୫୫ବର୍ଷରେ ୧୪୮ଟି ସାମୁଦ୍ରିକ ଝଡ଼: ଏପ୍ରିଲରେ ୭, ମେ’ରେ ୨୯

ଭୁବନେଶ୍ବର (ରଞ୍ଜିତ୍ ମହାନ୍ତି): ଭାରତରେ ଘୂର୍ଣିଝଡ଼ର ଇତିହାସ ବହୁ ପୁରୁଣା । ପ୍ରତିବର୍ଷ ଏହି ଝଡ଼ରେ ଶହଶହ ଲୋକ ପ୍ରାଣ ହରାଇଛନ୍ତି । ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୧୯୬୫ ମସିହାଠାରୁ ୨୦୨୦ ମସିହା ମଧ୍ୟରେ ଭାରତର ସାମୁଦ୍ରିକ ତଟରେ ୧୪୮ ଘୂର୍ଣିଝଡ଼ ହୋଇଥିବା ରେକର୍ଡ଼ କରାଯାଇଛି । ଏହାମଧ୍ୟରୁ ପ୍ରାକ୍ ମୌସୁମୀ କାଳରେ ୩୬ଟି ତଟଦେଶରେ କେନ୍ଦ୍ରୀଭୂତ ହୋଇଛି । ଏପ୍ରିଲ ମାସରେ ମାତ୍ର ୭ଟି ଓ ମେ ମାସରେ ୨୯ଟି ସାମୁଦ୍ରିକ ଝଡ଼ ହୋଇଥିବା ରିପୋର୍ଟ ମିଳିଛି । ଅବଶିଷ୍ଟ ସାମୁଦ୍ରିକ ଘୂର୍ଣିଝଡ଼ଗୁଡ଼ିକ ଅକ୍ଟୋବର-ଡ଼ିସେମ୍ବର ମଧ୍ୟରେ କେନ୍ଦ୍ରୀଭୂତ ହୋଇଛି ।

ମେ ମାସରେ ଘୂର୍ଣିଝଡ଼ ଘାତକ ସାବ୍ୟସ୍ତ
ଗତ ୫୫ ବର୍ଷ ମଧ୍ୟରେ ଭାରତରେ ମେ ମାସରେ ଭାରତରେ ପୂର୍ବରୁ ହୋଇଥିବା ସାମୁଦ୍ରିକ ଘୂର୍ଣିଝଡ଼ ମଧ୍ୟରେ ୧୯୬୮, ୧୯୭୬, ୧୯୭୯, ୧୯୯୭, ୧୯୯୯, ୨୦୦୧, ୨୦୧୯ରେ ବିପୁଳ କ୍ଷୟକ୍ଷତି ହୋଇଛି । ଏହି ଘୂର୍ଣିଝଡ଼ଗୁଡ଼ିକ ଇଏସସି (ଏକ୍ସଟ୍ରିମ ସିଭିୟର ସାଇକ୍ଲୋନ) ରୂପ ନେଇଥିବା ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

 

୨୧ ବର୍ଷ ମଧ୍ୟରେ ଓଡ଼ିଶାରେ ଷଷ୍ଠ
ଗତ ୨୧ ବର୍ଷ ମଧ୍ୟରେ ଅର୍ଥାତ୍ ୧୯୯୯ ମସିହାରୁ ୨୦୨୦ ମସିହା ମଧ୍ୟରେ ଓଡ଼ିଶା ୬ଟି ସାମୁଦ୍ରିକ ଝଡ଼କୁ ସମ୍ମୁଖୀନ ହୋଇଛି । ୧୯୯୯ ମହାବାତ୍ୟା ପରେ ୨୦୧୩ରେ ଫାଇଲିନ୍, ୨୦୧୪ରେ ହୁଦହୁଦ୍, ୨୦୧୮ରେ ତିତିଲି ୨୦୧୯ରେ ଫଣି ଓ ଏବେ ୨୦୨୦ରେ ଅମ୍ପନ ।

