୫ମ ଦଧୀଚି ମହୋତ୍ସବ : ‘ଅଙ୍ଗଦାନ ମଣିଷକୁ ଅମର କରେ’

ଭୁବନେଶ୍ବର : ଅଙ୍ଗଦାନ କେବଳ ଏକ ଅଭିଯାନ ନୁହେଁ, ଏକ ମହାନ ପରମ୍ପରାର ଅୟମାରମ୍ଭ। ଏହି ମହନୀୟ ଦାନ ଜଣେ ସାଧାରଣ ମଣିଷକୁ ଅସାଧାରଣ ବ୍ୟକ୍ତିତ୍ବ ଭାବେ ସର୍ବଦା ଜୀବନ୍ତ କରି ରଖିବ। ପ୍ରତ୍ୟେକ ନାଗରିକ ସମାଜ ପ୍ରତି ଥିବା ନିଜ ଦାୟିତ୍ବକୁ ହୃଦୟଙ୍ଗମ କରି ସ୍ବତଃପ୍ରବୃତ୍ତ ଭାବେ ଅଙ୍ଗଦାନ ପାଇଁ ପ୍ରତିଜ୍ଞା କରିବା ଆବଶ୍ୟକ ବୋଲି ୫ମ ଦଧୀଚି ମହୋତ୍ସବରେ ମତପ୍ରକାଶ ପାଇଛି।

ଲୋକସେବକ ମଣ୍ଡଳ, ଓଡ଼ିଶା ପକ୍ଷରୁ ରବିବାର ପୂର୍ବାହ୍ନରେ ଜୟଦେବ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୁର୍ନୀତି ନିବାରଣ ବିଭାଗ ନିର୍ଦେଶକ, କଥାକାର ଡ. ଦେବାଶିଷ ପାଣିଗ୍ରାହୀ କହିଥିଲେ ଯେ ଭାରତରେ ତ୍ୟାଗର ଏକ ମହାନ ପରମ୍ପରା ରହିଛି। ଶରୀର ଓ ଅଙ୍ଗଦାତାଙ୍କୁ ନେଇ ଆରମ୍ଭ ହୋଇଥିବା ଦଧୀଚି ମହୋତ୍ସବ ହେଉଛି ଏହି ମହାନ ପରମ୍ପରାର ଏକ ନୂତନ ସଂସ୍କରଣ। ମାନବ ସମାଜର କଲ୍ୟାଣ ପାଇଁ ଶରୀର ଓ ଅଙ୍ଗଦାନଠାରୁ ବଡ଼ ଆଉ କିଛି ନାହିଁ ବୋଲି ଡ. ପାଣିଗ୍ରାହୀ କହିଥିଲେ।

 

ମୁଖ୍ୟବକ୍ତାଭାବେ ପ୍ରଥମ ଅଙ୍ଗ ପ୍ରତିରୋପଣକାରୀ ତଥା ଖାତ୍ୟନାମା ପ୍ରତିରୋପଣ ଶଲ୍ୟ ଚିକିତ୍ସକ ଡା. ବତ୍ସଳା ଦ୍ବିବେଦୀ କହିଥିଲେ, ଚିକିତ୍ସା ବିଜ୍ଞାନରେ ଉନ୍ନତି ସତ୍ତ୍ବେ ବହୁଦିନ ପର୍ଯ୍ୟନ୍ତ ଆମ ସମାଜ ସହ ଏହା ଏକ କୁପ୍ରଥା ଭାବେ ବିବେଚିତ ହେଉଥିଲା। ବିଭିନ୍ନ କାରଣ ପାଇଁ ସମସ୍ତଙ୍କ ପାଖରେ ଏହା ଗ୍ରହଣୀୟ ନଥିଲା।  ସମୟକ୍ରମେ ଅଙ୍ଗଦାନ ପ୍ରକ୍ରିୟାରେ ଅନେକ ପରିବର୍ତ୍ତନ ଆସିଛି ସତ  ତେବେ ଏଥିପାଇଁ ଆଇନଗତ ପ୍ରତିବନ୍ଧକ ରହିଛି।  ସ୍ପଷ୍ଟ ଆଇନ ସହିତ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁଓର (ଏସ୍‌ଓପି) ଆସିବା ଜରୁରୀ ବୋଲି ଡା. ଦ୍ବିବେଦୀ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ  ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କହିଥିଲେ ଯେ ୧୯୮୫ରେ ଓଡ଼ିଶାରେ ଭିଏସ୍‌ଏସ୍‌ ମେଡିକାଲ କଲେଜରେ ପ୍ରଥମଥର ପାଇଁ ଅଙ୍ଗ ପ୍ରତିରୋପଣ ହୋଇଥିଲା।  ଏଥିପାଇଁ ୧୯୯୩ରେ ଆଇନ ପ୍ରଣୟନ କରାଯାଇଥିଲା। ଶରୀର ଦାନ ଓ ଅଙ୍ଗ ପ୍ରତିରୋପଣକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଏସ୍‌ସିବି ମେଡିକାଲ କଲେଜକୁ ଏକ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯିବା ସହିତ ଅନ୍ୟ ଦୁଇ ମେଡିକାଲ କଲେଜରେ କିପରି ସହଜରେ ଅଙ୍ଗ ପ୍ରତିରୋପଣ ହୋଇପାରିବ ସେନେଇ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ଧଳ କହିଥିଲେ।

