ସ୍ମାର୍ଟସିଟିରେ ସାଇକ୍ଲୋଥନ୍;‌ ସାଇକଲଗିରିର ସନ୍ଦେଶ ଦେଲେ

ଭୁବନେଶ୍ବର : ପ୍ରତିଦିନ ସାଇକଲ ଚଳାଇଲେ ଶରୀରକୁ ଶକ୍ତି ମିଳିବ। ଏହାଦ୍ବାରା ଉଭୟ ଶରୀର ଓ ମନ ସୁସ୍ଥ ରହିବ। ଜନତା ସୁସ୍ଥ ରହିଲେ ଦେଶ ବିକାଶ ପଥରେ ଆଗେଇବ ବୋଲି ପ୍ରଥମ ଓଡ଼ିଆ ଅର୍ଜୁନ ପୁରସ୍କାରପ୍ରାପ୍ତ ଏବଂ ଓଡ଼ିଶାର ପ୍ରଥମ ମହିଳା ସାଇକଲ ଚାଳକ ମିନତି ମହାପାତ୍ର କହିଛନ୍ତି।
ରବିବାର ବିଏମ୍‌ସି ଏବଂ ସ୍ମାର୍ଟସିଟି ପକ୍ଷରୁ ଫିଟ୍‌ ଇଣ୍ଡିଆ ସାଇକଲ ଦୌଡ଼ ଶିଶୁ ଭବନ ଛକର ଏକାମ୍ର ପ୍ଲାଜା ନିକଟରୁ ଆରମ୍ଭ ହୋଇ ଶିଖରଚଣ୍ଡୀ ପାହାଡ଼ ନିକଟରେ ପହଞ୍ଚିଥିଲା। ପାଖାପାଖି ୩୦୦ ସାଇକଲ ଚାଳକ ୧୨.୧ କି.ମି ସାଇକଲ ଦୌଡ଼ରେ ସାମିଲ ହୋଇଥିଲେ। ଏହାକୁ ଶ୍ରୀମତୀ ମହାପାତ୍ର ଏବଂ ବିଏମ୍‌ସି କମିସନର ତଥା ସ୍ମାର୍ଟସିଟି ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଆବାସିକ କଲ୍ୟାଣ ସଂସ୍ଥା ସାଇକଲ ଚାଳନାକୁ ଗୋଷ୍ଠୀ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିଛନ୍ତି। ବିଏମ୍‌ସି ପକ୍ଷରୁ ସାଇକଲ ଟ୍ରାକ୍‌ ସୃଷ୍ଟି ସହିତ ଜବରଦଖଲ ମୁକ୍ତ କରାଯାଉଛି ବୋଲି କମିସନର ଶ୍ରୀ ଚୌଧାରୀ କହିଛନ୍ତି। ଏହି ଦୌଡ଼ ଅବସରରେ ସାଇକଲଗିରି ସଙ୍ଗୀତ ଗାନ କରାଯାଇଥିଲା। ଯୁବସେବା ଏବଂ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଫିଟ୍‌ ଇଣ୍ଡିଆ ପଦକ୍ଷେପ ଆରମ୍ଭ ହୋଇଛି। ସ୍ମାର୍ଟସିଟି ମିଶନ ଅଧୀନ ଏହି ଅଭିଯାନ ସାରା ଦେଶରେ ଅନୁଷ୍ଠିତ ହୋଇଛି। ଆଜି ବିଏମ୍‌ସି ଏବଂ ବିଡିଏ ପକ୍ଷରୁ ଏହି ଅଭିଯାନ ଆୟୋଜିତ ହୋଇଥିଲା । ସାଇକଲ ଦୌଡ଼ ଅଭିଯାନ କାର୍ଯ୍ୟକ୍ରମରେ ଅନ୍ୟ ଅତିଥିଙ୍କ ମଧ୍ୟରେ ବିଏମ୍‌ସି ଅତିରିକ୍ତ କମିସନର ସୁରଥ ଚନ୍ଦ୍ର ମଲ୍ଲିକ, ସ୍ମାର୍ଟସିଟିର ମହାପ୍ରବନ୍ଧକ( ପ୍ରଶାସନ) କମଲଜିତ୍‌ ଦାସ, ମହାପ୍ରବନ୍ଧକ (ଯାନ୍ତ୍ରିକ) ଅଶ୍ବିନୀ ବିଶ୍ବାଳ, ଦକ୍ଷିଣ-ପୂର୍ବ ଜୋନ୍‌ ଡେପୁଟି କମିସନର ଅଶୁଂମାନ ରଥ, ଆସିଷ୍ଟାଣ୍ଟ କମିସନର (ଯୋଗାଯୋଗ) ଲିଲନ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.