ସିୱାଇଏସ୍‍ଡିରେ ଅର୍ନ୍ତଜାତୀୟ ସ୍ୱେଚ୍ଛାସେବୀ ଦିବସ ପାଳିତ ; ଏକ ସ୍ୱଚ୍ଛ ଓ ସଙ୍କଳ୍ପବଦ୍ଧ ମନରୁ ହିଁ ସ୍ୱେଚ୍ଛାସେବୀର ଜନ୍ମ

ଭୁବନେଶ୍ୱର : ସମାଜର ବିକାଶ ଦିଗରେ ଅହରହ ନିଜ ଜୀବନକୁ ଉତ୍ସର୍ଗ କରିଥିବା ପ୍ରତିଟି ସ୍ୱେଚ୍ଛାସେବୀ ନିଜ ମନରେ ଏକ ଦୃଢ ସଙ୍କଳ୍ପ ଓ ପ୍ରତିବଦ୍ଧତା ସାଇତି ରଖିଥାଏ। ଏକ ସ୍ୱଚ୍ଛ, ସଙ୍କଳ୍ପବଦ୍ଧ ଓ ସମର୍ପିତ ମନ ହିଁ ଜଣେ ସାଧାରଣ ମଣିଷକୁ ସ୍ୱେଚ୍ଛାସେବୀ ଭାବେ ଗଢିତୋଳେ ବୋଲି ଆଜି ଅନ୍ତର୍ଜାତୀୟ ଦିବସ ପାଳନ ଅବସରରେ ମତ ପ୍ରକାଶ ପାଇଛି। ମହାତ୍ମା ଗାନ୍ଧୀଙ୍କ ବିଚାରଧାରାରେ ସର୍ବଦା ସ୍ୱେଚ୍ଛାସେବୀର ସ୍ଥାନ ସ୍ୱତନ୍ତ୍ର ରହିଆସିଛି ଏବଂ ଗାନ୍ଧୀବାଦ ଓ ସ୍ୱେଚ୍ଛାସେବୀ ପରସ୍ପର ଅଙ୍ଗାଅଙ୍ଗୀ ଭାବେ ଜଡିତ ବୋଲି କ୍ଲାପ୍‍, ସୋଚ୍‍, ଏସଆଇଟିଓସି, ଆର୍‍ସିଡିସି, ନିୟତୀ ଫାଉଣ୍ଡେସନ୍‍, ଏନ୍‍ୱାଇପି, ସଲାମ୍‍ ଜୀବନ, ବାହାଇ ଓ ସିୱାଇଏସ୍‍ଡିର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ‘ସ୍ୱେଚ୍ଛାସେବା ଓ ମହାତ୍ମା ଗାନ୍ଧୀ’ ଶୀର୍ଷକ ଆଲୋଚନା ଚକ୍ରରେ ଉପସ୍ଥିତ ବକ୍ତାମାନେ ମତ ବ୍ୟକ୍ତ କରିଛନ୍ତି।

ସ୍ୱେଚ୍ଛାସେବୀ ମନୋଭାବ ହିଁ ଜଣେ ଡରକୂଳା ଓ ମ୍ୟାଟ୍ରିକ୍‍ରେ ମାତ୍ର ୩୮% ନମ୍ବର ରଖି ପାସ୍‍ କରିଥିବା ପିଲାକୁ ସାରା ଦେଶର ପିତା ଓ ମହାତ୍ମାର ପରିଚୟ ଦେଇଥିଲା ବୋଲି ବିଶିଷ୍ଠ ଗାନ୍ଧୀବାଦୀ ପ୍ରହଲ୍ଲାଦ ଭାଇ କହିଛନ୍ତି। ସମାଜର ତୃଣମୂଳ ସ୍ତରର ନିଷ୍ପେଷିତ, ଅବହେଳିତ ଓ ଦୁର୍ବଳ ବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ହିଁ ନିରନ୍ତର ବିକାଶ ବୋଲି ଗାନ୍ଧୀଜୀଙ୍କର ନୀତି ଓ ଆଦର୍ଶ ରହିଥିଲା ବୋଲି ପ୍ରହଲ୍ଲାଦ କହିଥିଲେ। ନିରନ୍ତର ବିକାଶ ଦିଗରେ ଦାରିଦ୍ର୍ୟ ମୁଖ୍ୟ ପ୍ରତିବନ୍ଧକ ଏବଂ ନିଶା, ଆଳସ୍ୟ ଓ ଜଡତା ହିଁ ଏହାର ମୂଳ କାରଣ ବୋଲି ଗାନ୍ଧୀ ୧୯୨୧ ମସିହାରେ ଓଡିଶା ଗସ୍ତ ସମୟରେ କହିଥିବା କଥା ସେ ମନେ ପକାଇ ଦେଇଥିଲେ। ପ୍ରାକୃତିକ ସମ୍ବଳର ସୁବିନିଯୋଗ, ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ କୁସଂସ୍କାର ଦୂରେଇବା ଏବଂ ମାନବ ଅଧିକାର ଭଳି ସମସ୍ୟାର ବିଭିନ୍ନ ଦିଗକୁ ଗାନ୍ଧୀବାଦରେ ଗୁରୁତ୍ୱ ଦିଆଯାଇଛି ବୋଲି ପ୍ରାକ୍ତନ ରାଷ୍ଟ୍ରଦୂତ ଅବସର ବେହୁରିଆ ମତ ପ୍ରକାଶ କରିଛନ୍ତି। ସେହିଭଳି ୟୁଏନ୍‍ଡିପିର ଓଡିଶା ମୁଖ୍ୟ ଆଭା ମିଶ୍ର ଏହି ଆଲୋଚନା ଚକ୍ରରେ ଯୋଗଦେଇ କହିଲେ ଯେ, ଆମ ମା’ମାନେ ନିଜ ପେଟରୁ ମୁଠେ ଚାଉଳ କାଟି ଦୁଃଖି ଦରିଦ୍ରଙ୍କୁ ଦାନ କରିବା ବି ଏକ ପ୍ରକାର ସ୍ୱେଚ୍ଛାସେବା। ତେବେ ଆଜିର ପରିବର୍ତ୍ତିତ ସମାଜରେ ଆମେ ଅଧିକ ଖାଇବା, ଅନାବଶ୍ୟକ ଜିନିଷ ବ୍ୟବହାର କରିବା ଭଳି ଛୋଟ ଛୋଟ ଅଭ୍ୟାସରେ ପରିବର୍ତ୍ତନ କରି ସମାଜର ହିତ ସାଧନ କରିବା ମଧ୍ୟ ସ୍ୱେଚ୍ଛାସେବା ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି। ଗାନ୍ଧୀଙ୍କର ଦୁଇଟି ପ୍ରମୁଖ ଅସ୍ତ୍ର- ସତ୍ୟ ଓ ଅହିଂସା ଏବଂ ସ୍ୱାମୀ ବିବେକାନନ୍ଦଙ୍କ ଦୁଇଟି ମାର୍ଗ- ସେବା ଓ ତ୍ୟାଗ ଜଣେ ସ୍ୱେଚ୍ଛାସେବୀ ନିଜ ଜୀବନର ବ୍ରତ କରିବା ଉଚିତ୍‍ ବୋଲି ଟାଟା ଷ୍ଟିଲ୍‍ ସିଏସ୍‍ଆର୍‍ର ଓଡିଶା ମୁଖ୍ୟ ଅମ୍ବିକା ନନ୍ଦ ମତ ପୋଷଣ କରିଛନ୍ତି। ଜଣେ ସ୍ୱେଚ୍ଛାସେବୀ କମ୍‍ ସ୍ୱରରେ କଥା କହିବା ସହ କାହାକୁ ନଡରିବା ଏବଂ କାହାକୁ ନଡରାଇବା ଅଭ୍ୟାସ ଆଣିବା ଦରକାର ବୋଲି ଶ୍ରୀ ନନ୍ଦ ଉପସ୍ଥିତ ଯୁବ ସ୍ୱେଚ୍ଛାସେବୀମାନଙ୍କୁ ପରାମର୍ଶ ଦେଇଥିଲେ। ଆମ ଆଗାମୀ ବଂଶଧରମାନଙ୍କ ପାଇଁ ପୃଥିବୀକୁ ଆହୁରି ସରସ ଓ ସୁନ୍ଦର କରିବା ଦିଗରେ ଜଣେ ସ୍ୱେଚ୍ଛାସେବୀ ପ୍ରଥମେ ଜଣେ ଭଲ ଓ ସମ୍ବେଦନଶୀଳ ମନ ସହ ଦରଦୀ ହୃଦୟର ମଣିଷଟିଏ ହେବା ଆବଶ୍ୟକ ବୋଲି ସିୱାଏସ୍‍ଡିର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ କହିଛନ୍ତି। ସ୍ୱେଚ୍ଛାସେବୀ ଜଣେ ମା’ ଭଳି ଅନ୍ୟର ମନ କଥା ବୁଝିପାରୁଥିବ ଏବଂ ପରକୁ ନିଜର ଭଳି ଭଲ ପାଇବାର ମନୋଭାବ ରଖିବା ଆବଶ୍ୟକ ବୋଲି ଶ୍ରୀ ସହୁ ମତ ପୋଷଣ କରିଛନ୍ତି।

ଫନୀ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଅନେକ ସ୍ୱେଚ୍ଛାସେବୀ ସ୍ୱତଃପ୍ରବୃତ ଆସି ରିଲିଫ୍‍ ଓ ପୁନଃଥଇଥାନ କାମରେ ନିୟୋଜିତ ହୋଇଥିଲେ, ସେହି ସ୍ୱେଚ୍ଛାସେବୀମାନଙ୍କ ସେହି ସମୟର ଅନୁଭୂତି ଓ ଶିକ୍ଷା ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବା ଉଚିତ୍‍ ବୋଲି ସିୱାଇଏସ୍‍ଡିର ସହ- ପ୍ରତିଷ୍ଠାତା ତଥା ମାର୍ଗଦର୍ଶକ ଜଗଦାନନ୍ଦ କହିଛନ୍ତି। ସ୍ୱେଚ୍ଛାସେବାର ଝଲକ ଆମ ମନ ଓ ହୃଦୟ ଭିତରୁ ଆସେ ଏବଂ ଏକ ସକରାତ୍ମକ ପ୍ରତିଯୋଗିତା ମନୋଭାବ ନେଇ ସାମାଜିକ ବିକାଶ ଦିଗରେ କାମ କଲେ ସ୍ୱେଚ୍ଛାସେବୀ ଆହୁରି ପ୍ରସ୍ପୁଟିତ ହୋଇଥାଏ ବୋଲି ଜଗଦାନନ୍ଦ ମତବ୍ୟକ୍ତ କରିଛନ୍ତି।ପ୍ରାରମ୍ଭିକ ସଭାରେ ଆୟୋଜକମାନଙ୍କ ପ୍ରତିନିଧିମାନେ ଅର୍ନ୍ତଜାତୀୟ ସ୍ୱେଚ୍ଛାସେବୀ ଦିବସ ପାଳନର ଉଦ୍ଦେଶ୍ୟ ବିଷୟରେ ଜଣାଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ଆରସିଡିସିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାସ ଉଦ୍‍ଜାପନୀ ସମ୍ଭାଷଣ ଦେଇଥିବା ବେଳେ ସଲାମ୍‍ ଜୀବନର ପ୍ରତିନିଧି ଇମ୍ରାନ୍‍ ଖାନ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.