ଅମ୍ପନ ବିତ୍ପାତ – ୮୪ ମୃତ

ଢାକା/କଲକାତା: ସମଗ୍ର ପଶ୍ଚିମବଙ୍ଗରେ ସାମୁଦ୍ରିକ ମହାବାତ୍ୟା ଅମ୍ପନ ମହାତାଣ୍ଡବ ରଚିଛି। ଯେଉଁ କ୍ଷୟକ୍ଷତି ହୋଇଛି ତାହା ଅତୀତରେ କେବେ ଘଟି ନ ଥିଲା। ମହାବାତ୍ୟା ତାଣ୍ଡବରେ ରାଜ୍ୟରେ ୭୨ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିଲେ ସୁଦ୍ଧା ଏହି ସଂଖ୍ୟା ଯଥେଷ୍ଟ ଅଧିକ ହେବା ଆଶଙ୍କା କରାଯାଉଛି। କେବଳ ମହାନଗରୀ କୋଲକାତାରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମହାବାତ୍ୟାର ଏହି କ୍ଷୟକ୍ଷତିକୁ ଗୋଟିଏ ଶବ୍ଦରେ ‘ସର୍ବନାଶ’ ବୋଲି କହିବା ସହ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାପାଇଁ ଘୋଷଣା କରିଛନ୍ତି। ଏହାସହିତ ମୃତକଙ୍କ ପରିବାର ଯଦି ଅର୍ଥନୈତିକ ଦିଗରୁ ଦୁର୍ବଳ ଥାଆନ୍ତି, ତା’ହେଲେ ସେମାନଙ୍କ ଘର ତିଆରି କରିଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଭାଙ୍ଗି ଯାଇଥିବା ଗାଡିକୁ ମରାମତି ଲାଗି ଅର୍ଥ ଦିଆଯିବ ବୋଲି ସୂଚନା ମିଳିଛି।

ମହାବାତ୍ୟା ଅମ୍ପନର ମାଡ଼ରେ ପଶ୍ଚିମବଙ୍ଗର ମୋଟ ୮ଟି ଜିଲା କଲକାତା, ପୂର୍ବ ଓ ପଶ୍ଚିମ ମେଦିନୀପୁର, ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା, ହୁଗୁଳି, ହାଓଡ଼ା ଏବଂ ପୁରୁଲିଆ ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ହଜାର ହଜାର ଘର ଭାଙ୍ଗିପଡ଼ିଥିବା ବେଳେ କୃଷି କ୍ଷେତ୍ରରେ ବ୍ୟାପକ କ୍ଷତି ଘଟିଛି। ଚାଷୀମାନେ ସଂପ୍ରତି ମୁଣ୍ଡରେ ହାତଦେଇ ବସିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ପ୍ରଶାସନିକ ଉଚ୍ଚ ସ୍ତରୀୟ ବୈଠକରେ ପ୍ରାଥମିକ ଆକଳନ ଅନୁଯାୟୀ, କ୍ଷୟକ୍ଷତି ୧ ଲକ୍ଷ ୨୨ ହଜାର କୋଟି ଥିବା ଅବଗତ କରାଯାଇଛି। ୭ ଦିନ ଭିତରେ ସଂପୂର୍ଣ୍ଣ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି।

ମହାବାତ୍ୟା ଅମ୍ପନ ପଶ୍ଚିମବଙ୍ଗରୁ ବାଂଲାଦେଶ ଆଡ଼େ ମୁହାଁଇବା ସହିତ ଗୁରୁବାର ଦୁର୍ବଳ ହୋଇଛି; ତେବେ ଯାତ୍ରାପଥରେ ପଶ୍ଚିମବଙ୍ଗରେ ବିଭୀଷିକା ରଚିଥିଲା। ବାଂଲାଦେଶ ଉପକୂଳରେ ଅମ୍ପନ ୧୭୦ରୁ ୧୮୫କିଲୋମିଟର ବେଗରେ ପବନ ବହିବା ସହ ବ୍ୟାପକ କ୍ଷତି ଘଟାଇଛି। ଏହାର ପ୍ରଭାବରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଗଛ ବା କାନ୍ଥ ପଡ଼ି, ପାଣିରେ ବୁଡ଼ି ଓ ଅତଡ଼ା ଧସି ଅଧିକାଂଶଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବାଂଲାଦେଶ ସରକାର ପ୍ରାୟ ୨୦ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯିବା ଦ୍ବାରା ଜୀବନହାନିକୁ ନିୟନ୍ତ୍ରଣ କରାଯାଇପାରିଛି; କିନ୍ତୁ ଧନହାନି ବ୍ୟାପକ ହୋଇଛି। ଏଥିରେ ପ୍ରାୟ ୧୦ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଶତାଧିକ ଗାଁରେ ସମୁଦ୍ର ଜଳ ମାଡ଼ିଯାଇଛି।

ଅପରପକ୍ଷରେ ପଶ୍ଚିମବଙ୍ଗରେ ମୋଟ ୭୨ଜଣଙ୍କ ମୃତ୍ୟୁ ହୋଇଛି। ମୃୃତକଙ୍କ ମଧ୍ୟରୁ କେବଳ ୧୫ ଜଣ କଲକାତାର ବୋଲି ଜଣାପଡ଼ିଛି। ଓଡ଼ିଶାରେ ଦୁଇ ଜଣଙ୍କୁ ମିଶାଇଲେ ଅମ୍ପନ ମୋଟ ୮୪ ଜଣଙ୍କ ଜୀବନ ନେଇଥିବା ସରକାରୀ ଭାବେ କୁହାଯାଇଛି। କଲକାତା ଓ ଏହାର ଆଖପାଖ ଅଞ୍ଚଳର ୧୪ ନିୟୁତରୁ ଅଧିକ ଲୋକ ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରକାଶ। ବାତ୍ୟାରେ ମୃତକଙ୍କ ପିଛା ମମତା ବାନାର୍ଜୀଙ୍କ ସରକାର ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ଓ କ୍ଷୟକ୍ଷତିର ଆକଳନ ଆରମ୍ଭ କରିଛନ୍ତି।

Comments are closed.