ଷ୍ଟେନ୍ ଦକ୍ଷିଣ ଆଫ୍ରିକାର ସଫଳତମ ଟେଷ୍ଟ ବୋଲର ହେଲେ

0

ସେଞ୍ଚୁରିଅନ୍ : ଡେଲ୍ ଷ୍ଟେନ୍ ଦକ୍ଷିଣ ଆଫ୍ରିକାର ସଫଳତମ ଟେଷ୍ଟ ବୋଲର ହୋଇ ପାରିଛନ୍ତି। ବୁଧବାରଠାରୁ ଏଠାରେ ଭ୍ରମଣକାରୀ ପାକିସ୍ତାନ ବିପକ୍ଷରେ ପ୍ରଥମ ଟେଷ୍ଟମ୍ୟାଚ୍‌ରେ ଓପ୍‌ନର ଫଖର ଜମାନ୍‌ଙ୍କୁ ଆଉଟ୍‌କରି ଫାଷ୍ଟବୋଲର ଷ୍ଟେନ୍ ଏହି କୃତିତ୍ବ ହାସଲ କରିଛନ୍ତି। ଏହା ହେଉଛି ଷ୍ଟେନ୍‌ଙ୍କର ୪୨୨ତମ ଟେଷ୍ଟ ୱିକେଟ। ଫଳରେ ସନ୍ ପୋଲକ୍‌ଙ୍କର ୪୨୧ ଟେଷ୍ଟ ୱିକେଟକୁ ଅତିକ୍ରମ କରି ଡେଲ୍ ଷ୍ଟେନ୍ ଦକ୍ଷିଣ ଆଫ୍ରିକାର ସଫଳତମ ଟେଷ୍ଟ ବୋଲର ହୋଇଥିଲେ। ୩୫ ବର୍ଷ ବୟସ୍କ ଷ୍ଟେନ୍‌ଙ୍କର ଏହା ୮୯ତମ ଟେଷ୍ଟମ୍ୟାଚ୍ ଥିଲା। ୨୦୦୪ରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟମ୍ୟାଚ୍ ଜୀବନର ଆରମ୍ଭ କରିଥିବା ଡେଲ୍ ଷ୍ଟେନ୍‌ଙ୍କର ପ୍ରଥମ ଟେଷ୍ଟ ୱିକେଟ ଥିଲେ ଓପ୍‌ନର ମାର୍କସ ଟ୍ରେସ୍କୋଥିକ୍। ଏହି ୧୪ ବର୍ଷରେ ଷ୍ଟେନ୍ ୪୨୨ଟି ଟେଷ୍ଟ ୱିକେଟ ନେଇଥିବା ବେଳେ ସେ ୨୬ ଥର ଏକ ଟେଷ୍ଟ ଇନିଂସରେ ୫ଟି କିମ୍ବା ଅଧିକ ଟେଷ୍ଟ ୱିକେଟ ନେଇଥିବା ବେଳେ ୫ ଥର ଏକ ଟେଷ୍ଟମ୍ୟାଚ୍‌ରେ ୧୦ କିମ୍ବା ଅଧିକ ୱିକେଟ ନେଇଥିଲେ। ପୂର୍ବରୁ ୧୦୮ ଟେଷ୍ଟରୁ ୪୨୧ଟି ୱିକେଟ ନେଇଥିବା ପୂର୍ବତନ ଅଧିନାୟକ ତଥା ଫାଷ୍ଟବୋଲର ସନ୍ ପୋଲକ୍ ଦକ୍ଷିଣ ଆଫ୍ରିକାର ସର୍ବାଧିକ ଟେଷ୍ଟ ୱିକେଟ ହାସଲକାରୀ ଥିଲେ; ଯାହାଙ୍କୁ ଏହି ଟେଷ୍ଟମ୍ୟାଚ୍‌ରେ ଡେଲ୍ ଷ୍ଟେନ୍ ଅତିକ୍ରମ କରି ପାରିଛନ୍ତି।

Comments
Loading...