ଯୁଗପୁରୁଷ ଅଟଳ ଜୀ

“ମୁଝେ ଇତ୍‍ନୀ ଉଚ୍ଚାଇ କଭି ମତ୍‍ ଦେନା, ଗୈରୋଁ କୋ ଗଲେ ନା ଲଗା ସକୁଁ” – ଏହା କେବଳ ଯୁଗପୁରୁଷ ଭାରତରତ୍ନ ଅଟଳବିହାରୀ ବାଜପେୟୀଜୀଙ୍କ କାଳଜୟୀ କବିତାର ଧାଡି ନୁହେଁ, ବରଂ ତାଙ୍କ ହିମାଳୟ ପରି ବ୍ୟକ୍ତିତ୍ୱର ସାଧାରଣ ଲୋକଙ୍କ ସହ ଯୋଡିହୋଇ ରହିବାର ପ୍ରତିବଦ୍ଧତାର ପ୍ରମାଣ। ଆଜି ଏହି ମହାନ ଜନନାୟକଙ୍କର ୯୬ତମ ଜୟନ୍ତୀ। ଅଟଳବିହାରୀ ବାଜପେୟୀ ଯୁଗପୁରୁଷ। ପିଢ଼ିକରେ ଜଣେ। ସେ ଆମ ଦେଶ ପାଇଁ ବିକାଶ ପୁରୁଷ। ଦେଶର ସଡ଼କ କ୍ରାନ୍ତିର ଜନକ। ଗରିବ ଜନତାଙ୍କ ପାଇଁ ମସିହା। ଅଟଳଜୀ ସୁଶାସନ ଓ ଆର୍ଥିକ ବିକାଶର ପଥ ପ୍ରଦର୍ଶକ। ଅଟଳଜୀଙ୍କ ପ୍ରତିଟି ଶବ୍ଦ ୨୦୧୪ରୁ ମୋଦୀ ସରକାରଙ୍କ ମାର୍ଗଦର୍ଶକ। ତାଙ୍କ ପୁଣ୍ୟ ଜନ୍ମତିଥିରେ ସାରା ଦେଶ ତାଙ୍କ ସମ୍ମାନରେ ମଥାନତ କରୁଛି। ସାଢେ ୪ କୋଟି ଓଡ଼ିଆଙ୍କ ତରଫରୁ ତାଙ୍କୁ କୋଟିକୋଟି ପ୍ରଣାମ।
୧୯୯୯ ମସିହାର ମହାବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ ଓଡ଼ିଶାର ପୁନଃନିର୍ମାଣ ପାଇଁ ଅଟଳଜୀଙ୍କ ସମ୍ବେଦନଶୀଳ ଦୃଷ୍ଟିକୋଣ ଥିଲା ସ୍ୱତନ୍ତ୍ର। ଓଡ଼ିଶାର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ, ଏହା ଥିଲା ଅଟଳଜୀଙ୍କର କାଳଜୟୀ ବାକ୍ୟ। ମହାବାତ୍ୟା ପ୍ରଭାବିତଙ୍କ ପାଇଁ ରିଲିଫ ହେଉ ଅଥବା ମୁଣ୍ଡ ଉପରେ ପକ୍କା ଘର ବା ଦୀର୍ଘମିଆଦି ଭିତ୍ତିଭୂମିର ବିକାଶ- ଏ ସବୁ ପାଇଁ ଅଟଳଜୀଙ୍କ ଯୋଗଦାନ ଚିରସ୍ମରଣୀୟ।
