ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆୟୁଷ୍ମାନ ଭାରତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ; ମିଶିବ ବିଜୁ ସ୍ବାସ୍ଥ୍ୟ-ଆୟୁଷ୍ମାନ !

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ’ ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଇନ୍ଦୁ ଭୂଷଣ ଓ ତାଙ୍କର ୫ଜଣିଆ ଟିମ୍ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଦେଶରେ ୨୬ଟି ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇଥିବାବେଳେ ଓଡ଼ିଶାରେ କିପରି ଲାଗୁ କରାଯାଇ ପାରିବ ସେନେଇ ବିସ୍ତୃତ ଆଲୋଚନା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସକରାତ୍ମକ ମନୋଭାବ ପୋଷଣ କରିଥିବା ଡ. ଭୂଷଣ ଗଣମାଧ୍ୟମକୁ କହିଛନ୍ତି। ତେବେ ଦୀର୍ଘଦିନ ଧରି ଆୟୁଷ୍ମାନ ଯୋଜନା ଲାଗୁ ନେଇ ଚାଲିଥିବା ବାକ ବିତଣ୍ଡା ଏବେ ନୂଆ ମୋଡ ନେଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ଆୟୁଷ୍ମାନ ଭାରତକୁ ମିଶାଇବାପାଇଁ ସରକାରୀସ୍ତରରେ ଆରମ୍ଭ ହୋଇଥିବା ପ୍ରୟାସ ଖୁବଶୀଘ୍ର ନିର୍ଣ୍ଣାୟକ ମୋଡରେ ପହଞ୍ଚିବ ବୋଲି ଜଣାଯାଇଛି।
ଏହି ଅବସରରେ ଡ. ଭୂଷଣ ଓ ତାଙ୍କ ଟିମ୍ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ପୃଥକ ଭାବେ ଭେଟି ଆଲୋଚନା କରିଥିଲେ। ଆଲୋଚନା କାଳରେ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଓ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ଆଲୋଚନା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଗଣମାଧ୍ୟମକୁ କହିଛନ୍ତି ଯେ ଆମ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଶର ଏକ ସବୁଠାରୁ ଭଲ ଯୋଜନା। ଆଗାମୀ ଦିନରେ ଯଦି ଆୟୁଷ୍ମାନ ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ ହେବ ତେବେ କ’ଣ ସବୁ ସର୍ତ୍ତାବଳୀ ରହିବ ସେନେଇ ବୈଠକରେ ପ୍ରାଥମିକ ପର୍ଯ୍ୟାୟ ଆଲୋଚନା ହୋଇଛି।
ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀଙ୍କ ସହିତ ଦୀର୍ଘ ସମୟ ଆଲୋଚନା କାଳରେ ଡ. ଭୂଷଣ କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏକ ପ୍ରଶଂସନୀୟ ପଦକ୍ଷେପ। ଆଗାମୀ ଦିନରେ କେନ୍ଦ୍ର ଓ ଓଡ଼ିଶା ମଧ୍ୟରେ ସମନ୍ବୟ ରକ୍ଷା କରି କିଭଳି ଆୟୁଷ୍ମାନ ଯୋଜନାକୁ ଲାଗୁ କରାଯାଇ ପାରିବ ତା’ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଓଡ଼ିଶା ସମେତ ତେଲେଙ୍ଗାନା, ଦିଲ୍ଲୀ ଓ ପଶ୍ଚିମବଙ୍ଗ ସରକାର ଏହି ଯୋଜନା ପରିସରଭୁକ୍ତ ହୋଇନାହାନ୍ତି। ଆଗାମୀ ଦିନରେ ଓଡ଼ିଶାକୁ ଆୟୁଷ୍ମାନ ଯୋଜନାରେ ସାମିଲ ହେବାନେଇ ସରକାରଙ୍କଠାରୁ ପ୍ରସ୍ତାବଲୋଡାଯାଇଛି।
ବୈଠକରୁ ଜଣାଯାଇଛି ଯେ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମୁଖ୍ୟତଃ ୨ଟି ଗୁରୁତ୍ବପୂର୍ଣ୍ଣ ଉପାଦାନ ରହିଛି। ସେଥିମଧ୍ୟରେ ସମସ୍ତଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟସେବା ଏବଂ ଅନ୍ୟଟି ସ୍ବାସ୍ଥ୍ୟବୀମା। ଯାହାକି ରାଜ୍ୟ ସରକାରଙ୍କ ଚିକିତ୍ସା ପାଣ୍ଠିରୁ ସମସ୍ତ ସହାୟତା ମିଳିପାରୁଛି। ପ୍ରଥମଟିରେ ୯୯ଲକ୍ଷ ପରିବାର ସାମିଲ ହୋଇଥିବାବେଳେ ଦ୍ବିତୀୟଟିରେ ୭୨ଲକ୍ଷ ପରିବାର ଅନ୍ତର୍ଭୁକ୍ତ ହୋଇଛନ୍ତି। ମାଗଣା ସ୍ବାସ୍ଥ୍ୟସେବାରେ ମାଗଣାରେ ଔଷଧ ସାଙ୍ଗକୁ ରୋଗ ଚିହ୍ନଟ କରାଯାଉଛି। ସେହିପରି ଦ୍ବିତୀୟଟିରେ ସ୍ବାସ୍ଥ୍ୟବୀମା ଓ ଚିକିତ୍ସା ପାଣ୍ଠି ମାଧ୍ୟମରେ ଅଧିକ ସହାୟତା ପ୍ରଦାନ କରାଯାଉଛି। ଉଚ୍ଚମାନର ଚିକତ୍ସା ପାଇଁ ରାଜ୍ୟ ସରକାର ୧୯୬ଟି ଘରୋଇ ହସ୍ପିଟାଲ ସହିତ ସହବନ୍ଧିତ ହୋଇଛନ୍ତି।

ଆଗାମୀ ଦିନରେ ଆୟୁଷ୍ମାନ ଯୋଜନାକୁ ଓଡ଼ିଶା କେଉଁ ପରିପ୍ରେକ୍ଷୀରେ ଆପଣାଇବ ସେନେଇ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ପ୍ରସ୍ତାବ ପ୍ରଦାନ କରାଯିବ। ଓଡ଼ିଶା ଯଦି ବିଶେଷ ଭାବେ ଉପକୃତ ହୋଇ ପାରିବ ତାହା ହେଲେ ବିଚାର କରାଯିବ।
ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ୭୦ ଲକ୍ଷ ପରିବାର ଉପକୃତ ହେଉଛନ୍ତି। ୨୦୧୮ ମସିହା ଡିସେମ୍ବର ମାସରୁ ବନ୍ଦ ହୋଇଯାଇଥିବା କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାର ୪୪ ଲକ୍ଷ ହିତାଧିକାରୀ ଅନ୍ତର୍ଭୁକ୍ତ ଥିଲେ। ବୈଠକରେ ଅର୍ଥବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ଓ ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦାଙ୍କ ସହିତ କେନ୍ଦ୍ରରୁ ଆସିଥିବା ମନୁ ଶୁକ୍ଳା , ଆଦିତି ଭାର୍ଗବ, ଆସ୍ଥା ଆରୋରା ଓ ରୋହିତ ଦେଓ ଝାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Comments are closed.