ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଅସୁସ୍ଥ; ଏସସିବି ଆଇୟୁସିରେ ଭର୍ତ୍ତି

କଟକ : ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି। ଶୁକ୍ରବାର ତାଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି।
ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଗୁରୁବାରଠାରୁ ଅସୁସ୍ଥ ହୋଇପଡ଼ିଥିଲେ। ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରିରହିଛି। ଶ୍ୱାସକ୍ରିୟାରେ ସମସ୍ୟା ହେଉଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି। ଅକ୍ସିଜେନ ଲେବୁଲ କମ୍‌ ରହୁଥିବାରୁ ତାଙ୍କୁ ଅକ୍ସିଜେନ ସପୋର୍ଟ ଦିଆଯାଇଛି। ତାଙ୍କ ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀଦଳ ଗଠନ କରାଯାଇଥିବା ମେଡିକାଲର ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ବକ୍ସିବଜାରରେ ଚା’ ଦୋକାନ କରିବା ସହ ବସ୍ତିବାସିନ୍ଦାଙ୍କ ପିଲାଙ୍କୁ ପାଠ ପଢ଼ାଉଥିଲେ ପ୍ରକାଶ ରାଓ। ଏହାପରେ ନିଜ ଉଦ୍ୟମରେ ସ୍କୁଲଟିଏ କରିବା ସହ ନିଜ ରୋଜଗାର ଟଙ୍କା ଖର୍ଚ୍ଚ କରି ପିଲାଙ୍କ ଯତ୍ନ ଓ ପଢ଼ା ଖର୍ଚ୍ଚ ବହନ କରୁଥିଲେ। ସେବା ପାଇଁ ପ୍ରକାଶଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି।

Comments are closed.