ସ୍ନାନ ଯାତ୍ରାରେ ନିୟୋଜିତ ହେବାକୁ ଥିବା ୧୫୦ ଦଇତାପତି ସେବାୟତଙ୍କର ଆଜିଠୁ ହେବ କରୋନା ଟେଷ୍ଟ

ପୁରୀ :ମହାମାରୀ କରୋନା ପାଇଁ ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନ ଯାତ୍ରା କମ୍ ଦଇତାପତି ସେବାୟତରେ ସମ୍ପନ୍ନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଏଣୁ ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରା ବେଳେ ପହଣ୍ଡି ପାଇଁ ୧୫୦ ଜଣ ଦଇତାପତି ସେବାୟତ ରହିବେ। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ସେବାରେ ୧୫୦ ଜଣ ଦଇତାପତି ସେବାୟତ ନିୟୋଜିତ ହେବେ। ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ୬୦, ବଳଭଦ୍ରଙ୍କ ପାଇଁ ୫୦ ଜଣ ସେବକ ରହିବେ, ସୁଭଦ୍ରାଙ୍କ ପାଇଁ ୩୦ ଓ ସୁଦର୍ଶନଙ୍କ ପାଇଁ ୧୦ ଦଇତାପତି ରହିବେ।
ତେବେ ଶ୍ରୀମନ୍ଦିର ପ୍ରଶାସନର ନର୍ଦେଶ ଅନୁସାରେ ଆଜି ଏବଂ କାଲି ଦୁଇ ଦିନ ଧରି ସ୍ନାନ ଯାତ୍ରାରେ ନିୟୋଜିତ ହେବାକୁ ଥିବା ୧୫୦ ଦଇତାପତି ସେବାୟତଙ୍କ କରୋନା ଟେଷ୍ଟ କରାଯିବ । ଆଜି ୭୫ ଦଇତାପତି ସେବାୟତଙ୍କ ସ୍ବାବ ଟେଷ୍ଟ ପାଇଁ ନିଆଯିବାକୁ ଥିବା ବେଳେ କାଲି ଆଉ ୭୫ ଜଣଙ୍କର ସ୍ବାବ ଟେଷ୍ଟ ପାଇଁ ନିଆଯିବ ।
ସେହିପରି ୨୯ ଓ ୩୦ ତାରିଖରେ ଗରାବଡୁ ସେବାୟତଙ୍କ କୋଭିଡ ଟେଷ୍ଟ ହେବ। ତେବେ କେତେ ସଂଖ୍ୟକ ଗରାବଡୁ ସେବାୟତଙ୍କର କୋଭିଡ୍ ଟେଷ୍ଟ ହେବ ତାହା ସଂପୃକ୍ତ ନିଯୋଗ ତାଲିକା ଦେବାପରେ ନିଷ୍ପତ୍ତି ନିଆଯିବ । ପର୍ଯ୍ୟାୟକ୍ରମେ ଅନ୍ୟ ୯ ନିଯୋଗମାନଙ୍କର କୋଭିଡ୍ ଟେଷ୍ଟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷେ ବିଭିନ୍ନ ନିଯୋଗ ସେମାନଙ୍କ ସେବାୟତଙ୍କ ତାଲିକା ଦାଖଲ କରୁଛନ୍ତି। ଖୁଣ୍ଟିଆ ସେବାୟତ ସେମାନଙ୍କ ସଂଖ୍ୟା ୪୦ ପରିବର୍ତ୍ତେ ୧୦ଜଣରେ ସୀମିତ ରଖିବେ ବୋଲି କହିଛନ୍ତି। ପ୍ରତିବର୍ଷ ପ୍ରାୟ ୨ହଜାରରୁ ଅଧିକ ସେବାୟତ ସ୍ନାନଯାତ୍ରାରେ ସାମିଲ ହେଉଥିବା ବେଳେ ଚଳିତବର୍ଷ ମହାମାରୀ ପାଇଁ ସାମାଜିକ ଦୂରତ୍ବକୁ ପାଇଁ ଏହା ମାତ୍ର ୫ଶହ ଭିତରେ ସୀମିତ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ।