ରିଲଫ୍‌ ଓ ପୁନରଉଦ୍ଧାର କାର୍ଯ୍ୟରେ ସାମିଲ ହେଲେ ସ୍ଥାନୀୟ ବାସିନ୍ଦା

ଭୁବନେଶ୍ୱର, .- ବାତ୍ୟା ଫନି ଯୋଗୁଁ ପୁରୀ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ସରକାରଙ୍କ ସହ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ରିଲିଫ୍‌ ଓ ପୁନରଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ବିଭିନ୍ନ ସାମାଜିକ ଅନୁଷ୍ଠାନମାନଙ୍କ ନେଇ ଗଠିତ ନାଗରିକ ସମୁହର ଅଗ୍ରଣୀ ଅନୁଷ୍ଠାନ ସିୱାଇଏସ୍‍ଡି ପୁରୀ ଜିଲ୍ଲାର ସତ୍ୟବାଦୀ ଓ ବ୍ରହ୍ମଗିରି ବ୍ଲକ୍‌ରେ ବିଭିନ୍ନ ଲୋକ ସଙ୍ଗଠନ, ସଂସ୍ଥା ଆଦିମାନଙ୍କ ସହଯୋଗରେ ରିଲିଫ୍‍ ଓ ଥଇଥାନ କାର୍ଯ୍ୟ ତ୍ୱରାନ୍ୱିତ କରୁଛି।

ସ୍ଥାନୀୟ ଯୁବକ ସଙ୍ଘ, ଲୋକ ସଙ୍ଗଠନ ଓ ସ୍ଥାନୀୟ ସ୍ୱେଚ୍ଛାସେବୀମାନଙ୍କୁ ପ୍ରୋତ୍ସାହିତ କରି ଦୈନିକ ବିଭିନ୍ନ ଗ୍ରାମରେ ‘ଶ୍ରମଦାନ’ ଜରିଆରେ ୱାର୍କ କ୍ୟାମ୍ପ ଆୟୋଜିତ କରାଯାଉଛି। ଏହି କ୍ୟାମ୍ପରେ ପ୍ରତିଟି ଗ୍ରାମର ଯୁବକ ଓ ଲୋକ ସଙ୍ଗଠନର କର୍ମକର୍ତ୍ତାମାନେ ସ୍ୱେଚ୍ଛାସେବୀମାନଙ୍କ ସହ ମିଶି ବାତ୍ୟାରେ ଭାଙ୍ଗିଥିବା ଗଛ କାଟି ଗ୍ରାମ ରାସ୍ତା ସଫା କରିବା, ମୂଳରୁ ଉପୁଡି ପଡିଥିବା ଗଛଗୁଡିକୁ ପୁଣି ପୋତିବା, ପୋଖରୀ ସଫା କରିବା ଏବଂ ଜଳ ଉତ୍ସଗୁଡିକୁ ବିଶୋଧନ କରିବା କାର୍ଯ୍ୟ ଆଦି ଦୃତ ଗତିରେ କରାଯାଉଛି। ଲୋକମାନଙ୍କ ଆବଶ୍ୟକତାକୁ ନଜରରେ ରଖି ରିଲିଫ୍‍ କାର୍ଯ୍ୟ ସହ ସ୍ୱାସ୍ଥ୍ୟ ଶିବିର ମଧ୍ୟ ଆୟୋଜିତ କରାଯାଉଛି। ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଯୁବଗୋଷ୍ଠୀ ରିଲିଫ୍‍ କାର୍ଯ୍ୟ ଓ ସ୍ୱାସ୍ଥ୍ୟ ଶିବିରଗୁଡିକୁ ଶାନ୍ତି ଶୃଙ୍ଖଳାରେ ସୂଚାରୁରୂପେ ପରିଚାଳନା ମଧ୍ୟ କରୁଛନ୍ତି।