ମହାବାତ୍ୟାରେ ପବନର ଗତି ଥିଲା ସବୁଠୁ ତୀବ୍ର
୧୯୯୯ ମହାବାତ୍ୟାରେ ଓଡ଼ିଶାରେ ପବନର ଗତି ଥିଲା ସବୁଠୁ ତୀବ୍ର । ମହାବାତ୍ୟା ସମୟରେ ପବନ ଓଡ଼ିଶା ଉପକୂଳକୁ ୨୭୬ କିଲୋମିଟର ଗତିରେ ଧକ୍କା ଦେଇଥିଲା। ଅପରପକ୍ଷରେ ଗତବର୍ଷ ଫଣିର ପବନର ଗତି ଥିଲା ପ୍ରାୟ ୨୫୦ କିଲୋମିଟର । ଏହାବ୍ୟତୀତ ଫାଇଲିନ୍ର ପବନର ଗତି ଘଣ୍ଟାକୁ ୨୧୫ କିଲୋମିଟର, ହୁଦହୁଦ୍ ଗତି ୧୮୫ କିଲୋମିଟର, ତିତିଲିର ଗତି ଥିଲା ଘଣ୍ଟା ପିଛା ୧୧୦ କିଲୋମିଟର

 

୧୮୯୧ରୁ ୧୯୧୭ ମଧ୍ୟରେ ଏପ୍ରିଲ ମାସରେ ୧୪
କେନ୍ଦ୍ର ସରକାରଙ୍କ ଭୂ ବିଜ୍ଞାନ ମନ୍ତ୍ରଣାଳୟ ସଚିବ ମାଧବନ ରାଜୀବନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୧୮୯୧ରୁ ୧୯୧୭ ମସିହା ମଧ୍ୟରେ ଏପ୍ରିଲ ମାସରେ ବଙ୍ଗୋପସାଗରରେ ମାତ୍ର ୧୪ଟି ଘୂର୍ଣିଝଡ଼ କେନ୍ଦ୍ରୀଭୂତ ହୋଇଥିଲା ଏବଂ ଏହାମଧ୍ୟରୁ ଫଣି ଥିଲା ସବୁଠାରୁ ଭୟଙ୍କର । ଏହାପୂର୍ବରୁ ନର୍ଗିସ ୨୦୦୮ ମସିହାରେ ମିଆଁମାରରେ ଧ୍ବଂସଲୀଳା ରଚିଥିଲା

ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି ବେଶୀ ସାମୁଦ୍ରିକ ଝଡ଼
ଭାରତର ଦୁଇ ପାର୍ଶ୍ବରେ ଥିବା ବଙ୍ଗୋପସାଗରୀୟ ଓ ଆରବ ସାଗରୀୟ କ୍ଷେତ୍ର ମଧ୍ୟରୁ ବଙ୍ଗୋପସାଗରରେ ବେଶୀ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୧୮୯୧ରୁ ୨୦୧୬ ମସିହା ମଧ୍ୟରେ ଦୁଇ ଉପକୂଳରେ ୩୦୫ ଘୂର୍ଣିଝଡ଼ ସୃଷ୍ଟି ହୋଇଛି ଏବଂ ଏହାମଧ୍ୟରୁ ୭୫% ଅର୍ଥାତ୍ ୨୨୯ଟି କେବଳ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି ।

ବଙ୍ଗୋପସାଗରୀୟ ଘୂର୍ଣିଝଡ଼ ସବୁଠୁ ମାରାତ୍ମକ ସାବ୍ୟସ୍ତ
ଆଇଏମ୍ଡ଼ି (ଭାରତୀୟ ପାଣିପାଗ ବିଭାଗ) ତଥ୍ୟ ଅନୁସାରେ ଆରବସାଗରୀୟ ଘୂଣ୍ଣିଝଡ଼ ଅପେକ୍ଷା ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣିଝଡ଼ ଅଧିକ ଘାତକ ସାବ୍ୟସ୍ତ ହୋଇଛି । ଏହା ଉଚ୍ଚ ଜୁଆର ସୃଷ୍ଟିକାରୀ ଓ ପ୍ରାଣଘାତୀ ହୋଇଛି । ୧୮୯୧ରୁ ୨୦୧୬ ମଧ୍ୟରେ ୧୦ଟି ଘାତକ ସାମୁଦ୍ରିକ ଝଡ଼ରେ ଲକ୍ଷଲକ୍ଷ ଲୋକ ପ୍ରାଣ ହରାଇଛନ୍ତି ।

