ଯାତ୍ରା ଖଳନାୟକ ଦୈତ୍ୟାରି ପଣ୍ଡାଙ୍କ ବିରୋଧରେ ଲତା ମଣ୍ଡଳଙ୍କ ଏତଲା

0

ସିମୁଳିଆ : ଯାତ୍ରା ଜଗତର ମହା ନାୟକ ଦୈତ୍ୟାରି ପଣ୍ଡା ତାଙ୍କୁ ବିବାହ କରିଥିବା କହି ପତ୍ନୀର ଅଧିକାର ପାଇବା ଦାବିରେ ବିଗତ ଦିନର ଯାତ୍ରା ଅଭିନେତ୍ରୀ ଲତା ମଣ୍ଡଳ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଯଦି ତାଙ୍କୁ ନ୍ୟାୟ ନ ମିଳେ, ତେବେ ସେ ନବୀନ ନିବାସ ଆଗରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି। ୫୪ ବର୍ଷ ବୟସ୍କା ଲତା ମଣ୍ଡଳ(ପଣ୍ଡା) ଆଜି ସିମୁଳିଆ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ ତାରିଣୀ ଯାତ୍ରା ପାର୍ଟିରେ ଅଭିନୟ କରୁଥିବା ସମୟରେ ଦୈତ୍ୟାରି ପଣ୍ଡାଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ପରେ ଦୁହେଁ ବିବାହ କରିଥିଲେ। ଦୈତ୍ୟାରିଙ୍କ ଔରସରୁ ତାଙ୍କର ଦୁଇଟି ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଥିଲେ। ମାତ୍ର ବଡ଼ ପୁଅ ୩ ବର୍ଷର ହୋଇଥିବାବେଳେ ପାଣିରେ ପଡ଼ି ମୃତ୍ୟୁବରଣ କରିଛି। ଦ୍ୱିତୀୟ ପୁତ୍ର ଶମ୍ଭୁନାଥ ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝାଡିରେ ତାଙ୍କ ପାଖରେ ରହୁଛି। କିଛି ଦିନ ତଳେ ଲତାଙ୍କ ଏହି ଅଭିଯୋଗ ଏକ ଟିଭି ଚାନେଲରେ ପ୍ରସାରିତ ହୋଇଥିଲା। ଏହା ଉପରେ ଦୈତ୍ୟାରି ନିଜର ମତ ରଖି ଲତା ବା ଶମ୍ଭୁନାଥଙ୍କୁ ସେ ଜାଣି ନ ଥିବା କହିଥିଲେ। ଦୈତ୍ୟାରି ପଣ୍ଡାଙ୍କ ଏଭଳି ବିବୃତିରେ ମାନସିକ ଆଘାତପ୍ରାପ୍ତ ହୋଇ, ତାଙ୍କ ପତ୍ନୀର ଅଧିକାର ପାଇବା ଦାବିରେ ସେ ଆଜି ସିମୁଳିଆ ଥାନାରେ ଲିଖିତ ଏତଲା ଦେଇଥିବା ଲତା କହିଛନ୍ତି। ସେ ମଧ୍ୟ କହିଛନ୍ତି ଯେ ବିଭିନ୍ନ ମୋବାଇଲ ନମ୍ବରରୁ ତାଙ୍କ ପୁଅକୁ ଜୀବନରୁ ମାରିଦେବାର ଧମକ ଆସୁଛି। ତେଣୁ ସେ ଦୈତ୍ୟାରିଙ୍କ ପତ୍ନୀର ଅଧିକାର ପାଇବାକୁ ଥାନାର ଦ୍ୱାରସ୍ଥ ହୋଇିଛନ୍ତି। ଯଦି ଥାନା ବା ଅଦାଲତରେ ନ୍ୟାୟ ନ ପାଇବେ, ତେବେ ସେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମାହୁତି ଦେବେ ବୋଲି ଲତା କହିଛନ୍ତି। ସିମୁଳିଆ ଥାନା ଅଧିକାରୀ ସଞ୍ଜୟ ପରିଡା ଏହି ଅଭିଯୋଗକୁ ସମ୍ବେଦନଶୀଳତାର ସହିତ ନେଇ ଏତଲା ନଂ ୨୭୫/୧୮ମୂଳେ ମାମଲା ରୁଜୁ କରିଥିବା ଜଣାଯାଇଛି। ଏ ସଂପର୍କରେ ଦୈତ୍ୟାରି ପଣ୍ଡାଙ୍କ ମତ ନେବାକୁ ଚେଷ୍ଟା କରାଯାଇଥିଲେ ବି ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ।

Leave A Reply