ମୋର ସ୍ପଷ୍ଟ ମନେ ଅଛି ଓଡ଼ିଶାରେ ଏମ୍ସ ସ୍ଥାପନ ପାଇଁ ଅଟଳଜୀଙ୍କ ପାଖରେ କେହି ଦାବିପତ୍ର ନେଇ ଯାଇନଥିଲେ। ଦିଲ୍ଲୀ ପରେ ଦେଶରେ ପ୍ରଥମ ଏମ୍ସ ଆମ ରାଜ୍ୟରେ ପ୍ରତିଷ୍ଠା ପାଇଁ ଅଟଳଜୀଙ୍କ ନିଷ୍ପତ୍ତି ଓଡ଼ିଶା ପାଇଁ ତାଙ୍କ ଭଲ ପାଇବାର ପ୍ରମାଣ। ସେ ସମୟରେ ଦେଶରେ ଏକ ବଡ଼ ପୁଞ୍ଜିନିବେଶ ପାରାଦ୍ବୀପ ତୈଳ ବିଶୋଧନାଗାର ଅଟଳଜୀଙ୍କର ହିଁ ଓଡ଼ିଶା ପାଇଁ ଅବଦାନ। ଆଜି ଅଟଳଜୀଙ୍କ ଏହି ବଡ଼ ସ୍ୱପ୍ନ ମୋଦୀ ସରକାରରେ ଓଡ଼ିଶା ଆର୍ଥିକ ବିକାଶର ମାନଚିତ୍ରରେ ବଡ଼ ଭୂମିକା ନେବାକୁ ଯାଉଛି। ଏଥିରେ ଜଣେ ସାଧାରଣ ଓଡ଼ିଆ ଭାବରେ ଗୁଣ୍ଡୁଚି ମୂଷା ଭଳି ମୁଁ ଯୋଗଦାନ ଦେବା ସମୟରେ ଅଟଳଜୀଙ୍କର ହିମାଳୟ ପରି ବ୍ୟକ୍ତିତ୍ୱ ନିକଟରେ ମୋ ମଥା ନତ ହୋଇଯାଉଛି। ପୂର୍ବତଟ ରେଳପଥର ପ୍ରତିଷ୍ଠା ଏବଂ ପାରାଦ୍ୱୀପ-ହରିଦାସପୁର ରେଳପଥ ଯାହା ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲାକୁ ଯୋଗାଯୋଗ କରୁଛି ତାହା ଅଟଳଜୀଙ୍କର ମାନସ ସନ୍ତାନ।
ପ୍ରଧାନମନ୍ତ୍ରୀ ଭାବରେ ନୁହେଁ ବରଂ ଦେଶର ଜଣେ ପ୍ରବୀଣ ରାଜନେତା, ସାଂସଦ ଓ ବିରୋଧୀଦଳ ନେତା ଭାବରେ ଓଡ଼ିଶା ପ୍ରତି ତାଙ୍କ ଭଲ ପାଇବା ଥିଲା ଅନନ୍ୟ। ବିରୋଧୀ ଦଳରେ ଥାଇ ସେ ଓଡ଼ିଶାର କେବିକେ ଅଞ୍ଚଳ ବୁଲି ଦେଖିବା ଓ ଲୋକଙ୍କ ଦୁଃଖଦୁର୍ଦିନକୁ ଅଙ୍ଗେ ଅଙ୍ଗେ ଅନୁଭବ କରିଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ କେବିକେ ବିକାଶ ପାଇଁ ଆରମ୍ଭ କରିଥିଲେ ସ୍ୱତନ୍ତ୍ର ଯୋଜନା। ଏହାର ତଦାରଖ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କରିଥିଲେ ସ୍ୱତନ୍ତ୍ର ବ୍ୟବସ୍ଥା।
ଅଟଳଜୀଙ୍କ ଦୃଢ଼ ସ୍ୱର ଥିଲା ଭାରତ ଏକ ପୁରାତନ ରାଷ୍ଟ୍ର। ଏହା ରାଷ୍ଟ୍ର ଭାବରେ ଗଢ଼ି ଉଠୁନାହିଁ। ଆମେ ଏକ ନୂଆ ରାଷ୍ଟ୍ର ନିର୍ମାଣ କରୁନାହେଁ ବରଂ ଏକ ପୁରାତନ ରାଷ୍ଟ୍ରକୁ ଆଧୁନିକ ଯୁଗର ଆହ୍ୱାନକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ କରୁଛୁ।
