କାମରେ ଆସୁନି ଡଇନାପାଲି ସରକାରୀ ପ୍ରକଳ୍ପ

ବଲାଙ୍ଗିର: ବଲାଙ୍ଗିର ଜିଲା ପୁଇଁନ୍ତଲା ବ୍ଲକ ଗଇଁନ୍ତଲା ପଞ୍ଚାୟତ ଅନ୍ତର୍ଗତ ଡଇନାପାଲୀ ଗାଁରେ ସରକାରୀ ପ୍ରକଳ୍ପ ଲୋକଙ୍କ କାମରେ ଆସୁନି। ଏଭଳି ଗୁରୁତର ଅଭିଯୋଗ ଆଣି ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗାଁରେ ସୋଲାର ଚାଳିତ ପାଣି ପମ୍ପ ଲଗାଯାଇଥିଲା। କିଛି ଦିନ ଠିକ୍ ଠାକ୍ ଚାଲିଥିଲା। ହେଲେ ପରବର୍ତ୍ତୀ ସମୟରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହା ଅଚଳ ହୋଇଗଲା। ଦୀର୍ଘ ୮ ମାସ ହେଲା ଏଭଳି ଶୋଚନୀୟ ଅବସ୍ଥାରେ ପଡିଥିବା ବେଳେ ତାହା ଅକାମୀ ହୋଇଯାଇଛି। ଏହି ସୋଲାର ପାଣି ପମ୍ପ ଲାଗିବା ଦ୍ୱାରା ଅନେକ ପରିବାର ପାନୀୟ ଜଳ ସୁବିଧାରେ ପାଇ ପାରୁଥିଲେ। ହେଲେ ଯେଉଁ ଦିନ ଠାରୁ ଏହା ଅଚଳ ହେଲାଣି ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ପାଣି ପାଇଁ ଲୋକେ ଡହଳ ବିକଳ ହେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କୁ ମରାମତି ପାଇଁ ଜଣାଇଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇ ନାହିଁ। କରୋନା ଆଳରେ ବିଭାଗୀୟ ବାବୁ ଦେଖା ଦେଉ ନଥିବା ବେଳେ ଯଥାଶୀଘ୍ର ମରାମତି କରିବାକୁ ଦାବି କରିଛନ୍ତି। ଅନ୍ୟଥା ସ୍ଥାନୀୟ ଗ୍ରାମବାସୀ ପୁଇଁନ୍ତଲା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।