ରାଜ୍ୟରେ ଦୈନିକ ସଂକ୍ରମଣ ୩ହଜାର ଟପିଲା: ୨୪ ଘଣ୍ଟାରେ ନୂଆ ୩୧୦୮ ସଂକ୍ରମିତ ଚିହ୍ନଟ ସୁନ୍ଦରଗଡ ପରେ ଖୋର୍ଦ୍ଧା ପାଲଟିଲା ହଟସ୍ପଟ୍‍: ଖୋର୍ଦ୍ଧାରୁ ସର୍ବାଧିକ ୫୩୪ ଚିହ୍ନଟ, ସୁନ୍ଦରଗଡରୁ ୫୨୩: ଆଜିଠାରୁ ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ ଉପରମୁହାଁ ହେବାରେ ଲାଗିଛି। ଛତିଶଗଡ ସୀମାନ୍ତକୁ ଲାଗିଥିବା ସୁନ୍ଦରଗଡ, ନୂଆପଡା ଆଦି ଜିଲାରେ ଦୈନିକ ସର୍ବାଧିକ ସଂକ୍ରମଣ ପରିଲକ୍ଷିତ ହେଉଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଖୋର୍ଦ୍ଧା ଜିଲା କରୋନାର ନୂଆ ହଟସ୍ପଟ୍‍ ପାଲଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୩୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ସୁନ୍ଦରଗଡରେ ଏହି ସମୟରେ ୫୨୩ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଅଧିକାଂଶ ଜିଲାରେ ଦୈନିକ ସଂକ୍ରମଣ ୧୦୦ ଟପିଛି।

ଏହି ସମୟ ମଧ୍ୟରେ କଟକରୁ ୧୬୩, ନବରଙ୍ଗପୁର ୧୫୬, ସମ୍ବଲପୁର ୧୫୩, ବାଲେଶ୍ୱର ୧୫୧, ନୂଆପଡା ୧୪୦, ବଲାଙ୍ଗୀର ୧୩୩, ବରଗଡ ୧୩୨ ଏବଂ ଷେଟପୁଲରୁ ୧୧୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ପୁରୀରୁ ୧୧୪, କେନ୍ଦୁଝରରୁ ୧୦୪ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଝାରସୁଗୁଡା ଜିଲାରୁ ୮୯, ଯାଜପୁର ୭୫, ମୟୁରଭଞ୍ଜ ୭୧, ଗଞ୍ଜାମ ୫୫, କଳାହାଣ୍ଡି ୫୫, ଭଦ୍ରକ ୫୩, ଅନୁଗୁଳ ୪୪, ସୁବର୍ଣ୍ଣପୁର ୪୨, ରାୟଗଡା ୩୮, ଜଗତସିଂହପୁର ୨୯, କୋରାପୁଟ ୨୩, କେନ୍ଦ୍ରାପଡା ୨୨, ଦେବଗଡ ୧୯, ଗଜପତି ୧୮, ୧୬, ନୟାଗଡ ୧୫, କନ୍ଧମାଳ ୧୦, ଢେଙ୍କାନାଳ ୧୬, ବୋଦ୍ଧ ୯, ମାଲକାନଗିରିରୁ ୩ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଷ୍ଟେଟ ପୁଲରୁ ୧୧୮ ଜଣ ଚିହ୍ନଟ ହୋଇଛନ୍ତି। ଇତିମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ଆଉ ୮୩୭ ଜଣ ସୁସ୍ଥ ହୋଇଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୬୧ ହଜାର ୪୫୦କୁ ବୃଦ୍ଧି ପାଇଥିବାବେଳେ ସେମାନଙ୍କ ମଧ୍ୟରୁ ମୋଟ ୩ ଲକ୍ଷ ୪୨ ହଜାର ୫୭୦ ସୁସ୍ଥ ହୋଇଛନ୍ତି। ଏଥିସହିତ ଓଡ଼ିଶାରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬,୮୮୯ ରହିଛି। ଇତିମଧ୍ୟରେ ରାଜ୍ୟରେ ମୋଟ ୯ କୋଟି ୫୨ ଲକ୍ଷ ୮ହଜାର ୧୮୨ ଜଣଙ୍କର ନମୁନା ପରୀକ୍ଷା କରାଯାଇସାରିଲାଣି।

କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି। ଛତିଶଗଡ ଓ ଝାଡଖଣ୍ଡ ସୀମାନ୍ତ ୧୦ଟି ଜିଲାରେ ପୂର୍ବରୁ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଥିବାବେଳେ ସେହି ସମୟରେ ପରିବର୍ତ୍ତନ କରାଯାଇ ସେହିସବୁ ଜିଲାରେ ସଂଧ୍ୟା ୬ରୁ ସକାଳ ୫ ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ସେହି ଜିଲାଗୁଡିକ ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି। ଏହି ଜିଲାଗୁଡିକରେ ସପ୍ତାହାନ୍ତ ଲକ୍‍ଡାଉନ ଘୋଷଣା କରାଯାଇଛି। ପ୍ରତି ସପ୍ତାହର ଶନିବାର ଏବଂ ରବିବାର ଏହି ଜିଲାଗୁଡିକରେ ଲକ୍‍ଡାଉନ ଲାଗୁହେବ। ଏଥିସହିତ ରାଜ୍ୟର ଭୁବନେଶ୍ୱର, କଟକ ସମେତ ଅନ୍ୟ ସମସ୍ତ ସହରାଞ୍ଚଳରେ ଆଜିଠାରୁ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରାଯାଇଛି। ଏହି ଆଦେଶ ଅନିର୍ଦ୍ଦଷ୍ଟକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ। କରୋନା ସଂକ୍ରମଣର ଚେନ୍‍ ଭାଙ୍ଗିବାକୁ ସରକାର ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି।

Comments are closed.