେ ଦଳୀୟ ଉପସଭାପତି ଓ ପର୍ଯ୍ୟବେକ୍ଷକ ପଦରୁ ବାହାର କରିଦେଲେ। ମୋତେ ଦଳରେ ଥିବା ଭଳି ଳାଗୁନଥିଲା। ଯଦି ଏବେ ଆନୁଷ୍ଠାନିକ ଭାବେ ମୋତେ ଦଳରୁ ବହିଷ୍କାର କଲେ ମୋର କିଛି କହିବାର ନାହିଁ। ମୁଁ ନିର୍ଭିକ, ଡରିବି ନାହିଁ। ସାଧାରଣ ଜୀବନରେ ରହିଛି ଓ ନିର୍ବାଚନ ଲଢିବି। ଦଳୀୟ ଟିକେଟ ନମିଳିଲେ ସ୍ୱାଧୀନଭାବେ ନିର୍ବାଚନ ଲଢିବି। ବିଜେଡିରୁ ବହିଷ୍କାର ପରେ ଏହାଥିଲା ପୂର୍ବତନ ମନ୍ତ୍ରୀ ତଥା ପାରାଦ୍ୱୀପ ବିଧାୟକ ଡ. ଦାମୋଦର ରାଉତଙ୍କ ପ୍ରତିକ୍ରିୟା।

ବହିଷ୍କୃତ ହେବାପରେ ଦାମ ବିସ୍ଫୋରକ ବୟାନ ଦେଇଛନ୍ତି । ଦଳୀୟ ସ୍ୱାର୍ଥ ପାଇଁ ନବୀନ ବାବୁ ନୀତି ବଦଳାଉଛନ୍ତି ବୋଲି ଦାମୋଦର ରାଉତ ଅଭିଯୋଗ କରିଛନ୍ତି । ଦଳରେ ସମ୍ବିଧାନ ନାହିଁ । ମୋର ୪୦ ବର୍ଷ ରାଜନୀତି ଜୀବନରେ ଦୁର୍ନିତି କରିନାହିଁ ଏବଂ ଦୁର୍ନିତିକୁ ବିରୋଧ କରିଛି।  ଦଳର ସଭାପତି ଦିଲ୍ଲୀରେ ରହି ବହିଷ୍କାର କରିଛନ୍ତି। ବହିଷ୍କାର ପତ୍ରକୁ ମୁଁ ଅପେକ୍ଷା କରିଛି ବୋଲି ଦାମୋଦର ରାଉତ କହିଛନ୍ତି । ବିଜେଡି ଦଳ ଟିକେଟ  ମୋ ପାଇଁ ଅନିବାର୍ଯ୍ୟ ନୁହେଁ ବୋଲି ଡାକ୍ତର ରାଉତ କହିଛନ୍ତି।  କିଛି ଯୁବ ନେତା ଆଉ ସରାକାରୀ ଅଧିକାରୀଙ୍କ  ଅନୁସାରେ  ଦଳ ଚାଲିଛି ।  ବିଜୁ ବାବୁଙ୍କ କୌଣସି ଅନୁଗାମୀ ଦଳରେ ନାହାନ୍ତି। ମୁଁ ବିଜୁ ବାବୁଙ୍କ ଚେଲା, ଅନ୍ୟ କୌଣସି ଦଳରେ ଯୋଗ ଦେବି ନାହିଁ। ବିଜୁବାବୁଙ୍କ ପାଇଁ ହିଁ ମୁଁ ରାଜନୀତିକୁ ଆସିଥିଲି ଆଉ ତାଙ୍କ ନାମରେ ହିଁ ରାଜନୀତିରେ ରହିବି।

Leave A Reply