ବାତ୍ୟା ୟସରେ ନଷ୍ଟ ହୋଇଯାଇଥିବା ଫସଲ ପାଇଁ ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ଦିଆଯାଉ, ଘରଭଙ୍ଗା କ୍ଷତିପୁରଣ ରାଶି ୧୪ ଦିନ ଭିତରେ ପ୍ରଦାନ କରାଯାଉ:ବିଜେପି

ଭୁବନେଶ୍ୱର: ରାଜଧାନୀ କୋଳରେ ବସି ରହି ବାତ୍ୟା ଓ ବନ୍ୟା ସୁପରିଚାଳନା କରିବାର ମିଛ ବାଃ ବାଃ ସାଉଁଟିବାରେ ସିଦ୍ଧହସ୍ତ ରାଜ୍ୟ ସରକାର। ସଦ୍ୟ ଘଟିଥିବା ବାତ୍ୟା ୟସ ପରିଚାଳନାରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ବାତ୍ୟା ପୂର୍ବରୁ ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଇଥାଏ। ୨୦୦୮ ମସିହାରେ ବିଧାନସଭାରେ ଗୃହ ବିଭାଗ କମିଟି ଦେଇଥିବା ରିପୋର୍ଟ ଆଧାରରେ ରାଜ୍ୟ ସରକାର ବାତ୍ୟା ୟସ ମୁକାବିଲା କୌଣସି ପ୍ରାକ ପ୍ରସ୍ତୁତି କରିନଥିଲେ ବୋଲି ପୂର୍ବତନ ରାଜସ୍ୱ ମନ୍ତ୍ରୀ ତଥା ୟସ ବାତ୍ୟା ପାଇଁ ଗଠିତ ପାର୍ଟି ତରଫରୁ ରାଜ୍ୟ ସଂଯୋଜକ ମନମୋହନ ସାମଲ ଅଭିଯୋଗ କରିଛନ୍ତି।

 

ବାତ୍ୟା ୟସ ଓଡିଶାରେ ତାଣ୍ଡବ ରଚିବ ବୋଲି ବହୁ ପୂର୍ବରୁ ଭାରତୀୟ ପାଣିପାଗ ରାଜ୍ୟ ସରକାରଙ୍କୁ ସୁଚନା ଦେଇଥିଲା। ବାତ୍ୟାର ପ୍ରତିଟି ମୁହୁର୍ତ୍ତ ବିଷୟରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା। ବାତ୍ୟା ପୂର୍ବ ଓ ପରବର୍ତ୍ତୀ ସହାୟତା ପାଇଁ ଏନଡିଆରଏଫ ସମସ୍ତ ପ୍ରକାରର ସହଯୋଗ କରିଥିଲା। ବାତ୍ୟା ହେବା ପୂର୍ବରୁ ଏନଡିଆରଏଫ ଯବାନମାନେ ପ୍ରଭାବିତ ହେବାକୁ ଥିବା ଅଂଚଳକୁ ଯାଇ ପ୍ରସ୍ତୁତ ରହିଲେ। ଅନ୍ୟ ପଟେ ରାଜ୍ୟ ସରକାର ମଧ୍ୟ ସଂପୁର୍ଣ୍ଣ ପ୍ରସ୍ତୁତ ଥିବାର ସୁଚନା ଦେଲେ। ବାତ୍ୟା ପ୍ରଭାବିତ ଆଂଶକା ଥିବା ସମସ୍ତ ଜିଲ୍ଲା ପାଇଁ ଅତିରିକ୍ତ ଭାବେ ଜଣେ ଲେଖାଏଁ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଦାୟୀତ୍ୱ ପ୍ରଦାନ କଲେ। ବାତ୍ୟା ପୂର୍ବ ଓ ପରବର୍ତୀ ପରିସ୍ଥିତିକୁ ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ ବୋଲି ଗଣମାଧ୍ୟମ ଜରିଆରେ ଘୋଷଣା କଲେ। ମାତ୍ର ଏହା କେବଳ ପ୍ରଚାର ସର୍ବସ୍ୱ ଥିବାବେଳେ ବାସ୍ତବ ସ୍ଥିତି ସଂପୂର୍ଣ୍ଣ ଭିନ୍ନ ଅଟେ ବୋଲି ଶ୍ରୀ ସାମଲ କହିଛନ୍ତି।
ବାତ୍ୟା ପୂର୍ବରୁ ପ୍ରଭାବିତ ଅଂଚଳବାସୀଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ବାରମ୍ବାର କହିବା କେବଳ ପ୍ରହସନ / ଡ୍ରାମା ଥିଲା। ଅଳ୍ପ କିଛି ଲୋକଙ୍କୁ ସ୍ଥାନାନ୍ତରିତ କରି ପ୍ରଭାବିତ ସମଗ୍ର ଅଂଚଳବାସିଙ୍କୁ ସ୍ଥାନାନ୍ତରିତ କରାଯାଇଛି ବୋଲି କହିଲେ। ୫୦ ଜଣଙ୍କୁ ସ୍ତାନାନ୍ତରିତ କରାଯାଇ ୩୦୦ ବୋଲି ଉଲ୍ଲେଖ କରାଯାଇଛି ବୋଲି ଶ୍ରୀ ସାମଲ ଅଭିଯୋଗ କରିଛନ୍ତି।
ବାତ୍ୟା ଆଶ୍ରୟସ୍ଥଳୀରେ କୈାଣସି ବ୍ୟବସ୍ଥା କରାଯାଇନଥିଲା। ବାତ୍ୟାଶ୍ରୟସ୍ଥଳୀର ମରାମତି କରାଯାଇନଥିଲା। ପାନୀୟ ଜଳ, ବିଜୁଳି, କିରୋସିନି, ଖାଦ୍ୟ ଆଦିର ବ୍ୟବସ୍ଥା ନଥିଲା। ୧-୨ ପ୍ୟାକେଟ ବିସ୍କୁଟ, ୫୦ ଗ୍ରାମ ଚୁଡା ଦେଇ ରିଲିଫ କାର୍ଯ୍ୟର କେବଳ ଔପଚାରିକତା ପୂରଣ କରାଯାଇଥିଲା। କୋଭିଡ୍ ଗାଇଡଲାଇନ ଅନୁଯାୟୀ ବାତ୍ୟାଶ୍ରୟ ପରିଚାଳନା ହେଉଥିବା କହି ମିଥ୍ୟା ପ୍ରଚାର କଲେ। ଏହି କାରଣରୁ ବହୁ ପ୍ରଭାବିତ ବାତ୍ୟାଶ୍ରୟକୁ ଯାଇନଥିଲେ।
ବାତ୍ୟା ପରବର୍ତୀ ମୁକାବିଲା କ୍ଷେତ୍ରରେ ଉପୁଡି ପଡିଥିବା ଗଛ, ହୋର୍ଡିଂ ଇତ୍ୟାଦି ସଫା କରାଯାଇ ଗମନାଗମନ ବ୍ୟବସ୍ଥାକୁ ପୁନଃକ୍ଷମ କରାଗଲା ବୋଲି ଘୋଷଣା କଲେ। ବାତ୍ୟା ଯିବାର ଆଜିକୁ ୯ ଦିନ ବିତି ଯାଇଥିଲେ ସୁଦ୍ଧା ବହୁ ଘରେ ଓ ରାସ୍ତାରେ ଗଛ ପଡି ରହି ଗମନାଗମନ ବ୍ୟାହତ ହୋଇରହିଛି। ଘରଛପର ହରାଇଥିବା ଅସହାୟ ପ୍ରଭାବିତଙ୍କୁ ସାମାନ୍ୟ ପଲିଥିନ ଦିଆଯାଇନାହିଁ। ବର୍ତମାନ ସୁଦ୍ଧା ଘର ଭଙ୍ଗା ତଦନ୍ତ ଆରମ୍ଭ ହୋଇପାରି ନାହିଁ। ଦୁର୍ଭାଗ୍ୟର ବିଷୟ, ପ୍ରଶାସନ ଅଧିକାରୀମାନେ ବର୍ତମାନ ସୁଦ୍ଧା ସମସ୍ତ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଂଚଳରେ ପହଂଚି ନାହାନ୍ତି।
ବାତ୍ୟା ପରବର୍ତୀ ବନ୍ୟା ସ୍ଥିତି ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ ବୋଲି ପ୍ରମାଣିତ ହୋଇଛି। ଜଳସଂପଦ ଓ ଡ୍ରେନେଜ ବିଭାଗ ସଂପୂର୍ଣ୍ଣ ଅଚଳ ହୋଇଯାଇଛି। ବହୁ ଅଂଚଳରେ ନଦୀ ବନ୍ଧ ଭାଙ୍ଗିଯିବା ଘଟଣା ପଦାକୁ ଆସିଛି। ସ୍ୱିସ୍ ଗେଟ ଦେଇ ବନ୍ୟାଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାଗଲା ନାହିଁ। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର ଜିଲ୍ଲାର ବହୁ ଅଂଚଳ ଜଳମଗ୍ନ ଏବଂ ଅଂଚଳବାସୀ ପାଣି ଘେରରେ ଅଛନ୍ତି।
ବାତ୍ୟା ଓ ବନ୍ୟା ପ୍ରଭାବିତଙ୍କୁ କେବଳ ଶୁଖିଲା ଖାଦ୍ୟ ବଂଟନ କରାଯାଉଛି। ତାହା ପୁଣି ସମୁଦ୍ରକୁ ଶଙ୍ଖେ ସଦୃଶ। ଏପରିକି ବହୁ ଅଂଚଳରେ ଶୁଖିଲା ଖାଦ୍ୟ ମଧ୍ୟ ଦିଆଯାଇନାହିଁ। ରନ୍ଧା ଖାଦ୍ୟ ଆଦୈା ଦିଆଯାଇନାହିଁ। ବାତ୍ୟାଂଚଳର କୈାଣସି ଗୋଟିଏ ଗୋଦାମ ଗୃହରେ ଚାଉଳ, ଗହମ ଆଦି ଖାଦ୍ୟ ସାମଗ୍ରୀ ମହଜୁଦ୍ ନଥିଲା। ଏପରିକି ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଚାଉଳ ମଧ୍ୟ ମହଜୁଦ୍ ନଥିଲା ବୋଲି ଶ୍ରୀ ସାମଲ କ୍ଷୋଭ ପ୍ରକାଶ କରି କହିଛନ୍ତି। ରିଲିଫ ସାମଗ୍ରୀ ବଂଟନରେ ବ୍ୟାପକ ଅନୀୟମିତତା ହୋଇଛି। ଗାଡି ଭଡାର ଆଳ ଦେଖାଇ ପ୍ରଭାବିତ ଅସହାୟମାନଙ୍କୁ କମ୍ ପରିମାଣରେ ରିଲିଫ ସାମଗ୍ରୀ ପ୍ରଦାନ କରାଯିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ସାମଲ କହିଛନ୍ତି।
ବିଜୁଳି ବ୍ୟବସ୍ଥା ପୁନସ୍ଥାପିତ କରାଯାଇଥିବା କହି ବିଭ୍ରାନ୍ତ ସୃଷ୍ଟି କରାଯାଉଛି। ଆଜି ମଧ୍ୟ ଏ ସମସ୍ତ ଅଂଚଳ ଅନ୍ଧକାର ଭିତରେ ରହିଛି। ପଶୁ ସଂପଦ ଆଜି ସଂକଟମୟ ପରିସ୍ଥିତିରେ। ଗୃହପାଳିତ ପଶୁ ଖାଦ୍ୟ ଅଭାବର ଶିକାର ହେଉଛନ୍ତି। ପ୍ରଶାସନ ତରଫରୁ କୈାଣସି ପଦକ୍ଷେପ ନିଆଯାଉନାହିଁ ବୋଲି ଶ୍ରୀ ସାମଲ ଅଭିଯୋଗ କରିଛନ୍ତି।
