ମାଲ୍‍କାନଗିରିରୁ ମୟୁରଭଞ୍ଜ : କୋଭିଡ୍‍ ସମୟର ସାଥି ସିୱାଇଏସ୍‍ଡି

ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀ ତା’ର କାୟା ବିସ୍ତାରୀ ଧ୍ୱଂସଲୀଳା ଆରମ୍ଭ କରିଥିବାବେଳେ ସ୍ୱେଚ୍ଛାସେବୀ ସଙ୍ଗଠନମାନେ ତୃଣମୂଳ ସ୍ତରରେ କିପରି ଏହାକୁ ମୁକାବିଲା କରାଯାଇ ଲୋକମାନଙ୍କୁ ବଂଚିବାର ରାହା ଦେଖାଇବା ଏବଂ ମହାମାରୀରୁ କିପରି ରକ୍ଷା ପାଇହେବ, ମୁକାବିଲା ପାଇଁ ସରକାରୀ ସ୍ଥିରୀକୃତ ନିୟମାବଳୀକୁ ଯେପରି କଠୋର ଭାବେ ପାଳନ କରାଯିବ, ଆଶୁ ଆରୋଗ୍ୟର ମାର୍ଗ ଦେଖାଯାଇପାରିବ; ସେ ନେଇ ଅନେକ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ସିୱାଇଏସ୍‍ଡି ଦ୍ୱାରା ରାଜ୍ୟର ୮ଟି ପ୍ରମୁଖ ଜିଲ୍ଲା ମଧ୍ୟରେ ଆଦିବାସୀବହୁଳ ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଏବଂ ପୁରୀ, ଖୋର୍ଦ୍ଧା ଜିଲ୍ଲା ସମେତ ଯାଜପୁର ପୌରପାଳିକା, ଭୁବନେଶ୍ୱର ଓ କଟକ ମହାନଗର ନିଗମ ଅଂଚଳରେ କରୋନା ମୁକାବିଲା ନିମନ୍ତେ କାର୍ଯ୍ୟକ୍ରମ ଲାଗିରହିଥିଲା।

୨୭୫ ସ୍ଥାନୀୟ ସ୍ୱେଚ୍ଛାସେବୀମାନଙ୍କୁ ବୈଦ୍ୟୁତିକ ଦୂରଭାଷ ସମ୍ପର୍କିତ ତାଲିମ ସହ ଜନ ସଚେତନତା ସୃଷ୍ଟି କରାଯିବା ଲକ୍ଷ୍ୟରେ ଗ୍ରାମ ପଂଚାୟତ ସ୍ତରରେ ନିୟୋଜିତ କରାଯାଇଛି। ପ୍ରବାସୀ ଶ୍ରମିକମାନଙ୍କ ସମ୍ପର୍କରେ ନିରୀକ୍ଷଣ ଜାରି ରଖିବା ସହ ୩୨ଟି ଟିଏମ୍‍ସି (ଅସ୍ଥାୟୀ ଚିକିତ୍ସା କେନ୍ଦ୍ର)ର ପରିଚାଳନା ପାଇଁ ସ୍ଥାନୀୟ ଗ୍ରାମ ପଂଚାୟତ ସାଙ୍ଗରେ ମିଳିତ ଭାବେ ସୁଚିନ୍ତିତ ଖସଡା ପ୍ରସ୍ତୁତି କରିଥିଲେ। ଏହା ମଧ୍ୟରେ ୧୩୦୭ଟି ଗୋଷ୍ଠୀରେ ସଚେତନତା କାର୍ଯ୍ୟକ୍ରମରେ ସାମାଜିକ ଓ ଶାରୀରିକ ଦୂରତା ରକ୍ଷା, ହାତ ଧୂଆ ତାଲିମ ଏବଂ କୋଭିଡ଼୍‍-୧୯ ପରିପ୍ରେକ୍ଷୀରେ କ’ଣ କରିବା ଉଚିତ୍‍ ଓ ଅନୁଚିତ୍‍ ଆଦି ଦିଗଗୁଡିକୁ ବିଶେଷଭାବେ ଧ୍ୟାନ ଦିଆଯାଇଛି। ସେହିପରି ୧୬,୪୨୨ଟି ପରିବାରକୁ ହାଇଜିନ୍‍ କିଟ (ସାବୁନ୍‍, ମାସ୍କ ଏବଂ ସାନିଟାଇଜର) ବଂଟନ କରାଯାଇଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ ଅଂଚଳ ଡ୍ରୋନ କ୍ୟାମେରା ସହାୟତାରେ ତଥ୍ୟାୟନ ପ୍ରକ୍ରିୟା ପାଇଁ ହ୍ୟୁମାନିଟାରିଆନ୍‍ ଏଡ଼୍‍ ଇଂଟରନ୍ୟାସନାଲ ଓ ଜେନେରାଲ ଏରୋନୋଟିକସ୍‍ ସହଯୋଗରେ ୧୯ ଦିନିଆ ତାଲିମ କାର୍ଯ୍ୟକ୍ରମରେ ୧୧ଜଣ ଦକ୍ଷ ସ୍ୱେଚ୍ଛାସେବୀ ସୃଷ୍ଟି କରାଯାଇଛି।

ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଇଲାକାର ୭୧୫୮ ଅତି ସମ୍ବେଦନଶୀଳ ପରିବାରରେ ଯେଉଁଥିରେ ପ୍ରବାସୀ ଶ୍ରମିକ, ଲଘୁ ବନଜାତ ଦ୍ରବ୍ୟ ସଂଗ୍ରାହକ ଏବଂ ସାମାଜିକ-ଅର୍ଥନୈତିକ ଭାବେ ଉପେକ୍ଷିତ ପରିବାରରେ ସର୍ଭାଇଭାଲ କିଟ ବଂଟନ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୩୭୫୫ ଅତ୍ୟନ୍ତ ସମ୍ବେଦନଶୀଳ ବସ୍ତିବାସିନ୍ଦା, ଦିବ୍ୟାଙ୍ଗ, ଜରିଗୋଟାଳୀ, ସଫେଇ ତଥା ପରିମଳ କର୍ମୀ, ରିକ୍ସାବାଲା, ଏବଂ ଗାଡ଼ିଚାଳକମାନଙ୍କୁ ସର୍ଭାଇଭାଲ କିଟ ବଂଟନ ସହ ପୁରୀ ଜିଲ୍ଲାର ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ୍‍ର ୯୪ ଜଣ ଦିନ ମଜୁରିଆଙ୍କୁ ବ୍ୟାଙ୍କ ମାଧ୍ୟମରେ ୫୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଓଡ଼ିଶା ଜୀବିକା ମିଶନର ମିଳିତ ସହଯୋଗରେ ୩୯ଟି ଉତ୍ପାଦକ ଦଳଙ୍କ ୧୨୮୧ ସଦସ୍ୟାଙ୍କ ଉତ୍ପାଦିତ ସାମଗ୍ରୀକୁ ବଜାରରେ ସଠିକ୍‍ ମୂଲ୍ୟରେ ବିକ୍ରି କରିବା ପାଇଁ ସହଯୋଗ କରାଯାଇଛି। ଏମଜିଏନ୍‍ଆର୍‍ଇଜିଏ କାର୍ଯ୍ୟକ୍ରମରେ ୮୦୭୫ ଜବକାର୍ଡ ଧାରୀଙ୍କ ସକାଶେ କର୍ମ ଯୋଗାଣ, ୩୭୯୭ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ସକାଶେ ଅନ୍ତରୀଣ ସହଯୋଗ, ୧୩୦ ଏକର ଜମିରେ ୬୯୦ ଆଦିବାସୀ ପରିବାରଙ୍କ ପାଇଁ ୱାଡ଼ି ଯୋଜନାରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅନ୍‍ର୍ଭୁକ୍ତିକରଣ, ୧୩୩୦୦ ଚାଷୀଙ୍କ ପାଇଁ ଖରିଫ ଚାଷ ଯୋଜନା, ୧୦୮୫ ପରିବାର ନିମନ୍ତେ କୃଷି ଓ ଉଦ୍ୟାନ କୃଷି ଯୋଜନା, ୨୪୨୦ ଲୋକଙ୍କ ଉପକାରିତା ସକାଶେ ୮ଟି ବନଧନ ବିକାଶ କେନ୍ଦ୍ର ପ୍ରତିଷ୍ଠା, ୫୦ ପରିବାରର ଛେଳି ପାଳନ ଆଦି କାର୍ଯ୍ୟକ୍ରମ ସମ୍ବେଦନଶୀଳ ଗୋଷ୍ଠୀଙ୍କ ଉପରେ ସର୍ବନିମ୍ନ ପ୍ରଭାବ କାର୍ଯ୍ୟ ସୂଚାରୁ ରୂପେ ଚାଲୁ ରହିଛି।