ଡାକ୍ତରୀ  ଶିକ୍ଷା ଓ ତାଲିମ ନିର୍ଦେଶକ ପ୍ରଫେସର ଡା. ସିବିକେ ମହାନ୍ତି କହିଥିଲେ ଯେ, ପ୍ରତି ୫ ଜଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ଶରୀର ଆବଶ୍ୟକ।  ବର୍ତ୍ତମାନ ମୃତ ଶରୀର ଘୋର ଅଭାବ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବାଧକ ସାଜିଛି। ତେଣୁ ଶରୀର ଓ ଅଙ୍ଗଦାନ ଅଭିଯାନ ଅଧିକରୁ ଅଧିକ ଲୋକଙ୍କୁ ସଚେତନ କରିପାରିବ ବୋଲି ଡା. ମହାନ୍ତି ମତବ୍ୟକ୍ତ କରିଥିଲେ।

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ଓ ‘ସମାଜ’ ପରିଚାଳନାମଣ୍ଡଳୀର ଅଧ୍ୟକ୍ଷ ଦୀପକ ମାଲବ୍ୟ କହିଥିଲେ ଯେ ଅନ୍ୟର ଜୀବନ ରକ୍ଷା ପାଇଁ ନିଜ ଶରୀର ଅବା ଅଙ୍ଗଦାନ କରୁଥିବା ଲୋକଟିଏ ଦେଶପାଇଁ ବଳିଦାନ ଦେଉଥିବା ସହିଦଙ୍କଠାରୁ କୌଣସି ଗୁଣରେ କମ୍ ନୁହେଁ। ଆଜିର ସମୟରେ ଯେତେବେଳେ ଦେଶକୁ ଉତ୍ତମ ନାଗରିକଙ୍କ ଆବଶ୍ୟକତା ରହିଛି, ସେ ସମୟରେ ଅଙ୍ଗଦାତା ଏକ ମହାନ ପରମ୍ପରା ସୃଷ୍ଟି କରିଛନ୍ତି। ପ୍ରତ୍ୟେକ ମେଡିକାଲ କଲେଜରେ ଶରୀର ଓ ଅଙ୍ଗଦାତାଙ୍କ ସ୍ମୃତିରେ ଏକ ସ୍ବତନ୍ତ୍ର ଗ୍ୟାଲେରୀ ରହିବା ଆବଶ୍ୟକ। ଯଦ୍ବାରା ଆଗାମୀ ପିଢ଼ି ଏଥିରୁ ପ୍ରେରଣା ପାଇବେ। ମେଡିକାଲ କଲେଜର ଶରୀର ରଚନା ବିଭାଗ (ଆନାଟୋମୀ) ଅଙ୍ଗଦାନ ଅଭିଯାନରେ ସାମିଲ ହେବା ଜରୁରୀ ବୋଲି ଶ୍ରୀ ମାଲବ୍ୟ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ କହିଥିଲେ ଯେ ଦଧୀଚି ସମ୍ମାନ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଏହି ଅଭିଯାନରେ ପ୍ରତ୍ୟେକ ଦିନ ବହୁସଂଖ୍ୟକ ଲୋକ ସାମିଲ ହେଉଛନ୍ତି। ତେବେ ଆମକୁ ବହୁ ଆଗକୁ ଯିବାର ଅଛି। ସ୍ବତଃପ୍ରବୃତ୍ତଭାବେ ନାଗରିକ ଅଙ୍ଗଦାନ ପାଇଁ ଆଗେଇ ଆସିବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ଶ୍ରୀ ରଥ କହିଥିଲେ।

