ଭାରତରେ ୩ ଲକ୍ଷ ନିକଟତର କରୋନା: ଦିନକରେ ୩୯୬ ମୃତ, ୧୦୯୫୬ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଧୀରେ ଧୀରେ ସାଂଘାତିକ ପରିସ୍ଥିତି ସୃଷ୍ଟି କରୁଛି। କିଛିଦିନ ଧରି ଦୈନିକ ୮ରୁ ୯ ହଜାର ସଂକ୍ରମିତ ଚିହ୍ନଟ ହେଉଥିଲାବେଳେ ଶୁକ୍ରବାର ଏହା ୧୦ ହଜାର ଅତିକ୍ରମ କରିଛି। ଅର୍ଥାତ ଗତ ୨୪ ଘଣ୍ଟାରେ ଦେଶରେ ୧୦ ହଜାର ୯୫୬ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ ୩୯୬ ରୋଗୀ ପ୍ରାଣ ହରାଇଛନ୍ତି। ଏହି ନୂଆ ସଂଖ୍ୟାକୁ ମିଶାଇଲେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ନିକଟତର ହୋଇଛି। ଶୁକ୍ରବାର ସକାଳ ସାଢ଼େ ୯ଟା ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୫୩୫ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୮୪୯୮କୁ ବୃଦ୍ଧି ପାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ବର୍ତ୍ତମାନ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧ ଲକ୍ଷ ୪୭ ହଜାର ୧୯୪ ସୁସ୍ଥ ହୋଇଥିବାବେଳେ ୧ଲକ୍ଷ ୪୧ ହଜାର ୮୪୨ ଜଣ ଚିକିତ୍ସାଧୀନ ଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ କିଛିଦିନ ହେବ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ତୁଳନାରେ ଆରୋଗ୍ୟ ହାର ଅଧିକ ରହିଛି।