ଦେଶରେ ଦିନକରେ ସଂକ୍ରମଣ ୫୮ ହଜାର ଟପିଲା: ୫୩୪ ମୃତ: ଆସିଲା ତୃତୀୟ ଲହର

ନୂଆଦିଲ୍ଲୀ: ଭାରତରେ କୋଭିଡର ତୃତୀୟ ଲହର ସାଂଘାତିକ ଭାବରେ ମାଡିଚାଲିଛି । ମଙ୍ଗଳବାର ଦିନକ ମଧ୍ୟରେ ୫୮,୦୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୫୩୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୧୫,୩୮୯ ଜଣସୁସ୍ଥ ହୋଇଛନ୍ତି । ସଂପ୍ରତି ୨,୧୪,୦୦୪ ଜଣ ସକ୍ରିୟ ଆକ୍ରାନ୍ତ ଦେଶରେ ରହିଛନ୍ତି । କରୋନା ଜନିତ ମୃତ୍ୟୁସଂଖ୍ୟା ୪,୮୨,୫୫୧କୁ ବୃଦ୍ଧିପାଇଛି । ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଓ ତାମିଲନାଡୁ ଆଦି ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ଏଥିସହିତ ଗୁଜରାଟ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ବିହାର, ଓଡ଼ିଶା, ହିମାଚଳପ୍ରଦେଶ, କେରଳ, ଗୋଆ, ପଞ୍ଜାବ ଓ ତେଲେଙ୍ଗାନା ଆଦି ରାଜ୍ୟରେ ମଧ୍ୟ ଦୈନିକ ସଂକ୍ରମଣରେ ବିସ୍ଫୋରଣ ଘଟୁଛି । କୋଭିଡ ସଂକ୍ରମଣକୁ ପ୍ରତିହତ କରିବାକୁ ଦେଶରେ ଟିକାକରଣକୁ ବ୍ୟାପକ କରାଯାଇଛି । ମଙ୍ଗଳବାର ଟିକାକରଣ ୧୪୭.୭୨ କୋଟି ପାନରେ ପହଞ୍ଚିଥିବା ପ୍ରାଥମିକ ରିପୋର୍ଟରୁ ଜଣାଯାଇଛି । ଏଥିସହିତ ସରକାର ନମୁନା ପରୀକ୍ଷାକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ମଙ୍ଗଳବାର ଦିନକ ମଧ୍ୟରେ ୧୩,୮୮,୬୪୭ ନମୁନା ପରୀକ୍ଷା କରାଯାଇଛି । କାଲିସୁଦ୍ଧା ମୋଟ ୬୮,୩୮,୧୭,୨୪୨ ନମୁନା ପରୀକ୍ଷା କରାଯାଇଥିବା ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମଆର) ସୂତ୍ରରୁ ଜଣାଯାଇଛି ।

Comments are closed.