ବାଂଲାଦେଶ, ଭାରତ, ମିଆଁମାର ପ୍ରଭାବିତ
ବଙ୍ଗୋପସାଗରୀୟ ସାମୁଦ୍ରିକ ଝଡ଼ରେ ସବୁଠୁ ବେଶୀ ପ୍ରଭାବିତ ହୋଇଛନ୍ତି ବାଂଲାଦେଶ,ଭାରତ ଓ ମିଆଁମାର । ସବୁଠୁ ତୀବ୍ର କୁହାଯାଉଥିବା ୧୦ ଝଡ଼ ମଧ୍ୟରୁ ବାଂଲାଦେଶରେ ୫ଟି ଭୂମିପାତ ହୋଇଛି । ଭାରତରେ ୩ ଓ ମିଆଁମାରରେ ଗୋଟିଏ ଘୂର୍ଣିଝଡ଼ ଭୂମିପାତ ହୋଇଛି ।

 

୧୮୭୬ ମସିହାରେ ଉଠିଥିଲା ୪୫ ଫୁଟ ଉଚ୍ଚର ଜୁଆର
ବଙ୍ଗୋପସାଗରରେ ଉଠିଥିବା ଘୂର୍ଣ୍ଣିଝଡ଼ ମଧ୍ୟରୁ ୧୮୭୬ ମସିହାରେ ସବୁଠାରୁ ଉଚ୍ଚ ଜୁଆର ଉଠିଥିଲା । ବାଂଲାଦେଶର ବାଖେରଗଞ୍ଜ ନିକଟରେ ଭୂଭାଗ ସ୍ପର୍ଶ କରିଥିବା ଏହି ସାମୁଦ୍ରିକ ଝଡ଼ ମେଘନା ଏଷ୍ଟୁଆରୀ ନିକଟରେ ୪୫ ଫୁଟ ଉଚ୍ଚର ସାମୁଦ୍ରିକ ଜୁଆର ଉଠିଥିଲା ।

ବର୍ଷକୁ ପ୍ରଭାବିତ ହେଉଛନ୍ତି ୩୭୦ ନିୟୁତ ଲୋକ
ସାମୁଦ୍ରିକ ଝଡ଼ ଯୋଗୁଁ ଭାରତରେ ପ୍ରତିବର୍ଷ ଅନ୍ୟୂନ ୩୭ ଲକ୍ଷ ଲୋକ ପ୍ରଭାବିତ ହେଉଛନ୍ତି । ନେସନ ସାଇକ୍ଲୋନ ରିସ୍କ ମିଟିଗେସନ ପ୍ରୋଜେକ୍ଟ (ଏନସିଆରଏମପି) ଅନୁସାରେ ବିଶ୍ବରେ ଯେତେ ସାମୁଦ୍ରିକ ଝଡ଼ ହେଉଛି ସେଥିମଧ୍ୟରୁ ଅନ୍ୟୂନ ୧୦% ଭାରତୀୟ ଉପମହାଦେଶରେ ଦେଖାଦେଇଛି । ୧୯୮୦ରୁ ୨୦୨୦ ମସିହା ମଧ୍ୟରେ ପ୍ରତିବର୍ଷ ଅନ୍ୟୂନ ୩୭୦ ନିୟୁତ ଲୋକ ପ୍ରଭାବିତ ହେଉଛନ୍ତି ।

ନର୍ଗିସରେ ମରିଥିଲେ ୧୪୦୦୦୦ ଲୋକ
୨୦୦୮ ମସିହାରେ ମିଆଁମାରରେ ଘଟିଥିବା ସାମୁଦ୍ରିକ ଝଡ଼ ନର୍ଗିସରେ ପ୍ରାୟ ୧୪୦୦୦୦ ଲୋକ ମରିଥିବା ରିପୋର୍ଟ ହୋଇଥିଲା । ସେହିପରି ୧୯୯୯ରେ ଓଡ଼ିଶା ଉପକୂଳରେ ମହାବାତ୍ୟାରେ ୧୦ ହଜାରରୁ ଅଧିକ ଲୋକ ମରିଥିବା ସରକାରୀ ଭାବେ କୁହାଯାଇଥିଲା ।

 

