ସାଇରସ୍‌ ମିସ୍ତ୍ରିଙ୍କ ବଡ଼ ନିଷ୍ପତ୍ତି; ପୁନର୍ବାର ଟାଟା ସନ୍ସ ଅଧ୍ୟକ୍ଷ ହେବେନାହିଁ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଟାଟା ସନ୍ସ ଏବଂ ଏହାର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରିଙ୍କ ମଧ୍ୟରେ ଚାଲିଥିବା ବିବାଦ ନୂଆ ମୋଡ଼ ନେଇଛି। ମିସ୍ତ୍ରି ପୁନର୍ବାର ଟାଟା ସନ୍ସର ଅଧ୍ୟକ୍ଷ ହେବେନାହିଁ ବୋଲି ରବିବାର ନିଷ୍ପତ୍ତି ନେଇଛନ୍ତି। ଗତ ମାସ ୧୮ ତାରିଖରେ ନ୍ୟାଶନାଲ କମ୍ପାନୀ ଲ ଆପିଲେଟ୍‌ ଟ୍ରିବ୍ୟୁନାଲ(ଏନସିଏଲଏଟି) ସାଇରସ ମିସ୍ତ୍ରିଙ୍କୁ ଅଧ୍ୟକ୍ଷ ପଦରୁ ହଟାଯିବା ବେଆଇନ ବୋଲି ଦର୍ଶାଇବା ସହିତ ତାଙ୍କୁ ପୁନଃ ଅବସ୍ଥାପିତ କରିବା ଲାଗି ଟାଟା ସନ୍ସକୁ ନିର୍ଦେଶ ଦେଇଥିଲେ। ଏନସିଏଲଏଟି ଗତ ୧୮ ତାରିଖରେ ଦେଇଥିବା ରାୟରେ ଏନ. ଚନ୍ଦ୍ରଶେଖରନଙ୍କୁ ଟାଟା ସନ୍ସର କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରାଯିବା ନିଷ୍ପତ୍ତି ବେଆଇନ ବୋଲି ମଧ୍ୟ କହିଥିଲେ। ମାତ୍ର ଏସବୁ ମଧ୍ୟରେ ମିସ୍ତ୍ରିଙ୍କ ନୂଆ ନିଷ୍ପତ୍ତି ସମସ୍ତଙ୍କୁ ଚକ୍କିତ କରିଛି।

ମିସ୍ତ୍ରି କହିଛନ୍ତି, ଏନସିଏଲଏଟି ତାଙ୍କ ସପକ୍ଷରେ ରାୟ ଦେଇଥିଲେ ହେଁ ସେ ଅଧ୍ୟକ୍ଷ ପଦ ଗ୍ରହଣ କରିବେ ନାହିଁ। ଏନସିଏଲଏଟି ରାୟକୁ ଚ୍ୟାଲେଞ୍ଜ କରି ଟାଟା ସନ୍ସ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବାବେଳେ ମିସ୍ତ୍ରି ଏଭଳି ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି, କମ୍ପାନୀର କୌଣସି ଭୂମିକାରେ ତାଙ୍କର କୌଣସି ରୁଚି ନାହିଁ। ମୁଁ ଏନସିଏଲଏଟିଙ୍କ ନିଷ୍ପତ୍ତିର ସମ୍ମାନ କରୁଛି, ଯିଏ ମାମଲାର ବ୍ୟାପକ ଯାଞ୍ଚ ପରେ ମୋର କମ୍ପାନୀରୁ ବରଖାସ୍ତ ଅବୈଧ ବୋଲି ଦର୍ଶାଇଛନ୍ତି। ରତନ ଟାଟା ଏବଂ ଅନ୍ୟ ଟ୍ରଷ୍ଟିମାନେ ଦମନକାରୀ ଏବଂ ପକ୍ଷପାତପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଏନସିଏଲଏଟି ଦୋଷୀ ବୋଲି ଜାଣିବାକୁ ପାଇଛନ୍ତି।

Comments are closed.