ମାଡ଼ି ଆସୁଛି ‘ଜୱାଦ’, ୪ରେ ଛୁଇଁବ ଉପକୂଳ

ଭୁବନେଶ୍ବର: ଓଡ଼ିଶା ଉପକୂଳକୁ ମାଡି ଆସୁଛି ବାତ୍ୟା ‘ଜୱାଦ’। ୪ ତାରିଖ ସକାଳେ ଓଡିଶା ଉପକୂଳ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକଳ ସମୁଦ୍ରରେ ପହଞ୍ଚିବ ବାତ୍ୟା। ବାତ୍ୟା କେଉଁଠାରେ ସ୍ଥଳଭାଗ ଛୁଇଁବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବାତ୍ୟା କେନ୍ଦ୍ରୀଭୂତ ଥିବା ସମୟରେ ଓଡ଼ିଶା ଉପକୂଳ ସମୁଦ୍ରରେ ଘଣ୍ଟା ପ୍ରତି ୭୦ରୁ ୮୦ କିମି ବେଗରେ ପବନ ବହିବ। ଝଟକା ପବନ ଘଣ୍ଟା ପ୍ରତି ୯୦ କିମି ଛୁଇଁପାରେ। ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଅପେକ୍ଷା ସବୁଠୁ ଅଧିକ ପ୍ରଭାବ ଓଡ଼ିଶା ଉପରେ ପକାଇବ ବାତ୍ୟା। ଉପକୂଳ ଓଡ଼ିଶା ଅଧିକ କ୍ଷତିଗ୍ରସ୍ତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।

ଦକ୍ଷିଣ ଥାଇଲାଣ୍ଡ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟା ରୂପ ନେବ କି ନାହିଁ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ମଙ୍ଗଳବାର ପୂର୍ବାହ୍ଣରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ଅବପାତରେ ପରିଣତ ହୋଇ ବାତ୍ୟା ରୂପ ନେବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଦକ୍ଷିଣ ଥାଇଲାଣ୍ଡ ଏବଂ ନିକଟବର୍ତ୍ତୀ ଆଣ୍ଡାମାନ ସାଗରରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨ ତାରିଖ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ଏବଂ ନିକଟସ୍ଥ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ୩ ତାରିଖ ସୁଦ୍ଧା ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଗୋଟିଏ ବାତ୍ୟାର ରୂପ ନେଇପାରେ। ଏହାର ପ୍ରଭାବରେ ୩ ତାରିଖ ମଧ୍ୟରାତିରୁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାଗୁଡିକରେ ସ୍ବଳ୍ପରୁ ମଧ୍ୟମ ଧରଣ ବର୍ଷା ସହ ସମୁଦ୍ରରେ ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବ। ପରବର୍ତ୍ତୀ ସମୟରେ ଅବପାତ ଅଧିକ ଘନୀଭୂତ ହୋଇ ୪ ତାରିଖ ସକାଳେ ଓଡ଼ିଶା ଉପକୂଳ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ସମୁଦ୍ର ଉପକୂଳରେ ପହଞ୍ଚି କେନ୍ଦ୍ରୀଭୂତ ହେବ। ଏହି ସମୟରେ ଓଡ଼ିଶାରେ ପ୍ରବଳ ବର୍ଷା ହେବ। କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ। ଅପରାହ୍ଣ ବେଳକୁ ବାତ୍ୟାର ପ୍ରକୋପ ଧୀରେ ଧୀରେ ବଢ଼ିବ। ବାତ୍ୟା ଓଡ଼ିଶା ଉପକୂଳ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶରେ କେନ୍ଦ୍ରୀଭୂତ ହେବା ସମୟରେ ଓଡ଼ିଶା ଉପକୂଳ ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି ୭୦ରୁ ୮୦ କିମିରେ ବହିବ। ସ୍ଥଳବିଶେଷରେ ଝଟକା ପବନର ବେଗ ଘଣ୍ଟା ପ୍ରତି ୯୦ କିମି ଛୁଇଁପାରେ। ଆକଳନ କରାଯାଉଛି, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଅପେକ୍ଷା ଓଡ଼ିଶା ଅଧିକ ପ୍ରଭାବିତ ହୋଇପାରେ। ନିର୍ଦ୍ଧିଷ୍ଟ ଭାବେ କେଉଁଠି ବାତ୍ୟା ସ୍ଥଳଭାଗ ଛୁଇଁବ ସେ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ବିଭାଗ ପୂର୍ବାନୁମାନ କରିଛି ୪ ତାରିଖ ସକାଳେ ବାତ୍ୟା ଓଡ଼ିଶା ଉପକୂଳରେ ପହଞ୍ଚିବ। ଓଡ଼ିଶାର କିଛି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ମାତ୍ରାରେ ବର୍ଷା ହୋଇପାରେ। ଲଘୁଚାପଟି ଅବପାତ ରୂପ ନେବା ପରେ ଏହା ଉପରେ ଅଧିକ ସ୍ପଷ୍ଟ ଆକଳନ କରାଯାଇ ପାରିବ ବୋଲି ମହାନିର୍ଦେଶକ ଶ୍ରୀ ମହାପାତ୍ର କହିଛନ୍ତି।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, ସମ୍ଭାବ୍ୟ ବାତ୍ୟା ଦ୍ବାରା ୩ ତାରିଖରେ ଗଜପତି, ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁରରେ ପ୍ରବଳ ବର୍ଷା ହେବ। ଉପରୋକ୍ତ ଜିଲାଗୁଡିକୁ ସତର୍କ ସୂଚନା ଜାରି କରାଯାଇଛି। ୪ରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, ଜଗତିସଂହପୁର, କେନ୍ଦ୍ରାପଡା, କଟକ, ଭଦ୍ରକ, ବାଲେଶ୍ବର ଏବଂ ଯାଜପୁର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାବେଳେ ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ। ୫ରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ, କେନ୍ଦୁଝର, ଢେଙ୍କାନାଳ ଏବଂ ମୟୂରଭଞ୍ଜ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ଅଚାନକ ବନ୍ୟା ଆସିବା, ତଳିଆ ଅଞ୍ଚଳରେ ପାଣି ଜମିବା, କଚ୍ଚାଘର ଓ ରାସ୍ତା ଧୋଇ ହୋଇଯିବା, ସହରାଞ୍ଚଳ ଗୁଡିକର ନାଳରେ ପାଣି ନିଷ୍କାସନ ହୋଇ ନପାରିବା, ଟ୍ରାଫିକ ଜାମ ପରିସ୍ଥିତି ଉପୁଜିବା, ଫସଲ ନଷ୍ଟ ହେବା, ଭୂସ୍ଖଳନ ସହିତ ଗଛ ଉପୁଡିବା ଏବଂ ଗଛ ଡାଳ ଭାଙ୍ଗି ରାସ୍ତାରେ ପଡିବାର ସମ୍ଭାବନା ରହିଛି। ବାତ୍ୟା ପ୍ରକୋପ ବଢ଼ିଲେ ସମସ୍ତ ଜନସାଧାରଣ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ପରାମର୍ଶ ଦିଆଯାଇଛି। ୫ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ପୂର୍ବ ଏବଂ ଏହାର ପାର୍ଶ୍ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର, ପଶ୍ଚିମ କେନ୍ଦ୍ରୀୟ ଓ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳ, ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ଭିତରକୁ ପ୍ରବେଶ ନକରିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