ପ୍ରାକୃତିକ ଦୁର୍ବିପାକ ମଧ୍ୟରୁ ୩୫% ହେଉଛି ଝଡ଼ବାତ୍ୟା
୧୯୭୦ ମସିହାରୁ ୨୦୧୨ ମସିହା ମଧ୍ୟରେ ଏସିଆ ମହାଦେଶରେ ୨୬୮୧ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଇଛି । ଏହା ମଧ୍ୟରୁ ପ୍ରାୟ ୩୫% (୯୩୮)ଟି ହେଉଛି ଝଡ଼ବାତ୍ୟା ।

ପ୍ରାକୃତିକ ବିପର୍ଯ୍ୟୟ ମୃତ୍ୟୁର ୭୬% ବାତ୍ୟାଜନିତ
ଅନ୍ୟପକ୍ଷରେ ପ୍ରାକୃତିକ ବିପର୍ଯ୍ୟୟରେ ଏସିଆ ମହାଦେଶରେ ଯେତେ ଲୋକ ମୃତ୍ୟୁବରଣ କରିଛନ୍ତି ଏହାମଧ୍ୟରୁ ୭୬% ହେଉଛି ବାତ୍ୟାଜନିତ । ଏହି ସମୟରେ ପ୍ରାୟ ୯.୧୫ ଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ ଓ ଏଥିରୁ ୬.୯୫ ଲକ୍ଷ କେବଳ ଝଡ଼ବାତ୍ୟା ଯୋଗୁଁ ।

୪ ସବୁଠୁ ଘାତକ ସାମୁଦ୍ରିକ ଝଡ଼
ଗତ ୫ ଦଶନ୍ଧି ମଧ୍ୟରେ ଯେତେ ସାମୁଦ୍ରିକ ଝଡ଼ ଘଟିଛି ସେଥିମଧ୍ୟରୁ ୨ଟି ବାଂଲାଦେଶ, ଗୋଟିଏ ମିଆଁମାର ଓ ଗୋଟିଏ ଭାରତରେ ଘଟିଛି । ୧୯୭୦ ଓ ୧୯୯୧ରେ ବାଂଲାଦେଶ ଏବଂ ୨୦୦୮ ମସିହାରେ ମିଆଁମାରରେ ଘଟିଥିବା ସାମୁଦ୍ରିକ ଝଡ଼ରେ ସରକାରୀଭାବେ ୫.୭୭ ଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ । ସେହିପରି ୧୯୯୯ ମହାବାତ୍ୟାରେ ଓଡ଼ିଶାରେ ୧୦ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ ।

 

ଦକ୍ଷିଣ ଏସୀୟ ଦେଶ ସବୁଠୁ ଅଧିକ ପ୍ରଭାବିତ
ବିଶ୍ବରେ ୧୯୭୦ରୁ ୨୦୧୨ ମଧ୍ୟରେ ବିଭିନ୍ନ ଝଡ଼ (ସାଇକ୍ଲୋନ, ହ୍ୟୁରିକେନ, ଟର୍ଣାଡ଼େ)ରେ ପ୍ରାୟ ୭.୭୭ ଲକ୍ଷ ଲୋକଙ୍କର ଜୀବନ ଯାଇଥିଲା । ଏହାମଧ୍ୟରୁ ୮୯% ଅର୍ଥାତ୍ ୬.୯୫ ଲକ୍ଷ ଲୋକ ଭାରତ, ବାଂଲାଦେଶ ଓ ମିଆଁମାରର ।

ଭାରତ ଇତିହାସରେ ୧୯୯୯ ମହାବାତ୍ୟା ସବୁଠୁ ଭୟଙ୍କର
ଭାରତରେ ଯେତେ ମହାବାତ୍ୟା ବା ଘୂର୍ଣିଝଡ଼ ହୋଇଛି ସେଥିରୁ ଓଡ଼ିଶା ଉପକୂଳରେ ୧୯୯୯ ମହାବାତ୍ୟା ସବୁଠାରୁ ଥିଲା ଭୟଙ୍କର । ଏଥିରେ ୧୦୦୦୦ ଲୋକ ମୃତ୍ୟୁବରଣ କରିଥିଲେ । ଭାରତ ଇତିହାସରେ ଏପରି ବିପଜ୍ଜନକ ଝଡ଼ କେବେ ହୋଇ ନ ଥିଲା ।

Comments are closed.