ନୀଳଗିରିରୁ ନାଗାଲାଣ୍ଡ, ୭ ଶ୍ରମିକଙ୍କ ଦାଦନ ବେଦନାର ଅକୁହା କଥା

ଦାରିଦ୍ର୍ୟର ଫାଇଦା ନେଉଛନ୍ତି ଦଲାଲ । କାମ ନାଁରେ ଦେଉଛନ୍ତି ଅକଥନୀୟ ଅତ୍ୟାଚାର । କଲକାତା କହି ନେଇଥିଲେ ନାଗାଲାଣ୍ଡ । ଏଭଳି ମାୟାଜାଲରୁ ଉଦ୍ଧାର ହୋଇଥିବା ବାଲେଶ୍ବରର ନୀଳଗିରି ଅଞ୍ଚଳର ୭ ଶ୍ରମିକ ବଖାଣିଛନ୍ତି ସେମାନଙ୍କ ଯନ୍ତ୍ରଣା ।

ବାଲେଶ୍ଵର: ଦଲାଲଙ୍କ ଅକଥନୀୟ ଅତ୍ୟାତାରରୁ ମୁକ୍ତି ପାଇଥିବା ୭ ଶ୍ରମିକଙ୍କ ମୁହଁରେ କୋହଭରା ଯନ୍ତ୍ରଣାର ଲୁହଭିଜା କାହାଣୀ । ଶ୍ରମ ଅଧିକାରୀଙ୍କ ସହାୟତାରେ ବାଲେଶ୍ବର ନୀଳଗିରିର ଏହି ୭ ଶ୍ରମିକ ନାଗାଲାଣ୍ଡରୁ ଉଦ୍ଧାର ହୋଇଛନ୍ତି । ସେଠାରେ ସେମାନଙ୍କୁ କାମ ନାଁରେ କିପରି ଯନ୍ତ୍ରଣା ଦିଆଯାଉଥିଲା ତାହାକୁ ସେମାନେ ନିଜେ ବୟାନ କରିବା ସହ ଦେଖାଇଛନ୍ତି ।

କେନ୍ଦ୍ରାପଡାର ରଞ୍ଜନ ଜେନା ନାମକ ଠିକାଦାର ନୀଳଗିରିର ଜଣେ ଦଲାଲ ସହାୟତାରେ ଏଠାକାର ବିଭିନ୍ନ ଅଞ୍ଚଳରୁ ୭ ଶ୍ରମିକଙ୍କୁ କଲକାତାରେ କାମ କରାଇବାକୁ କହିଥିଲା । ହେଲେ ସେ କୋଲକତା ନୁହେଁ ବରଂ ନାଗାଲାଣ୍ଡ ନେଇଯାଇଥିଲେ । ସେଠାରେ ବିଭିନ୍ନ ପ୍ଲାଏ ବୋର୍ଡ କମ୍ପାନୀରେ କାମରେ ଲଗାଇଥିଲେ । ୮ଘଣ୍ଟା ବଦଳରେ ୧୨ରୁ ୧୫ ଘଣ୍ଟା ଖଟାଇବା ସହ ମୁହଁ ଖୋଲିଲେ ନିର୍ଯାତନା ଦେବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି । ସୁଯୋଗ ଦେଖି ଘରକୁ ଜଣାଇବା ପରେ ପରିବାର ଲୋକେ ଶ୍ରମ ଅଧିକାରୀଙ୍କ ସହ ଯୋଗାଯୋଗ କରି ଉଦ୍ଧାର ହୋଇଥିବା ଜଣାପଡିଛି । ସମସ୍ତ ଉଦ୍ଧାର ଶ୍ରମିକଙ୍କୁ ନୀଳଗିରି ଶ୍ରମ କାର୍ଯ୍ୟାଳୟରେ ଅଣାଯାଇ ପଚରାଉଚୁରା କରାଯାଉଛି । ଉଦ୍ଧାର ଦାଦନ ଶ୍ରମିକଙ୍କ ମଧ୍ୟରେ ଶିଶୁ ଶ୍ରମିକ ରହିଛନ୍ତି କି ନାହିଁ ତାହା ତଦନ୍ତ ପରେ ଜଣାପଡିବ ବୋଲି କୁହାଯାଇଛି । ତେବେ ଗତ କିଛିଦିନ ପୂର୍ବେ ନୀଳଗିରିରୁ ଶ୍ରମିକ ଚାଲାଣ ବେଳେ ଗୋଟିଏ ବସରୁ ସେମାନଙ୍କୁ ପୋଲିସ ଉଦ୍ଧାର କରିଥିଲା । ନୀଳଗିରିରେ ଆଦିବାସୀ ଓ ବେକାରୀ ସମସ୍ୟା ଥିବାରୁ ଏହାର ସୁଯୋଗ ନେଇ ଦଲାଲମାନେ ଏପରି ଫାଇଦା ଉଠାଉଥିବା ଅଭିଯୋଗ ହୋଇଛି ।

Comments are closed.