କୋସଲ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ପାଠ୍ୟକ୍ରମରେ ସାମିଲକୁ ବିରୋଧ କରି ଦାବିପତ୍ର ପ୍ରଦାନ 

ବୌଦ୍ଧ : ବୌଦ୍ଧଜିଲା କୋସଲ ରାଜ୍ୟ ସମନ୍ୱୟ ସମିତି ଆହ୍ୱାନରେ ଜିଲା ଆବାହକ ସୁବେଦାର ଲଳିତ କୁମାର ସାହୁଙ୍କ ନେତୃତ୍ୱରେ ଜିଲା ଶିକ୍ଷା ଅଧିକାରୀଙ୍କୁ ଆଜି ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ମହାମାରୀ ଓ ତାଲାବନ୍ଦ ସମୟରେ ପ୍ରଥମେ ଓଡିଶା ସରକାର ତରବରିଆ ଭାବରେ “ବନ୍ଦେ ଉତ୍କଳ ଜନନୀ” ସଂଗୀତକୁ ପ୍ରାଦେଶିକ ସଂଗୀତର ମାନ୍ୟତା ଦେଇଥିଲେ। କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ସେତେବେଳେ ଏହାକୁ ବିରୋଧ କରାଯାଇଥିଲା। କିନ୍ତୁ ସରକାର କିଛି ମଧ୍ୟ ବିଚାରକୁ ନ ନେଇ ଏବେ ଏହି ଦୁର୍ଦ୍ଦିନ ସମୟରେ ମହାମାରୀର ଦ୍ୱିତୀୟ ଲହରର ଭୟାବହତାରୁ ଠାରୁ ଧ୍ୟାନ ହଟାଇବା ପାଇଁ ପୁଣି “ବନ୍ଦେ ଉତ୍କଳ ଜନନୀ”କୁ ରାଜ୍ୟ ଶିକ୍ଷା ପାଠ୍ୟକ୍ରମରେ ସାମିଲ କରି ସମଗ୍ର କୋସଲାଞ୍ଚଳର ଲୋକଙ୍କ ଭାବାବେଗ ସହିତ କୁଠାରଘାତ କରିଛନ୍ତି। ଏଣୁ ଏହାକୁ ଦୃଢ ଭାବରେ ବିରୋଧ କରି କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ଆଜି ପଶ୍ଚିମାଞ୍ଚଳର ସବୁ ଜିଲାରେ ଜିଲା ଶିକ୍ଷାଧିକାରୀଙ୍କ ମାର୍ଫତରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଯଦି ଓଡିଶା ସରକାର ଏହି ଦାବିପତ୍ରକୁ ଅଣଦେଖା କରି ଶିକ୍ଷାପାଠ୍ୟକ୍ରମରୁ ଏହି ସଂଗୀତକୁ ନ ହଟାଇଲେ ଆଗାମୀ ଦିନରେ ସମଗ୍ର ପଶ୍ଚିମାଞ୍ଚଳରେ ଜନତା ଦୃଢ ଭାବରେ ପ୍ରତିବାଦ କରି ରାଜରାସ୍ତାରେ ନିଆଁ ଜଳାଇବାକୁ ବାଧ୍ୟହେବେ ଏବଂ ଏଥିପାଇଁ ଓଡିଶା ସରକାର ସମ୍ପୂର୍ଣ୍ଣ ଭାବରେ ଉତ୍ତର ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି। ଏହି ବିକ୍ଷୋଭ ପ୍ରଦର୍ଶନ ଶୋଭାଯାତ୍ରାରେ କୋସଲ ରାଜ୍ୟ ସମନ୍ୱୟ ସମିତିର ଯୁବ ସଂଙ୍ଗଠନ ସଭାପତି ଡୋଳାମଣି ପ୍ରଧାନ, ଭୀଷ୍ମରଞ୍ଜନ ପାତ୍ର, ସନ୍ତୋଷ ସାହୁ, ପ୍ରଶାନ୍ତ କୁମାର କର୍ଣ୍ଣ, ଷଣ୍ଢେଶ୍ୱର ଜଗଦଲା, ଶମ୍ଭୁପ୍ରସାଦ ମିଶ୍ର, ପ୍ରମୋଦ କୁମାର ମେହେର, ସୁଜିତ୍ ଜଗଦଲା, ସଞ୍ଜିବ ଭେତ୍ରା, କୋସଲ ସେନାର ସଂଗଠକ ଶ୍ରବଣ କୁମାର କର୍ଣ୍ଣ ,ଆଶିଷ ସାହୁ ଓ ମଧୁସୂଦନ ସଲମା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Comments are closed.