ବ୍ୟବସାୟୀଙ୍କ ଘରେ ସଶସ୍ତ୍ର ଡକାୟତି; ପରିବାର ଲୋକଙ୍କୁ ମାଡ଼ ମାରି ୧୩ ଲକ୍ଷ ଟଙ୍କା ଓ ୨୫ ଭରି ସୁନା ଲୁଟିନେଲେ

କଳାହାଣ୍ଡି: କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ଭଏଁରିପାଲି ଗାଁରେ ସୋମବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ଘଟିଛି। ଡକାୟତମାନେ ଜଣେ ବ୍ୟବସାୟୀଙ୍କ ଘରେ ପଶି ପରିବାର ଲୋକଙ୍କୁ ନିସ୍ତୁକ ମାଡ଼ ମାରି ୧୩ ଲକ୍ଷ ଟଙ୍କା ଏବଂ ୨୫ ଭରି ଓଜନର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ଭଏଁରିପାଲି ଗାଁରେ ସୋମବାର ରାତି ୨ଟାରୁ ୩ଟା ମଧ୍ୟରେ ଏହି ଡକାୟତି ଘଟିଛି। ୫ ଜଣ ଡକାୟତ ସୋମବାର ରାତିରେ ବ୍ୟବସାୟୀଙ୍କ ଘରେ ପଶିଥିଲେ। ଉକ୍ତ ବ୍ୟବସାୟୀ ତାଙ୍କ ସ୍ତ୍ରୀ ଏବଂ ପୁଅକୁ ସେମାନେ ମାଡ଼ ମାରିବା ସହିତ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। ପରେ ସବୁ ଟଙ୍କା ଏବଂ ସୁନାଗହଣା ନେଇ ଫେରାର ହୋଇଯାଇଥିଲେ। ନିକଟରେ କିଛି ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍‌ କରିଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ପୁଲିସର ଅପରାଧ ନିୟନ୍ତ୍ରଣ ପଦକ୍ଷେପ ଉପରେ ମଧ୍ୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।

Comments are closed.