ରାଜ୍ୟର ୮ଟି ଜିଲ୍ଲାର ଅତି ସମ୍ବେଦନଶୀଳ ଗୋଷ୍ଠୀଙ୍କୁ ପିଡ଼ିଏସ୍‍, ପିଏମ୍‍ଜିକେୱାଇ ଏବଂ ଏମ୍‍ଜିଏନ୍‍ଆର୍‍ଇଜିଏର ସଫଳ ରୂପାୟନ ପାଇଁ କ୍ରିୟାଶୀଳ କରାଯାଇଛି। ଗୋଷ୍ଠୀସ୍ତରରେ ଗ୍ରହଣ କରାଯାଇଥିବା ବିବିଧ କାର୍ଯ୍ୟକ୍ରମରେ ଗୋଷ୍ଠୀସମ୍ବଳ ବ୍ୟକ୍ତିତ୍ୱ, ଗୋଷ୍ଠୀଭିତିକ ସଂଗଠନ, ଏବଂ ଗ୍ରାମପଂଚାୟତ କାର୍ଯ୍ୟନିର୍ବାହୀଙ୍କ ମଧ୍ୟରେ ସଂଯୋଗ ସ୍ଥାପନ, ସ୍ଥାନୀୟ ଗୋଷ୍ଠୀ ଏବଂ ପଂଚାୟତ ପ୍ରତିନିଧିଙ୍କୁ ନେଇ ରିଲିଫ୍‍ ସାମଗ୍ରୀ ବଂଟନରେ ସ୍ୱଚ୍ଛତା ଅବଲମ୍ବନ ଆଦି କାର୍ଯ୍ୟକ୍ରମଗୁଡିକ ସୁଚାରୁରୂପେ କରାଯାଇଛି। କୋଭିଡ଼୍‍-୧୯ ମହାମାରୀ ସମୟରେ ଅତ୍ୟାବଶ୍ୟକୀୟ ଓ ସର୍ବାଦୌ କାର୍ଯ୍ୟକ୍ରମଟି ହେଉଛି ମନସ୍ତାତ୍ୱିକ- ସାମାଜିକ ପରାମର୍ଶ। ଏଥି ସକାଶେ ବୈଦ୍ୟୁତିକ (ଭର୍ଚୁଆଲ୍‍) ଜନ ସହାୟତା କେନ୍ଦ୍ର ସ୍ଥାପନା କରାଯାଇ କୋଭିଡ଼୍‍-୧୯ର ପ୍ରଭାବିତ ବ୍ୟକ୍ତିଙ୍କୁ ମନସ୍ତାତ୍ୱିକ ଓ ସାମାଜିକ ପରାମର୍ଶ ପ୍ରଦାନ କରାଯାଉଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ସହାୟତା ପାଇଁ ଏହି ସହାୟତା କେନ୍ଦ୍ର ମାଧ୍ୟମରେ ଯୋଡାଯାଇପାରିଛି।