ବାତ୍ୟା ଓ ବନ୍ୟା ପରବର୍ତୀ ମୁକାବିଲାରେ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଲା ସ୍ୱାସ୍ଥ୍ୟ ସମସ୍ୟା। ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପୁନରୁଦ୍ଧାର ହୋଇପାରିନାହିଁ। ଝାଡା, ବାନ୍ତି ବ୍ୟାପିବାର ବହୁ ସମ୍ଭାବନା ରହିଥିବାବେଳେ ପ୍ରଶାସନ ସଂପୂର୍ଣ୍ଣ ସ୍ଥାଣୁ ପାଲଟିଛି ବୋଲି ଶ୍ରୀ ସାମଲ କହିଛନ୍ତି।
ରାଜ୍ୟବାସୀ ସଂକଟ ସମୟ ଦେଇ ଗତି କରୁଥିବାବେଳେ ରାଜ୍ୟ ସରକାର କେବଳ ଔପଚାରିକତା ମନୋଭାବ ପ୍ରଦର୍ଶନ କରୁଛନ୍ତି। ବାସ୍ତବ ସମସ୍ୟାର ସମାଧାନ ଏବଂ ପ୍ରଭାବିତ ଅଂଚଳବାସୀଙ୍କୁ ସେମାନଙ୍କ ମୈାଳିକ ସେବା ଯୋଗାଇ ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ରାଜ୍ୟ ସରକାର। ବାତ୍ୟା ଓ ବନ୍ୟା ପରିଚାଳନରେ ଅବ୍ୟବସ୍ଥା ପ୍ରସଙ୍ଗରେ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେବାକୁ ଶ୍ରୀ ସାମଲ ଦାବୀ କରିଛନ୍ତି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ୮.୧୫ ଲକ୍ଷ ଗୃହ ଆବଂଟନ ହୋଇଛି। ବାତ୍ୟାଂଚଳରେ ଥିବା ସମସ୍ତ କଚ୍ଚାଘରକୁ ପକ୍କାଘରରେ ପରିଣତ କରାଯାଉ। ନଷ୍ଟ ହୋଇଯାଇଥିବା ଫସଲ ପାଇଁ ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ଦିଆଯାଉ। ବାତ୍ୟା ଓ ବନ୍ୟାଂଚଳରେ କୃଷକଙ୍କ ପାଇଁ ଋଣ ଛାଡ କରାଯାଉ। ଚିଙ୍ଗୁଡି ଚାଷୀଙ୍କୁ କ୍ଷତିପୁରଣ ପ୍ରଦାନ କରାଯାଉ। ଘରଭଙ୍ଗା କ୍ଷତିପୁରଣ ରାଶି ୧୪ ଦିନ ଭିତରେ ପ୍ରଦାନ କରାଯାଉ। ୨୦୦୮ ଗୃହ କମିଟି ସୁପାରିଶ ଆଧାରରେ ସ୍ୱିସ୍ ଗେଟ୍ ଓ ନାଳ ପୁନରୁଦ୍ଧାର କାର୍ଯ୍ୟ ତଥା ନିର୍ମାଣ କରାଯିବାକୁ ଶ୍ରୀ ସାମଲ ଦାବୀ କରିଛନ୍ତି।
୨୦୧୯ ଫନୀ, ୨୦୨୦ ଅଂଫାନ ବାତ୍ୟାର କ୍ଷତିପୂରଣ ରାଶି ଆଜି ଯାଏଁ ଲୋକଙ୍କ ପାଖରେ ପହଂଚିନାହିଁ। ବାତ୍ୟା ୟଶ୍ ପାଇଁ କେନ୍ଦ୍ର ସରକାର ପ୍ରଦାନ କରିଥିବା ଅର୍ଥ କେବେ ସୁଦ୍ଧା ପ୍ରଭାବିତ ଲୋକମାନେ ପାଇବେ, ତାହା ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେବାକୁ ଶ୍ରୀ ସାମଲ ଦାବୀ ଜଣାଇଛନ୍ତି। ଏହି ଅବସରରେ ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.