ଚଳିତବର୍ଷ ରୋହଟାଙ୍ଗଠାରେ ଲେହ-ମନାଲି ରାଜପଥ ଉପରେ ବିଶ୍ୱର ସର୍ବୋଚ୍ଚ ୧୦ ହଜାର ଫୁଟ ଉପରେ ନିର୍ମିତ ଅଟଳ ଟନେଲ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି। ଏହି ବୃହତ୍‌ ପ୍ରକଳ୍ପ ପୂର୍ବ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଆଧୁନିକ ଭାରତର ସଡ଼କପଥର ସ୍ଥପତିଙ୍କ ମାନସ ସନ୍ତାନ। ୧୯୯୮ ମସିହାରେ ଅଟଳଜୀ ଜାତୀୟ ରାଜପଥ ବିକାଶ ପ୍ରକଳ୍ପର ସ୍ଥାପନା କରିଥିଲେ ଏବଂ ଆଜି ଜାତୀୟ ରାଜପଥ ଭାରତର ୪୦ ପ୍ରତିଶତରୁ ଅଧିକ ଟ୍ରାଫିକ ଭିଡକୁ ନିୟନ୍ତ୍ରଣ କରୁଛି। ଅଟଳଜୀଙ୍କ ଦ୍ୱାରା ନିର୍ମିତ ସ୍ୱର୍ଣ୍ଣ ଚତୁର୍ଭୁଜ ପ୍ରକଳ୍ପ ଦେଶର ସର୍ବବୃହତ୍‌ ତଥା ବିଶ୍ୱର ପଞ୍ଚମ ବୃହତ୍‌ ରାଜପଥର ପ୍ରକଳ୍ପ ଭାବେ ସ୍ଥାନିତ ହୋଇଛି।
ବାଜପେୟୀ ସରକାର ପୂର୍ବରୁ ଓଡ଼ିଶାରେ କେବଳ ୧୬୮୧ କିମିର ଜାତୀୟ ରାଜପଥ ଥିଲା। ଅଟଳଜୀଙ୍କ ନେତୃତ୍ୱରେ ଏନଡ଼ିଏର ପ୍ରଥମ ୫ ବର୍ଷ ମଧ୍ୟରେ ଓଡ଼ିଶା ଅତିରିକ୍ତ ୧୬୦୦ କି.ମି ଜାତୀୟ ରାଜପଥ ପାଇଥିଲା। ୟୁପିଏ ସରକାରର ୧୦ ବର୍ଷରେ ଓଡ଼ିଶାକୁ ୧୩୫୮ କିମିର ଜାତୀୟ ରାଜପଥ ସଂଯୋଗ କରାଯାଇଥିଲା ଏବଂ ସର୍ବମୋଟ ଜାତୀୟ ରାଜପଥ ୪୬୫୦ କିମିରୁ କମ୍‍ ଥିଲା। ବିଗତ ୫ ବର୍ଷ ମଧ୍ୟରେ ମୋଦୀ ସରକାର ଓଡ଼ିଶାରେ ୮୧୬ କିମି ଜାତୀୟ ରାଜପଥ ମାନ୍ୟତାପ୍ରାପ୍ତ ହୋଇଛି ଏବଂ ରାଜ୍ୟରେ ୫୪୯୯ କିମି ଜାତୀୟ ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଯାଉଛି। ୨୦୦୦ ମସିହାର ପ୍ରାରମ୍ଭରୁ ହିଁ ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ପ୍ରାୟ ୧.୭ ଲକ୍ଷ ଗ୍ରାମକୁ ସଂଯୋଗ କରିବା ପାଇଁ ୬.