ବ୍ରହ୍ମଗିରି ବ୍ଲକ୍‍ର ପଳଙ୍କ ପଞ୍ଚାୟତରେ ପ୍ଲାନ୍‍ ଇଣ୍ଡିଆ ସହଯୋଗରେ ପ୍ରାଥମିକ ଆକଳନ କରାଯାଇ ରିଲିଫ୍‍ କାର୍ଯ୍ୟ କରାଯାଉଥିବା ବେଳେ ଦିବ୍ୟାଙ୍ଗ, ବିଧବା, ଦୂରାରୋଗ୍ୟରେ ପୀଡିତ ବ୍ୟକ୍ତି, ଅତି ବୟସ୍କ ପରିବାର, ଏକାକୀନି ମହିଳା ଆଦିଙ୍କୁ ଅଗ୍ରାଧିକାର ଭିତ୍ତିରେ ୧୫୦୦ ପ୍ରଭାବିତ ପରିବାରମାନଙ୍କୁ ୧୦ ଦିନର ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ଆବଶ୍ୟକତା ଓ ପ୍ରାଥମିକତା ଭିତ୍ତିରେ ପ୍ଲାନ୍‍ ଇଣ୍ଡଆ ପ୍ରତି ପରିବାରକୁ ବିଭିନ୍ନ ରାସନ୍‍ ସାମଗ୍ରୀ ୧୦ ଦିନ ପାଇଁ ଯୋଗାଇଦେଇଛି। ଆଗାମୀ ଦିନରେ ଅଧିକ କ୍ଷତିଗ୍ରସ୍ତ ପରିବାରମାନଙ୍କୁ ମଧ୍ୟ ସହଯୋଗ କରାଯିବା ସହ ପୁର୍ନରୁଦ୍ଧାର କାର୍ଯ୍ୟକ୍ରମ ମଧ୍ୟ କରାଯିବ। ମୁଖ୍ୟତଃ ପିଲାମାନଙ୍କ ଅଧିକାର ଓ ସୁରକ୍ଷା ଉପରେ କାର୍ଯ୍ୟ କରୁଥିବାରୁ ପ୍ରଭାବିତ ପରିବାର ନିଜ ବାସସ୍ଥାନଗୁଡିକୁ ଶୀଘ୍ର ସଜାଡି ପିଲାମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ତତ୍ପରତା ଦେଖାଇପାରିବେ ବୋଲି ପ୍ଲାନ୍‍ ଇଣ୍ଡଆ ରିଲିଫ୍‍ ସହଯୋଗ କରୁଛି ବୋଲି ଏହାର ଓଡିଶା ରାଜ୍ୟ ଶାଖା ମୁଖ୍ୟ ତୁସାରକାନ୍ତି ଦାସ କହିଛନ୍ତି। ସିୱାଇଏସ୍‍ଡିର କର୍ମୀମାନଙ୍କ ସହ ସୁଦୂର କନ୍ଧମାଳର ଅନ୍ତରଙ୍ଗ ଓ ଜାତୀୟ ଯୁବ ପ୍ରକଳ୍ପର ଯୁବ ସ୍ୱେଚ୍ଛାସେବୀମାନେ ସ୍ଥାନୀୟ ଅଞ୍ଚଳରେ ରହି ଲୋକମାନଙ୍କୁ ପ୍ରୋତ୍ସାହିତ କରି ପୋଖରୀ ଓ ରାସ୍ତା ସଫେଇ, ଗଛ କଟା ଓ ଉପୁଡି ପଡିଥିବା ଗଛଗୁଡିକର ପୁର୍ନଜୀବନ ପ୍ରକ୍ରିୟା ଏବଂ ଜଳ ଉତ୍ସଗୁଡିକୁ ବିଶୋଧନ କରିବା କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଆମେରି କେୟାର ସହଯୋଗରେ ଉକ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ କରାଯାଉଥିବା ବେଳେ ଅତ୍ୟାବଶ୍ୟକୀୟ ଔଷଧ ମଧ୍ୟ ବିତରଣ କରାଯାଉଛି।

ସେହିପରି ସତ୍ୟବାଦୀ ବ୍ଲକ୍‍ରେ ସିୱାଇଏସ୍‍ଡିର କର୍ମୀ ଓ ସ୍ୱେଚ୍ଛାସେବୀମାନଙ୍କର ଅନ୍ୟ ଏକ ଦଳ ଶ୍ରମଦାନ ଜରିଆରେ ବିଭିନ୍ନ ଗ୍ରାମରେ ୱାର୍କ କ୍ୟାମ୍ପ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜିତ କରାଯାଉଛି। ଏହି ଅଞ୍ଚଳରେ ଏବେ ବି ପାନୀୟ ଜଳ ସମସ୍ୟା ଥିବାରୁ ଟାଟା ଟ୍ରଷ୍ଟ ସହଯୋଗରେ ଭ୍ରାମ୍ୟମାଣ ଜଳ ବିଶୋଧନ ପ୍ଲାଣ୍ଟ ଜରିଆରେ ବିଭିନ୍ନ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ମଧ୍ୟ ଯେଗ।।ଇ ଦିଆଯାଉଛି। ସେହିପରି ଗୁଞ୍ଜ ସହଯୋଗରେ ସେଠାରେ ପ୍ରଭାବିତ ପରିମାରମାନଙ୍କୁ ଅତ୍ୟାବଶ୍ୟକୀୟ ରିଲିଫ୍‍ ସାମଗ୍ରୀ ମଧ୍ୟ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମଗୁଡିକୁ ଅତି ସୂଚାରୁରୂପେ ଓ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରାଯାଇପାରୁଥିବା ସିୱାଇଏସ୍‍ଡିର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ ସୂଚନା ଦେଇଛନ୍ତି ।

Comments are closed.