ପୂର୍ବତନ ପୁଲିସ ମହାନିର୍ଦେଶକ ଗୋପାଳ ନନ୍ଦ କହିଥିଲେ, ଶରୀର ଓ ଅଙ୍ଗଦାନ ଅଭିଯାନକୁ ଅାଗେଇ ନେବାରେ ଯୁବଗୋଷ୍ଠୀଙ୍କ ଗୁରୁଦାୟିତ୍ବ ରହିଛି। ବ୍ୟାପକ ସଚେତନତା ଦ୍ବାରା ବଡ଼ ପରିବର୍ତ୍ତନ ଆସିପାରିବ। ସ୍ବାଗତ ଭାଷଣ ଦେଇ  ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ତଥା ଭାରତ ଶରୀର ଓ ଅଙ୍ଗଦାନ ସମିତି (ବଡି)ର ସଭାପତି ଡ. ପ୍ରଭାସ ଆଚାର୍ଯ୍ୟ କହିଥିଲେ, ପୂର୍ବରୁ ୧୬୭୦ ଶରୀର ଦାନ ସତ୍ୟପାଠ ବିଭିନ୍ନ ମେଡିକାଲ କଲେଜକୁ ପ୍ରଦାନ କରାଯାଇ ଥିବାବେଳେ ୨୦ହଜାରରୁ ଊର୍ଦ୍ଧ୍ବ ଅଙ୍ଗଦାନ ସତ୍ୟପାଠ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଉପସ୍ଥିତ  ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଅଙ୍ଗଦାନ ପାଇଁ ସତ୍ୟପାଠ ଦାଖଲ କରିଥିଲେ।

ଦ୍ବିତୀୟ ଅଧିବେଶନରେ ‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ଡ. ଅକ୍ଷୟ କୁମାର ମିଶ୍ର, ବିଶିଷ୍ଟ ସମାଜସେବିକା ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ଆପୋଲୋ ହସ୍‌ପିଟାଲର ସିଇଓ ସୁଧୀର ଏମ୍‌. ଦିଗିକର, ବଡିର ଉପସଭାପତି ପ୍ରଫେସର ଡା. ପ୍ରଫୁଲ୍ଲ କୁମାର ମହାପାତ୍ର ପ୍ରମୁଖ ମୃତ୍ୟୁ ପରେ ଅମର ରହିବାକୁ ହେଲେ ଏକମାତ୍ର ଲକ୍ଷ୍ୟ ଅଙ୍ଗଦାନ ବୋଲି କହିଥିଲେ।

ଅନ୍ତିମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ, ଚଳଚ୍ଚିତ୍ର ଅଭିନେତା ସିଦ୍ଧାନ୍ତ ମହାପାତ୍ର, ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ବିଜୟ  କୁମାର ମହାପାତ୍ର, ସୋଟୋ ଓଡ଼ିଶାର ଯୁଗ୍ମ ନିର୍ଦେଶକ ଡ. ରୁଦ୍ରାଶିଷ ସାମଲ, ପ୍ରଫେସର ଧନେଶ୍ବର ସାହୁ, ‘ସମାଜ’ର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ପ୍ରମୁଖ ଯୋଗଦେଇ ଅଙ୍ଗଦାନ ଅଭିଯାନକୁ ବ୍ୟାପକ କରିବା ନେଇ ପରାମର୍ଶ ଦେଇଥିଲେ। ବିକ୍ରମାଦିତ୍ୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲାରୁ ଶତାଧିକ ଶରୀର ଓ ଅଙ୍ଗଦାତା ଯୋଗ ଦେଇଥିଲେ।   ଇଂ ଟି.ଏନ୍ ପଣ୍ଡାଙ୍କୁ ‘ଡା. ଜଗନ୍ନାଥ ଦାସ’ ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିସହ ଗତବର୍ଷ ଗୁଜରାଟର ସୁରତଠାରେ ମୃତ୍ୟୁ ପରେ ଅଙ୍ଗଦାନ କରିଥିବା ସ୍ବର୍ଗତ ସୂରଜ ସେଠୀ ଓ ମହାରାଷ୍ଟ୍ରର ନାଗପୁର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାସ୍କର ବିଶ୍ବନାଥ ମିଶ୍ରଙ୍କ ପରିବାରବର୍ଗଙ୍କୁ ମରଣୋତ୍ତର ‘ରାଷ୍ଟ୍ରୀୟ ଦଧୀଚି ସମ୍ମାନ’ ପ୍ରଦାନ କରାଯାଇଥିଲା। ସେହିପରି  ୩୫୦ଜଣ ଶରୀରଦାତାଙ୍କୁ ‘ଦଧୀଚି ସମ୍ମାନ’ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଶତାଧିକ ସଂଖ୍ୟାରେ ସତ୍ୟପାଠ ଦାଖଲ କରାଯାଇଥିଲା।

Comments are closed.