୩୮ କିମିରୁ ଊର୍ଦ୍ଧ୍ୱ ରାସ୍ତା ନିର୍ମାଣ କରାଯାଇଛି। ୨୦୧୪ରୁ ୨୦୨୧ ମଧ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଗତ ଓଡ଼ିଶାରେ ୯୬୮୮ କୋଟି ଟଙ୍କାର ପୁଞ୍ଜନିବେଶରେ ୧୬୬୭୪ କିମିର ରାସ୍ତା ନିର୍ମାଣ କରାଯାଇଛି।
ଅଟଳଜୀ ଭାରତରେ ଦିଲ୍ଲୀ ମେଟ୍ରୋ ପ୍ରକଳ୍ପର ତ୍ୱରାନ୍ୱିତ କରି ଭାରତରେ ସହରାଞ୍ଚଳ ଯୋଗାଯୋଗରେ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ। ଅଟଳଜୀଙ୍କ ଦ୍ୱାରା ହିଁ ଏହା ୨୦୧୮ ମସିହା ଅଗଷ୍ଟ ୧୭ ତାରିଖରେ ଉଦ୍‍ଘାଟନ କରାଯାଇଥିଲା। ଅଟଳଜୀ ହିଁ ବିନିବେଶ ମନ୍ତ୍ରଣାଳୟ ସୃଷ୍ଟି କରିଥିଲେ ଏବଂ ୩୨ଟି ରାଷ୍ଟ୍ରାୟତ୍ତ କମ୍ପାନୀ ଏବଂ ହୋଟେଲ ଘରୋଇକରଣ କରାଯାଇଥିଲା। ଭାରତର ଭବିଷ୍ୟତର ଉର୍ଜା ଆବଶ୍ୟକତାକୁ ସୁରକ୍ଷିତ ରଖିବା ପାଇଁ ଅଟଳଜୀଙ୍କର ମଧ୍ୟ ଦୂରଦୃଷ୍ଟି ଥିଲା। ସେ ବିଦେଶରେ ଭାରତର ଏକକ ବୃହତ୍ତମ ପୁଞ୍ଜି ବିନିଯୋଗର ତଦାରଖ କରିଥିଲେ ଏବଂ ୨୦୦୧ ମସିହାରେ ୧.୭ ବିଲିୟନ ଆମେରିକୀୟ ଡଲାରର ପୂର୍ବ ଋଷରେ ସାକଲିନ-୧ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ୨୦ ପ୍ରତିଶତ ଅଂଶଧନ ହାସଲ କରିଥିଲେ। ସେହିପରି ସୁଦାନରେ ଏକ ତୈଳ କ୍ଷେତ୍ରରେ ୭୨୦ ମିଲିୟନ ଆମେରିକୀୟ ଡ଼ଲାରର ୨୫ ପ୍ରତିଶତ ଅଂଶଧନ ହାସଲ କରିଥିଲେ।
କୃଷି କ୍ଷେତ୍ରକୁ ଗତି ଦେବା ତଥା ପରିବେଶ ସମସ୍ୟାକୁ ସମାଧାନ କରିବା ଦିଗରେ ଅଟଳଜୀଙ୍କ ଦୂରଦୃଷ୍ଟି ନେତୃତ୍ୱ କାରଣର ହିଁ ଭାରତ ସରକାର ୨୦୦୩ ମସିହାରେ ୫ ପ୍ରତିଶତ ଇଥାନଲ ବ୍ଲେଣ୍ଡେଡ୍‍ ପେଟ୍ରୋଲ କାର୍ଯ୍ୟକ୍ରମକୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଯଦି ଅଟଳଜୀ ଥା’ନ୍ତେ ତେବେ ଓଡ଼ିଶାର