କୋସଲ ସମନ୍ୱୟ ସମିତି ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ବିରୋଧ

ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ

ବୌଦ୍ଧ : ରାଜ୍ୟ ସରକାର ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ପ୍ରାଦେଶିକ ସଙ୍ଗୀତ ଭାବେ ପାଠ୍ୟକ୍ରମରେ ସାମିଲ କରିବା ଓ ଏହି ସଙ୍ଗୀତକୁ ବିଦ୍ୟାଳୟ ଗୁଡିକରେ ଗାନ କରିବାକୁ ବାଧ୍ୟତାମୂଳକ କରିଥିବା ନେଇ ଏହାକୁ କୋସକାଞ୍ଚଳରେ ବିରୋଧ କରି ଶୁକ୍ରବାର ଦାବୀ ଦିବସ ଭାବେ ପାଳନ କରାଯାଇଛି। ବୌଦ୍ଧ ଜିଲା କୋସଲ ସମନ୍ୱୟ ସମିତିର ଜିଲା ସଂଯୋଜକ ସୁବେଦାର ଲଳିତ କୁମାର ସାହୁଙ୍କ ନେତୃତ୍ୱରେ ସମିତିର କର୍ମକର୍ତ୍ତା ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। କୋସଲ ଅଞ୍ଚଳ ପାଖାପାଖି ୨ କୋଟି ଲୋକସଂଖ୍ୟା ହେବେ ଓ ଏହାର ଭାଷା, ସଂସ୍କୃତି ଇତିହାସ ଭିନ୍ନ ଅଟେ। ତେଣୁ ସରକାରଙ୍କ ଏକପାଖିଆ ନିଷ୍ପତିକୁ କୋସଲ ସମନ୍ୱୟ ସମିତି ପକ୍ଷରୁ ବିରୋଧ କରାଯାଉଥିବା ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଦାବୀପତ୍ର ପ୍ରଦାନ ସମୟରେ କୋସଲ ଯୁବ ସମନ୍ୱୟ ସମିତିର ସଂଗ୍ରାମୀ ଡୋଳାମଣି ପ୍ରଧାନ, ପ୍ରମୋଦ ମେହେର, ଆଇନଜିବୀ ଆଶୁତୋଷ ଦାଶ, ସନ୍ତୋଷ କୁମାର ସାହୁ, ପରଦେଶୀ ବେହେରା, ମନ କର୍ଣ୍ଣ ଓ ସନ୍ତୋଷ କୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.