ବାତ୍ୟାକୁ ନେଇ ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ(ଏସଆରସି) ପ୍ରଦୀପ କୁମାର ଜେନା ସମସ୍ତ ଜିଲାପାଳ ଏବଂ ମହାନଗର ନିଗମ ଆୟୁକ୍ତମାନଙ୍କୁ ସତର୍କ ରହିବାକୁ ନିର୍ଦେଶନାମା ଜାରି କରିଛନ୍ତି। ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ଜିଲାପାଳଙ୍କୁ କୁହାଯାଇଛି। ସତର୍କ ସୂଚନା ଜାରି କରାଯାଇଥିବା ଜିଲା ଗୁଡିକ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି। ଜଳ ବନ୍ଦୀ, ବନ୍ୟା ଭଳି ସ୍ଥିତି ଓ ଭୂସ୍ଖଳନ ହେବାର ଆଶଙ୍କା ଥିବା ଅଞ୍ଚଳ ଉପରେ ସ୍ବତନ୍ତ୍ର ଦୃ‌ଷ୍ଟି ରଖି କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି। ଅହୋରାତ୍ର ନିୟନ୍ତ୍ରଣ କକ୍ଷ (କଣ୍ଟ୍ରୋଲ ରୁମ୍‌) ଚାଲୁ ରଖିବାକୁ ନିର୍ଦେଶ ଦେଇଛନ୍ତି। ମତ୍ସ୍ୟଜୀବୀଙ୍କୁ ଦିଆଯାଇଥିବା ପରାମର୍ଶ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ୩ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଥିବାରୁ ଏ ସମ୍ପର୍କରେ ଜନସାଧାରଣଙ୍କୁ ତ୍ବରିତ ସୂଚନା ଦେବା ସହିତ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିବାକୁ ନିର୍ଦେଶ ଦେଇଛନ୍ତି। ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ତଥ୍ୟାନୁଯାୟୀ, ଯଦି ଏହି ବାତ୍ୟା ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ ତେବେ ୧୨୯ ବର୍ଷ ପରେ ପ୍ରଥମ ବାତ୍ୟା। ୧୮୯୧ରୁ ୨୦୨୦ ମସିହା ମଧ୍ୟରେ ଡିସେମ୍ବର ମାସରେ ଓଡ଼ିଶା ଉପକୂଳରେ କୌଣସି ବାତ୍ୟା ସ୍ଥଳଭାଗ ଛୁଇଁନାହିଁ। ଉତ୍ତର ଭାରତ ମହାସାଗରରେ ଡିସେମ୍ବରରେ ସମୁଦାୟ ବାତ୍ୟା, ଅବପାତ, ଗଭୀର ଅବପାତ ଏବଂ ଭୀଷଣ ବାତ୍ୟା ୫୮ଟି ସୃଷ୍ଟି ହୋଇଛି।

Comments are closed.