ବରଗଡ଼ଠାରେ ବିପିସିଏଲ ଦ୍ୱାରା ଟୁଜି ଜୈବ ବିଶୋଧନାଗାରର ସ୍ଥାପନା ଦେଖି ଗର୍ବ ଅନୁଭବ କରିଥାନ୍ତେ। ଓଡ଼ିଆ ଚାଷୀଙ୍କ ବର୍ଜ୍ୟ ନଡ଼ାରୁ ଶକ୍ତି ଉତ୍ପାଦନ ଚାଷୀଙ୍କ ଅର୍ଥନୀତିକୁ ସମୃଦ୍ଧ କରିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ।
୧୯୯୮ ମେ’ ମାସରେ ପୋଖରାନ୍‍-୨ ପରମାଣୁ ପରୀକ୍ଷଣ ଭାରତର ସ୍ୱାର୍ଥ ରକ୍ଷା ପାଇଁ ଅଟଳଜୀଙ୍କର ଅଦମ୍ୟ ସାହସକୁ ପ୍ରମାଣିତ କରିଥିଲା। ସେହିପରି ସେ ଭାରତୀୟ ଉପମହାଦେଶରେ ଶାନ୍ତି ଫେରାଇ ଆଣିବାଦିଗରେ ଥିବା ପ୍ରତିବଦ୍ଧତା ଏବଂ ଦିଲ୍ଲୀ – ଲାହୋର ବସ୍‍ ମାର୍ଗକୁ କୂଟନୈତିକ ମାଷ୍ଟରଷ୍ଟ୍ରୋକ୍‍ ଭାବରେ ବ୍ୟବହାର କରି ପ୍ରଶଂସିତ ହୋଇଥିଲେ। ଯେତେବେଳେ ପାକିସ୍ତାନ ଭାରତ ସହ ବିଶ୍ୱାସଘାତ କରିଥିଲା ସେତେବେଳେ ଅଟଳଜୀଙ୍କ ରଣନୈତିକ ନେତୃତ୍ୱ ହିଁ କାର୍ଗିଲ ଯୁଦ୍ଧରେ ଭାରତକୁ ବିଜୟର ସ୍ୱାଦ ଦେଇଥିଲା।
ଟେଲିକମ୍‍ ସଂସ୍ଥାଗୁଡ଼ିକ ପାଇଁ ସ୍ଥିର ଲାଇସେନ୍ସ ଶୁଳ୍କକୁ ରାଜସ୍ୱ ବଣ୍ଟନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ଅଟଳଜୀଙ୍କ ନୂଆ ଟେଲିକମ୍‍ ପଲିସି ଭାରତରେ ଟେଲିକମ୍‍ ବିପ୍ଳବକୁ ବଡ଼ ଗତି ଦେଇଥିଲା। ନୀତି ପ୍ରଣୟନ ଏବଂ ଉତ୍ତମ ସଂଯୋଗ ସ୍ଥାପନକୁ ପୃଥକ କରିବା ପାଇଁ ଭାରତ ସଂଚାର ନିଗମ ଲିମିଟେଡ୍‍ ସୃଷ୍ଟି କରାଯାଇଥିଲା। ଟେଲିକମ୍‍ ବିବାଦ ସମାଧାନ ପାଇଁ ଆପିଲେଟ୍‍ ଟ୍ରିବ୍ୟୁନାଲ୍‍ ଗଠନ ମଧ୍ୟ ସରକାରଙ୍କ ନିୟାମକ ଏବଂ ବିବାଦର ସମାଧାନ ଭୂମିକାକୁ ପୃଥକ କରିଥିଲା। ଅନ୍ତର୍ଜାତୀୟ ଟେଲି ଯୋଗାଯୋଗ କ୍ଷେତ୍ରରେ ବିଦେଶ ସଂଚାର ନିଗମ ଲିମିଟେଡର ଏକଚାଟିଆ ଅଧିକାରକୁ ସମାପ୍ତ କରି ବିପ୍ଳବ ଆଣିଥିଲେ।