କୃଷକ, ପ୍ରବାସୀ ଓଡ଼ିଆ ଓ ବାଦ୍‍ ପଡ଼ିଥିବା ସମ୍ବେଦନଶୀଳ ପରିବାରଗୁଡ଼ିକୁ ସରକାରଙ୍କ ସାମାଜିକ ସୁରକ୍ଷା ନୀତି ମୁତାବକ ଚିହ୍ନଟ କରିବା, ଫେରନ୍ତା ପ୍ରବାସୀମାନଙ୍କୁ ସେମାନଙ୍କ କାର୍ଯ୍ୟ କୁଶଳତା ସମ୍ପର୍କିତ ପୁନଃ ତାଲିମର ବ୍ୟବସ୍ଥା ଏବଂ ଗ୍ରାମ ସ୍ତରୀୟ ଏମ୍‍ଜିଏନ୍‍ଆରଇଜିଏ ସଫଳ ରୂପାୟନ, ଖରିଫ ଚାଷ ଯୋଜନା ନେଇ କୃଷକଙ୍କୁ ସହାୟତା, ବ୍ୟବସାୟିକ ବିକାଶ ଯୋଜନାରେ ଉତ୍ପାଦକ ସଂଘକୁ ସମ୍ମିଳିତ ସହାୟତା, କୃଷି ବିଜ୍ଞାନ କେନ୍ଦ୍ର ସହ ସାମିଲ ହୋଇ କୃଷକମାନଙ୍କ ଧନ୍ଦାମୂଳକ ଓ ବୈଷୟିକ ତାଲିମ ପ୍ରଦାନ ତଥା ବିଭାଗୀୟ ସଂଯୋଜନାରେ ବନଧନ ବିକାଶ କେନ୍ଦ୍ରକୁ ମଜବୁତ୍‍ କରିବା ଭଳି ଅନନ୍ୟ ପଦକ୍ଷେପମାନ ନିଆଯାଇଛି। ନିଜସ୍ୱ ସମ୍ବଳରୁ ବଂଚିତ ସମ୍ବେଦନଶୀଳ ବ୍ୟକ୍ତି ବା ପରିବାର ଚିହ୍ନଟ, ଉତ୍ପାଦକ ଗୋଷ୍ଠୀ ବା ସଂଘଗୁଡ଼ିକୁ ଉଚ୍ଚ ବଜାର ସହ ଯୋଡିବା ଏବଂ ସେମାନଙ୍କୁ ମାର୍ଗଦର୍ଶନ ଓ ସହାୟତା ସକାଶେ ଯୋଜନା/ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି।

କୋଭିଡ୍‍ ପରିସ୍ଥିତିରେ ୮ଟି ଜିଲ୍ଳାରେ କାର୍ଯ୍ୟକ୍ରମ କରିବା ଅବସରରେ ତୃଣମୂଳ ସ୍ତରର ଅନେକ ସମସ୍ୟା ସାମ୍ନାକୁ ଆସିଛି ଏବଂ ଏହାକୁ ସମାଧାନ କରିବା ନିହାତି ଅପରିହାର୍ଯ୍ୟ ବୋଲି ସିୱାଇଏସ୍‍ଡିର ମାର୍ଗଦର୍ଶକ ତଥା ସହ-ପ୍ରତିଷ୍ଠାତା ଜଗଦାନନ୍ଦ କହିଛନ୍ତି। ଜନସାଧାରଣଙ୍କ ସେବାକୁ ଅଗ୍ରାଧିକାର ଦେବା, ଫେରନ୍ତା ପ୍ରବାସୀଙ୍କୁ କୁଶଳୀ ତାଲିମ ପ୍ରଦାନ ତଥା ସେମାନଙ୍କ ଉପଯୁକ୍ତ ଥଇଥାନ ପୂର୍ବକ ବିଭିନ୍ନ କାମରେ ନିୟୋଜନ, ଏମ୍‍ଜିଏନ୍‍ଆରଇଜିଏରେ କାମର ଦାବି ସକାଶେ ସରପଂଚମାନଙ୍କୁ ପୂର୍ଣ୍ଣ କ୍ଷମତା ପ୍ରଦାନ ତଥା ଶ୍ରମିକଙ୍କ ପଂଜୀକରଣ, ଆବଶ୍ୟକ ପଡ଼ୁଥିବା ଜନସାଧାରଣଙ୍କୁ ମନସ୍ତାତ୍ୱିକ ଓ ସାମାଜିକ ପରାମର୍ଶ ପ୍ରଦାନ ଆଦି ଭଳି ପ୍ରସ୍ତାବଗୁଡିକୁ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ବୋଲି ଜଗଦାନନ୍ଦ ସୁପାରିଶ କରିଛନ୍ତି।

Comments are closed.