ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧିତ୍ବ ସତ୍ତ୍ବେ ଗଞ୍ଜାମ ପଛୁଆ : ପୁରନ୍ଦେଶ୍ବରୀ

ବ୍ରହ୍ମପୁର : ଗଞ୍ଜାମ ଜିଲାର ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ବ କରୁଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ବ କରୁଥିବା ସତ୍ତ୍ବେ ଏ ଜିଲାରେ ଯେମିତି ବିକାଶ ହେବା କଥା, ତାହା ହୋଇନାହିଁ । ଆଜି ମଧ୍ୟ ଗଞ୍ଜାମ ଏକ ପଛୁଆ ଜିଲା ଭାବେ ଗଣାଯାଉଛି । ହିଞ୍ଜିଳିରେ ଲୋକମାନଙ୍କୁ ସ୍ବାସ୍ଥ୍ୟ ସେବା ମିଳୁନି। ଚିକିତ୍ସା ପାଇଁ ଲୋକମାନଙ୍କୁ ବହୁ ଦୂରକୁ ଯିବାକୁ ପଡ଼ୁଛି। ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଥିଲେ ମଧ୍ୟ ଏଦିଗରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ବିଭିନ୍ନ ସମସ୍ୟା ନେଇ ଜନତା ଯେବେ ଲୋକ ପ୍ରତିନିଧିଙ୍କ ପାଖକୁ ଯାଉଛନ୍ତି, ସେଠାରୁ ମଧ୍ୟ ନିରାଶ ହେବାକୁ ପଡ଼ୁଛି। କାରଣ ନିର୍ବାଚିତ ଲୋକପ୍ରତିନିଧି ନୁହଁ, ଏଠି ସରକାରୀ ବାବୁ ମାନେ ଶାସନ କରୁଛନ୍ତି ବୋଲି ଭାରତୀୟ ଜନତା ପାର୍ଟି(ବିଜେପି)ର ଓଡ଼ିଶା ପ୍ରଭାରୀ ତଥା ଜାତୀୟ ସାଧାରଣ ସମ୍ପାଦକ ଡି.ପୁରନ୍ଦେଶ୍ବରୀ କହିଛନ୍ତି।
ବ୍ରହ୍ମପୁର ସର୍କିଟ୍‌ ହାଉସ୍‌ ଠାରେ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ସିଧା ନିଶାଣ କରି ଏହି ମନ୍ତବ୍ୟ ଦେଇଛନ୍ତି ପୁରନ୍ଦେଶ୍ବରୀ। ସେ କହିଥିଲେ ଯେ, ଗଞ୍ଜାମରେ ଲୋକମାନେ ମୌଳିକ ସୁବିଧା ପାଉନାହାନ୍ତି। କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚି ପାରୁନି। ଭଞ୍ଜନଗରରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମର୍ଥକ ଓ ବିଜେଡ଼ି କର୍ମୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହଡ଼ପ କରିଛନ୍ତି। ସେଠାରେ ପ୍ରକୃତ ହିତାଧିକାରୀଙ୍କୁ ‘ଆବାସ’ ଯୋଜନାର ଲାଭ ମିଳୁନି। ଜିଲାରେ ନିଯୁକ୍ତି ସୁଯୋଗ ନ ଥିବା ଯୋଗୁ ଅନ୍ୟ ରାଜ୍ୟକୁ ଯିବାକୁ ଲୋକମାନେ ବାଧ୍ୟ ହେଉଛନ୍ତି। କରୋନା ସମୟରେ ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଘରକୁ ଫେରିଥିଲେ। ସେମାନଙ୍କ ବିବରଣୀ ରଖିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ନିର୍ଦେଶ ଦେଇଥିଲେ। କିନ୍ତୁ ସେମାନଙ୍କ କୌଣସି ବିବରଣୀ ରଖାଗଲା ନାହିଁ। ଦାଦନ ସମସ୍ୟା ନେଇ ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ। ଯେଉଁମାନେ ଫେରିଥିଲେ, ସେମାନଙ୍କୁ ରେସନ ସୁଦ୍ଧା ଠିକ୍‌ରେ ଦିଆଗଲା ନାହିଁ। ସମୟ ଆସିଛି, ଘରୁ ବାହାରି ମୁଖ୍ୟମନ୍ତ୍ରୀ ସାରା ରାଜ୍ୟ ପରିଦର୍ଶନ କରନ୍ତୁ। ଲୋକଙ୍କ ସମସ୍ୟା ବୁଝନ୍ତୁ। ବାବୁ ଶାସନ ବନ୍ଦ କରନ୍ତୁ। ଲୋକେ ବିଜେଡ଼ିକୁ ଭୋଟ୍‌ ଦେଇଛନ୍ତି, ବାବୁଙ୍କୁ ନୁହଁ ବୋଲି କହିଛନ୍ତି ପୁରନ୍ଦେଶ୍ବରୀ। ସେ ଆହୁରି କହିଥିଲେ ଯେ, ଓଡ଼ିଶାରେ ପ୍ରଗତିର ନାଁ ନାହିଁ । ସ୍ଥିତି ସାଂଘାତିକ। ବିଜେଡ଼ିକୁ ଯେଉଁ ବିଶ୍ବାସରେ ରାଜ୍ୟବାସୀ ଭୋଟ୍‌ ଦେଇଥିଲେ, ସେ ବିଶ୍ବାସକୁ ଶାସକ ଦଳ ଭାଙ୍ଗିଛି। ଏହାକୁ ନେଇ ଲୋକଙ୍କ ମନରେ ତୀବ୍ର ଆକ୍ରୋଶ ଅଛି। ରାଜ୍ୟବାସୀ ଯେଉଁ ପରିବର୍ତ୍ତନ ଆଶା ରଖିଛନ୍ତି, ତାହା କେବଳ ବିଜେପି ଶାସନରେ ହିଁ ମିଳିପାରିବ। ଲୋକେ ଥରେ ବିଜେପିକୁ ଶାସନକୁ ଆଣନ୍ତୁ, ପରିବର୍ତ୍ତନ କଣ ଆମେ ଦେଖାଇବୁ ବୋଲି କହିଛଛନ୍ତି। ସାମ୍ବାଦିକ ସମ୍ମିଳନୀ ବରିଷ୍ଠ ବିଜେଡ଼ି ନେତା ଭୃଗୁ ବକ୍ସିପାତ୍ର, ମାନସ କୁମାର ମହାନ୍ତି, ଲେଖାଶ୍ରୀ ସାମନ୍ତସିଂହାର, ଜିଲା ପ୍ରଭାରୀ ଅଶୋକ ମିଶ୍ର, ବରିଷ୍ଠ ନେତା କାହ୍ନୁ ଚରଣ ପତି, ପିଙ୍କି ପ୍ରଧାନ, ମନୋରଞ୍ଜନ ଦ୍ୟାନସାମନ୍ତରା ଏବଂ ଜିଲା ସଭାପତି ବିଭୂତି ଭୁଷଣ ଜେନା ଉପସ୍ଥିତ ଥିଲେ। ପରେ ପୁରନ୍ଦେଶ୍ବରୀ କର୍ମକର୍ତ୍ତା ସମ୍ମିଳନୀରେ ଭାଗନେବା ସହ ଷ୍ଟେସନ୍‌ରୋଡ ଠାରେ ଜିଲା କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଥିଲେ ।
ଦକ୍ଷିଣ ଓଡ଼ିଶାକୁ ଆସିଲେ ବାପା ଏନ୍‌ଟିଆର୍‌ ମନେପଡ଼ନ୍ତି
ଦକ୍ଷିଣ ଓଡ଼ିଶା ସହ ମୋ ବାପା ଏନ୍‌ଟି. ରାମା ରାଓଙ୍କ ଅନେକ ସ୍ମୃତି ଅଛି। ବହୁ ନିର୍ବାଚନୀ ସଭା ଏବଂ ସାଧାରଣ ସଭାରେ ସେ ଯୋଗ ଦେଇଛନ୍ତି। ଅଧିକ ତେଲୁଗୁ ଭାଷାଭାଷୀ ରହୁଥିବା ଏ ଅଞ୍ଚଳ ସହ ତାଙ୍କ ସଂପର୍କ ନିବିଡ଼ି ଥଲା। ଏଠାକୁ ଆସିଲେ ବାପାଙ୍କ କଥା ବହୁତ ମନେପଡ଼ୁଛି ବୋଲି କହିଛନ୍ତି ଡି.ପୁରନ୍ଦେଶ୍ବରୀ। ବ୍ରହ୍ମପୁରବାସୀଙ୍କ ଭଲପାଇବାକୁ ଭୁଲିବା ସହଜ ନୁହଁ। ସେଥି ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ବ କରିଥିଲେ। ତେବେ ଆମ ଟାର୍ଗେଟ୍‌ କେବଳ ତେଲୁଗୁ ଭାଷାଭାଷୀ ନୁହଁ। ‘ସବ୍‌କା ସାଥ୍‌, ସବ୍‌କା ବିକାଶ’ରେ ବିଜେପି ବିଶ୍ବାସ କରେ ବୋଲି ସେ କହିଛନ୍ତି। ସୂଚନା ଯୋଗ୍ୟ ଯେ, ତେଲୁଗୁ ଚଳଚିତ୍ର ଜଗତର ସବୁଠୁ ଲୋକପ୍ରିୟ ଅଭିନେତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ଟି. ରାମା ରାଓଙ୍କ ଝିଅ ହେଉଛନ୍ତି ପୁରନ୍ଦେଶ୍ବରୀ।

Comments are closed.