୨୦୦୨ ମସିହାରେ ଅଟଳଜୀ ଭାରତର ସମ୍ବିଧାନର ୮୬ତମ ସଂଶୋଧନ ସହିତ ଶିକ୍ଷାକୁ ମୌଳିକ ଅଧିକାର ଭାବରେ ପ୍ରଣୟନ କରିଥିଲେ ଏବଂ ୬ ରୁ ୧୪ ବର୍ଷ ପିଲାମାନଙ୍କ ମାଗଣା ପ୍ରାଥମିକ ଶିକ୍ଷା ପାଇଁ ସର୍ବଶିକ୍ଷା ଅଭିଯାନ ଆରମ୍ଭ କରିଥିଲେ। ଉତ୍ତର ପୂର୍ବ ରାଜ୍ୟ ସମୂହର ସାମଗ୍ରିକ ବିକାଶ ପାଇଁ ଅଟଳଜୀ ଶୁଭାରମ୍ଭ କରିଥିଲେ ସ୍ୱତନ୍ତ୍ର ଉତ୍ତର-ପୂର୍ବ ରାଜ୍ୟ ସମୂହ ବିକାଶ ବିଭାଗ ଯାହା ଏବେ ମନ୍ତ୍ରଣାଳୟର ମାନ୍ୟତା ପାଇଛି। ଅଟଳଜୀଙ୍କ ଦ୍ୱାରା ଫିସ୍‌କାଲ ରେସପନ୍ସିବିଲିଟି ଆକ୍ଟ ଅଣାଯାଇଥିଲା ଏବଂ ତାଙ୍କ କାର୍ଯ୍ୟକାଳ ଶେଷ ହେବା ବେଳକୁ ଭାରତର ଜିଡିପି ଅଭିବୃଦ୍ଧି ହାର ୮ ପ୍ରତିଶତରୁ ଅଧିକ ଥିଲା ଓ ମୁଦ୍ରାସ୍ଫୀତି ୪ ପ୍ରତିଶତ ତଳେ ଥିବାବେଳେ ଭାରତ ବିଶ୍ୱ ଅର୍ଥନୀତିର ପ୍ରଗତିଶୀଳ ଦେଶ ଭାବରେ ପରିଗଣିତ ହେଉଥିଲା।
୧୯୯୮ ମସିହାରେ ଅଟଳଜୀ କିଷାନ କ୍ରେଡ଼ିଟ୍‍ କାର୍ଡ ଯୋଜନା ଆରମ୍ଭ କରିଥିଲେ ଏବଂ ବର୍ତ୍ତମାନ ସୁଦ୍ଧା ୪୧.୨୩ ଲକ୍ଷରୁ ଊର୍ଦ୍ଧ୍ୱ କିଷାନ କ୍ରେଡ଼ିଟ୍‍ କାର୍ଡ ଓଡ଼ିଶାର ଚାଷୀଙ୍କୁ ଦିଆଯାଇଛି।
ଅଟଳଜୀଙ୍କୁ ସ୍ମରଣ କରିବା ପାଇଁ ଏହା ଏକ ଛୋଟ ପ୍ରୟାସ। ତାଙ୍କର ଉତୁଙ୍ଗ ବ୍ୟକ୍ତିତ୍ୱକୁ କେତେ ଶହ ଶବ୍ଦରେ ବର୍ଣ୍ଣନା କରିବା ମୋ ପାଇଁ ଧୃଷ୍ଟତା ହେବ। ଯେମିତି ନା ସମୁଦ୍ରକୁ ନା ଆକାଶକୁ କାହା ସହିତ ତୁଳନା କରାଯାଇପାରିବ ସେମିତି ଯୁଗପୁରୁଷ ଅଟଳଜୀଙ୍କୁ ଶବ୍ଦରେ ରୂପ ଦେବା ମଧ୍ୟ ଅସମ୍ଭବ। ଏହି ମହାମନୀଷୀଙ୍କୁ ତାଙ୍କର ପୁଣ୍ୟ ଜନ୍ମତିଥିରେ ପୁଣି କୋଟି କୋଟି ପ୍ରଣାମ।
(ଅଟଳ ଜୀ’ଙ୍କ ୯୬ତମ ଜୟନ୍ତୀ ଉପଲକ୍ଷେ)
ତୈଳ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ, ଭାରତ ସରକାର

Comments are closed.